ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ନୂଆଗାଁ ପଞ୍ଚାୟତ କାଲିମାଟି ଗ୍ରାମର ରବୀନ୍ଦ୍ର ହାତୀ ତେଲେଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ସିକନ୍ଦରାବାଦର ବିକିରାବାଦ ଆତେଲି କୋଇଲି ଫାର୍ମ କମ୍ପାନିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଗତ ୩ ଦିନ ତଳେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ବୁଧବାର ଗାଁରେ ଶବ ପହଞ୍ଚିଛି। ତେବେ ପରିବାର ଲୋକ ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ କୋମନା ଥାନାରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, କାଲିମାଟି ଗ୍ରାମର ଭିକାରି ହାତୀଙ୍କ ପୁଅ ରବୀନ୍ଦ୍ର ଚଳିତ ବର୍ଷ ଫେବ୍ରୁଆରି ମାସରେ ସ୍ତ୍ରୀ ଯଶୋଦାଙ୍କୁ ନେଇ ସମ୍ପର୍କୀୟଙ୍କ ସହ ତେଲେଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ ମମ୍ପାନିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଗତ ୨୪ ତାରିଖ ଦିନ ୧୦ଟାରେ ଘରକୁ ଫୋନ୍ କରି ଭଉଣୀ ସହ କଥା ହୋଇଥିଲେ। ହଠାତ ଦୁଇ ଘଂଟା ପରେ ୧୨ଟାରେ ରବୀନ୍ଦ୍ର ଗୁରୁତର ହୋଇଥିବା ସହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ଆସିଥିଲା। ପରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।
ଗ୍ରାମବାସୀ ଓ ପରିବାର ଲୋକ କୋମନା ଥାନାରେ ପ୍ରାଥମିକ ସୂଚନା ଦେଇଥିଲେ ମଧ୍ୟ କୋମନା ପୁଲିସ୍ କୌଣସି ସହଯୋଗ ନକରି ଫେରାଇ ଦେଇଥିଲା। ଏହି ଖବର ଜିଲ୍ଲା ଶ୍ରମିକ ମହାସଂଘ ଆବାହକ ଯଦୁମଣି ପାଣିଗ୍ରାହୀ ପାଇବା ପରେ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାରଲା ଓ ଅତିରିକ୍ତ ଶ୍ରମ ଅଧିକାରୀ ଡି.ଏସ୍ ଧରୁଆଙ୍କ ସହ ଯୋଗାଯୋଗ କରି ମୃତ ଦାଦନ ଶ୍ରମିକଙ୍କ ଶବକୁ ଗାଁକୁ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଆଜି ଶବ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପରିବାର ଲୋକ ରବୀନ୍ଦ୍ରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।