ବାହାରିନ୍‌ରେ ପ୍ରବାସୀ ଓଡ଼ିଆଙ୍କ ଦେହାନ୍ତ, ପାର୍ଥିବ ଶରୀର ଆଣିବାରେ ସହାୟତା କଲା ‘ଓଡ଼ିଶା-ମୋ ପରିବାର

ଭୁବନେଶ୍ବର : ସୁଦୂର ବାହାରିନ୍‌ରେ ମୃତ ପ୍ରବାସୀ ଓଡ଼ିଆଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ଓ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ କରିବାରେ ଓଡ଼ିଶା ମୋ-ପରିବାର ସହାୟତା କରିଛି।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୋଟାଗ୍ରାମର ୪୮ ବର୍ଷ ବୟସ୍କ ସୀମାଞ୍ଚଳ ରାଉତ ବାହାରିନ୍‌ରେ ଏକ ଘରୋଇ କମ୍ପାନି‌ରେ କାର୍ଯ୍ୟ କରୁଥିଲେ। ଗତ ଜୁଲାଇ ୧୮ ତାରିଖରେ ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କ ବ୍ରେନ୍‌-ହାମରେଜ୍‌ ହୋଇ ବାହାରିନ୍‌ର ଏକ ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ବାହାରିନ୍‌ରେ ଥିବା ଓଡ଼ିଆ ସମାଜର ପ୍ରତିଷ୍ଠାତା ଡ. ଅରୁଣ କୁମାର ପ୍ରହରାଜଙ୍କ ତତ୍ତ୍ବାବଧାନରେ ସେଠାରେ ଦୀର୍ଘ ୨୧ ଦିନର ଚିକିତ୍ସା ପରେ ଅଗଷ୍ଟ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଓଡ଼ିଶା- ମୋ ପରିବାର ଏବଂ ଡ. ପ୍ରହରାଜଙ୍କ ସମନ୍ବୟରେ ବିମାନ ଯୋଗ‌େ ତାଙ୍କର ପାର୍ଥିବ ଶରୀରକୁ ବାହାରିନ୍‌ରୁ ଭୁବନେଶ୍ବର ବିମାନବନ୍ଦର ଏବଂ ଶେଷକୃତ୍ୟ ପାଇଁ ଭୁବନେଶ୍ବରରୁ ପୁରୀ ସ୍ବର୍ଗଦ୍ବାରକୁ ନେବାରେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ସ୍ବର୍ଗଦ୍ବାରରେ ପୁଅ ସଚ୍ଚିନ୍‌ ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ, ସୀମାଞ୍ଚଳଙ୍କ ପାର୍ଥିବଶରୀର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ସମୟରେ ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ବରିଷ୍ଠ ନେତା ବ୍ରାଡ୍‌ ମିଶ୍ର, ଯୁଗ୍ମ ସଂପାଦକ (ଓଡ଼ିଶା ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ, ସମୀର ପ୍ରଧାନ ଏବଂ ଓଡ଼ିଶା-ମୋ ପରିବାର ସ୍ବାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ୍‌ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମୟରେ ବିଜୁ ଯୁବ ଜନତା ଦଳ ସଂପାଦକ ଷ୍ଟାଲିନ୍‌ ପରିଜା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର