ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବନେଇକଳା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ବିଷକ୍ରିୟା ଜନିତ।  ଶବ ବ୍ୟବଚ୍ଛେଦ ପରେ ଏହା ଏକପ୍ରକାର ସ୍ପଷ୍ଟ ହୋଇଛି। ମାତ୍ର କେନ୍ଦୁଝରରେ ଫରେନସିକ୍ ଲ୍ୟାବ୍ ନଥିବାରୁ ଭିସେରା ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋରଚନ୍ଦ୍ର ପୃଷ୍ଟି ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀକୁ ଖୋଜିବା ପାଇଁ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରି ଛାନଭିନ୍ ଚଳାଇଥିବା କେନ୍ଦୁଝର ଅତିରିକ୍ତ ଏସ୍‌ପି ବିରଞ୍ଚି ଦେହୁରୀ କହିଛନ୍ତି।

Advertisment

ରୁଗୁଡି ସ୍ଥିତ ଏକ ଖଣି କମ୍ପାନିରେ କାର୍ଯ୍ୟରତ ଡାକ୍ତର ଦିବ୍ୟରଂଜନଙ୍କ ସହିତ ଶୁଭଶ୍ରୀଙ୍କ ପ୍ରେମ ସଂପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଇ ଶୁଭଶ୍ରୀଙ୍କ ସହିତ ସେ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ବିବାହ ପାଇଁ ମନା କରିବାରୁ ଶୁଭଶ୍ରୀ  ଡିସେମ୍ବର ୨୦ ତାରିଖରେ  ଯୋଡ଼ା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ଥାନାକୁ ଡାକି ଆପୋସ ସମାଧାନ କରିଥିଲା। ମାତ୍ର ୩୧ ତାରିଖ ରାତିରେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଏକ ପାର୍ଟିର ଆୟୋଜନ କରାଯାଇଥିଲା ସେହି ପାର୍ଟିରେ ଶୁଭଶ୍ରୀ ଖୁବ୍ ନାଚିଥିଲେ। ରାତି ପାଖାପାଖି ଦୁଇଟା ବେଳେ ଡାକ୍ତରଖାନାର ଉପରମହଲାରେ ଥିବା ତାଙ୍କ କ୍ବାର୍ଟର୍ସକୁ ସେ ଚାଲି ଯାଇଥିଲେ। ମାତ୍ର ସକାଳୁ ଆଉ ସେ ଉଠି ନଥିଲେ। ଡେରିରେ ଶୋଇଥିବାରୁ ଉଠିବା ବିଳମ୍ବ ହୋଇଥିବ ଭାବି ଅନ୍ୟ କର୍ମଚାରୀ ଏହାକୁ ଗୁରୁତ୍ବ ଦେଇ ନଥିଲେ। ମାତ୍ର ଅପରାହ୍ଣ ଯାଏ କବାଟ ନ ଖୋଲିବାରୁ ସନ୍ଦେହରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶୁଭଶ୍ରୀଙ୍କ ମୃତଦେହକୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁ ବିଷକ୍ରିୟା ଜନିତ ବୋଲି ସନ୍ଦେହ କରି ପ୍ରାଥମିକ ସୂଚନା ଦେଇଛନ୍ତି। ପୁଲିସ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରିଛି। ରିପୋର୍ଟ ଆସିବା ପରେ ପୁଲିସ ଯାହାକିଛି ପଦକ୍ଷେପ ନେବ ବୋଲି କହିଛି। ନୂତନ ବର୍ଷକୁ ସ୍ବାଗତ ପାଇଁ ପାର୍ଟିରେ ନାଚିଥିବା ଶୁଭଶ୍ରୀଙ୍କ ସହଯୋଗୀଙ୍କୁ ଏ ନେଇ  ପୁଲିସ ତୁହାକୁତୁହା ପଚରା ଉଚରା କରୁଛି।  ସେପଟେ ଶୁଭଶ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ କେବେ ପରଦା ହଟିବ ‌ତାହା ଉପରେ ସମସ୍ତଙ୍କ ନଜର ରହିଛି।