ନୂଆପଡ଼ା : ଜମି ବିକ୍ରି ପାଇଁ ଅନୁମତି ନପାଇ ଶେଷରେ ଗୁରୁବାର ନୂଆପଡ଼ା ତହସିଲ ଅଫିସରେ ଦେହରେ ନିଆଁ ଲଗାଇ ଦେଇଥିବା ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା କଲ୍ୟାଣପୁର ଗ୍ରାମର ଦିବ୍ୟାଙ୍ଗ ଜଗଦୀଶ ଚୌହାନ (୩୮)ଙ୍କ ବିଳମ୍ବିତ ରାତିରେ ମୃତ୍ୟୁହୋଇଛି। ଏହି ଘଟଣାରେ ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ନିଲମ୍ବନ କରାଯାଇଛି। ମୃତକଙ୍କ ପରିବାରର ଏତଲା ଅନୁସାରେ ତହସିଲଦାର ଶ୍ରୀ ରାଉତ ଓ ଅତିରିକ୍ତ ତହସିଲଦାର ଆଶେଷା ବାଗଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ, ଜଗଦୀଶ ଫାଇନାନ୍ସ କରି ଏକ ଲୁନା କିଣିଥିଲେ। ଏହି ଟଙ୍କା ପରିଶୋଧ କରିବା ପାଇଁ ସଂପୃକ୍ତ ଫାଇନାନ୍ସ କମ୍ପାନି ପକ୍ଷରୁ ବାରମ୍ବାର କୁହାଯାଉଥିଲା। ଟଙ୍କା ପରିଶୋଧ କରିବାକୁ ଜଗଦୀଶ ତାଙ୍କ ଜମି ବିକ୍ରି କରିବାକୁ ଚାହୁଥିଲେ। ବର୍ଷେ ହେଲା ଏଥିପାଇଁ ସେ ତହସିଲରୁ ଅନୁମତି ମାଗୁଥିଲେ। ହେଲେ ପ୍ରଶାସନିକ ଅଧିକାରୀ ତାଙ୍କ କଥାକୁ କର୍ଣ୍ଣପାତ କରିନଥିବାରୁ ଅତିଷ୍ଠ ହୋଇ ଶେଷରେ ଗୁରୁବାର ତହସିଲ ଅଫିସ୍ ପରିସରରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କ ଶରୀରର ୮୦ ଭାଗ ପୋଡ଼ି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ରାତି ଗୋଟାଏ ବେଳେ ଗଜଦୀଶଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ।
ପତ୍ନୀଙ୍କୁ ଚାକିରି, ପିଲାଙ୍କ ପାଠପଢ଼ା ପ୍ରତିଶ୍ରୁତି ପରେ ଶବଦାହ
/sambad/media/post_attachments/wp-content/uploads/2023/03/nuapada-cc33.jpg)
ଜଗଦୀଶଙ୍କ ମୃତ୍ୟୁ ସୂଚନା ପାଇବାପରେ ନୂଆପଡ଼ା ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ସହ ସ୍ଥାନୀୟ ତହସିଲ ଅଫିସ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏସ୍ପି ଜି.ଆର୍ ରାଘବେନ୍ଦ୍ର ତହସିଲ ଅଫିସ୍ରେ ପହଞ୍ଚି ଘଟଣା ଉପରେ ଅନୁଧ୍ୟାନ କରିଥିଲେ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଉପଜିଲ୍ଲାପାଳ ସୁବାସ ଚନ୍ଦ୍ର ରଏତା, ବିଡିଓ ସୁବେଦାର ପ୍ରଧାନ ପ୍ରମୁଖ ସକାଳେ ମୃତ ଯୁବକଙ୍କ ଗାଁ କଲ୍ୟାଣପୁରରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ବୁର୍ଲାରେ ମୃତ ଜଗଦୀଶଙ୍କ ଶବ ବ୍ୟବଚ୍ଛେଦ ପରେ ଅପରାହ୍ନ ୪ଟାରେ ଗାଁକୁ ପହଞ୍ଚିଥିଲା। ଶବ ରଖି ପରିବାର ଲୋକ ଓ ସମାଜର ସଦସ୍ୟମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ।
ଲୋକ ୫୦ ଲକ୍ଷ ସହାୟତା ରାଶି ପ୍ରଦାନ ସହ ପତ୍ନୀଙ୍କୁ ଚାକିରି ଓ ଛୁଆମାନଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଏଥିସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶବ ସତ୍କାର କରାଯିବ ନାହିଁ ବୋଲି ଜିଦ୍ରେ ଅଟଳ ରହିଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି କ୍ଷତିପୂରଣ ରାଶି ଯୋଗାଇ ଦେବା ସହ ମୃତ ଜଗଦୀଶଙ୍କ ପତ୍ନୀଙ୍କୁ ଖରିଆରରୋଡ଼ ଆରଏମ୍ସିରେ ଚାକିରି ସହ ୨ ପୁଅଙ୍କୁ ପାଠପଢ଼ାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
/sambad/media/post_attachments/wp-content/uploads/2023/03/nuapada-cccc-750x430.jpg)
ଏହି ଘଟଣାରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପତ୍ର ସଂଖା ୯୯୪୨ ଅନୁସାରେ ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧିରେ ସେ ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟରେ ହାଜିରା ଦେବେ ଏବଂ କମିସନରଙ୍କ ବିନା ଅନୁମତିରେ ହେଡ୍କ୍ବାର୍ଟର ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ, ପରିବାର ଲୋକ ନୂଆପଡ଼ା ଥାନାରେ ତହସିଲଦାର ଦେବେନ୍ଦ୍ର ରାଉତ ଓ ଅତିରିକ୍ତ ତହସିଲଦାର ଆଶେଷା ବାଗଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/nuapada-ddd.jpg)