କଟକ: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖିକା ବିଜୟିନୀ ଦାସ (୮୦)ଙ୍କ ପରଲୋକ ଘଟିଛି। ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ସିଡିଏସ୍ଥିତ ଝିଅ ମଧୁମିତା ମହାନ୍ତିଙ୍କ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପରଲୋକ ପରେ ତାଙ୍କ ମରଶରୀରକୁ ଷ୍ଟୋନିରୋଡସ୍ଥିତ ତାଙ୍କ ବାସଭବନରେ ଶେଷଦର୍ଶନ ପାଇଁ ରଖାଯାଇଥିଲା। ଶେଷଶଯ୍ୟା ନିକଟରେ ପୁଅ ଅମରଜିତ ଦାସ, ବୋହୂ ମିନତୀ ଦାସ, ଝିଅ ମଧୁମିତା ମହାନ୍ତି, ଜ୍ବାଇଁ ସୌରଭ ମହାନ୍ତି, ଦେଡ଼ଶୂର ପ୍ରଫେସର ଡାକ୍ତର ରଘୁବୀର ଦାସଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ବସୁନ୍ଧରା ସଂପାଦିକା ଶୈଳ ବେହେରା, ସମାଜସେବୀ ସାବିତ୍ରୀ ଚୌଧୁରୀ, ଉତ୍କଳ ପ୍ରସଙ୍ଗ ସଂପାଦିକା କସ୍ତୁରୀ ମହାପାତ୍ର, ରୀନି ମହାନ୍ତି, କଂଗ୍ରେସ ନେତ୍ରୀ ଗିରିବାଳା ବେହେରା, ସୁଧାଂଶୁ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂଧ୍ୟାରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଏକମାତ୍ର ପୁଅ ଅମରଜିତ ମୁଖାଗ୍ନି ଦେଇଥିଲେ।
୧୯୪୪ ମସିହା ସେପ୍ଟେମ୍ବର ୨୩ରେ ନୟାଗଡ଼ ଜିଲ୍ଲା ବାଉଁସିଆପଡ଼ା ଗ୍ରାମରେ ବିଜୟିନୀ ଦାସ ଜନ୍ମଗ୍ରହଣ କରିଥିଲେ। ଭାଗବତ ପଟ୍ଟନାୟକ-କୁମୁଦିନୀ ପଟ୍ଟନାୟକଙ୍କ ଝିଅ ବିଜୟିନୀ ମନସ୍ତତ୍ତ୍ବ ବିଜ୍ଞାନରେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପରେ ସାରସ୍ବତ ସାଧନା ଓ ସମାଜସେବା କ୍ଷେତ୍ରରେ ଉତ୍ସର୍ଗୀକୃ୍ତ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶାରେ ମହିଳା ଓ ଶିଶୁଙ୍କ ଅଧିକାର ଓ ନ୍ୟାୟ ପାଇଁ ତାଙ୍କର ଉଦ୍ୟମ ସର୍ବଦା ଉଲ୍ଲେଖନୀୟ। ୧୯୭୦ ମସିହାରେ ମାସିକ ସାହିତ୍ୟ ପତ୍ରିକା ‘ଜୀବନରଙ୍ଗ’ର ସଂପାଦକ ଭାବେ ସାରସ୍ବତ ସେବା ଆରମ୍ଭ କରିଥିଲେ। ସେ ଓଡ଼ିଶା ମହିଳା ସ୍ବେଚ୍ଛାସେବୀ ସଂଘ, ବସୁନ୍ଧରା, ଉତ୍କଳ ମହିଳା ସମିତି ଭଳି ସାମାଜିକ ସଂଗଠନ ସହ ସଂପୃକ୍ତ ଥିଲେ। ଏହା ବ୍ୟତୀତ ସେ ଫ୍ୟାମିଲି କୋର୍ଟର ପ୍ରମୁଖ କାଉନ୍ସେଲର, ‘ସଂଯୋଗ’ ଅନୁଷ୍ଠାନର ସଦସ୍ୟ, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ସଦସ୍ୟ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଛନ୍ତି। କବିତା, ଗଳ୍ପ, ଉପନ୍ୟାସ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରି ସ୍ବତନ୍ତ୍ର ସ୍ବାକ୍ଷର ଛାଡ଼ିଯାଇଛନ୍ତି। ତାଙ୍କର ସାରସ୍ବତ କୃତି ମଧ୍ୟରେ ମଧ୍ୟରାତ୍ରିର କବିତା, ସୂର୍ଯ୍ୟୋଦୟ, ଭଙ୍ଗା ଆଇନା, ତିନି ଦଶକର କବିତା, ଏବେ ମୋତେ କହିବାବୁ ଦିଅ ଭଳି କବିତା ଗ୍ରନ୍ଥ, ସହରତ, ଛାଇ ଆଲୁଅ, ଝରକା, ଭୋର୍ ଆକାଶ ଭଳି କ୍ଷୁଦ୍ରଗଳ୍ପ, ଶିଖା ପତଙ୍ଗ, ପଙ୍କ ତିଳକ, ନିଶିଦ୍ଧ କାବ୍ୟ ଭଳି ଉପନ୍ୟାସ ଅନ୍ୟତମ।
ଦେବଦାସୀ ଉପନ୍ୟାସ ପାଇଁ ୧୯୯୧ରେ ବିଜୟିନୀ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଥିଲେ। ସାରସ୍ବତ ସେବା ପାଇଁ ସେ ପ୍ରଜାତନ୍ତ୍ର ବିଷୁବ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର, ରାଧାନାଥ ରାୟ ସ୍ମୃତି ସମ୍ମାନ, ଦାସରଥୀ ପଟ୍ଟନାୟକ ସାହିତ୍ୟ ସମ୍ମାନ, ମାନସିଂହ ସମ୍ମାନ, ଓଡ଼ିଶା ପ୍ରତିଭା ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ, ଭୁବନେଶ୍ବର ପୁସ୍ତକ ମେଳା ସମ୍ମାନ ଭଳି ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି। ତାଙ୍କ ବିୟୋଗରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସଂପାଦକ ଆଦିତ୍ୟ ପ୍ରତାପ ଧଳ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ପ୍ରମୁଖ ଶୋକପ୍ରକାଶ କରିଛନ୍ତି।