ପୁଅ ଆଗରେ ଚାଲିଗଲା ବାପର ଜୀବନ, ବାତ୍ୟା ପରବର୍ତ୍ତୀ ବିଦ୍ୟୁତ ମରାମତି ବେଳେ ଖୁଣ୍ଟରୁ ଖସିପଡ଼ି ବିଦ୍ୟୁତ ବିଭାଗର ଠିକା ଶ୍ରମିକ ମୃତ

ଜଳେଶ୍ଵର: ବାପପୁଅ ସାଙ୍ଗ ହୋଇ ଆସିଥିଲେ। କରୋନା ପାଇଁ ବେଶ କିଛି ଦିନ ଧରି ହାତ ବାନ୍ଧି ବସିବା ପରେ ଦୁଇ ପଇସା ରୋଜଗାର ହେଲେ ଘର ଖର୍ଚ୍ଚ କିଛି ଦିନ ଯାଏ ଚଳିଯିବ ବୋଲି ଏମିତି କଥାବାର୍ତ୍ତା ହୋଇଥିଲେ ବିଦ୍ୟୁତ ବିଭାଗରେ ଠିକା ଶ୍ରମିକ ଭାବେ କାମ କରୁଥିବା ବାଲେଶ୍ବର ଜିଲ୍ଲାର ସିଙ୍ଗଲା ଥାନା କୁମ୍ଭାର ଗାଡିଆ ଗ୍ରାମର ହିମାଂଶୁ ମଇକାପ(୪୪) ଓ ତାଙ୍କ ପୁତ୍ର ରବୀନ୍ଦ୍ର (୧୮)। ହେଲେ ବିଧିର ବିଧାନ ଥିଲା ଭିନ୍ନ।

ଆଜି ସକାଳେ ଉଭୟ ବାପପୁଅ ସାଙ୍ଗ ହୋଇ କାମ କରୁଥିବା ବେଳେ ବାପା ବିଦ୍ୟୁତ ଖୁଣ୍ଟରୁ ଖସିପଡ଼ିବା ପରେ ପୁଅ ଆଗରେ ଚାଲିଗଲା ବାପର ଜୀବନ। ଏହିଭଳି ଦୁଃଖଦ ଖବର ଆଜି ଜଳେଶ୍ଵର ଓ ସିଙ୍ଗଲା ଥାନା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ହିମାଂଶୁ ଓ ତାଙ୍କ ପୁତ୍ର ବିଦ୍ୟୁତ ବିଭାଗରେ ଠିକା ଶ୍ରମିକ ଭାବେ କାମ କରୁଥିବା ବେଳେ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ ମରାମତି କାର୍ଯ୍ୟ ପାଇଁ ସୁଗୋ ଅଞ୍ଚଳର ଜଣେ ଠିକାଦାରଙ୍କ ଡାକରାରେ ଗତକାଲିଠାରୁ ଜଳେଶ୍ଵରକୁ ଆସିଥିଲେ। ଆଜି ସକାଳେ ଉଭୟ ଖାଲିନା ଗ୍ରାମକୁ ୧୧ କେଭି ବିଦ୍ୟୁତ୍ ତାର ମରାମତି ପାଇଁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୯ ଟାରେ ହିମାଂଶୁ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ। ହିମାଂଶୁଙ୍କୁ ତାଙ୍କ ପୁଅ ଓ ଅନ୍ୟ ଶ୍ରମିକମାନେ ଜଳେଶ୍ଵର ଜିକେ ଭଟ୍ଟର ହସପିଟାଲକୁ ଆଣିଥିବା ବେଳେ ସେଠାରେ ମୃତ ଘୋଷଣା କରାଯାଇଥିଲା। ହିମାଂଶୁ ଖୁଣ୍ଟରୁ କେଉଁ କାରଣରୁ ଖସି ପଡ଼ିଲେ,ଅକସ୍ମାତ ବିଦ୍ୟୁତ ସଂଯୋଗ ଆସିଗଲା ନାଁ ଭାରସାମ୍ୟ ହରାଇ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ହିମାଂଶୁ କାମ କରୁଥିବା ସମୟରେ ହେଲମେଟ,ବେଲ୍ଟ, କିମ୍ବା ଅନ୍ୟ ଜୀବନ ରକ୍ଷାକାରୀ ସରଞ୍ଜାମ ପିନ୍ଧି ନ ଥିଲେ ବୋଲି ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗର ଏହି ଖାମଖିଆଲି ମନୋଭାବ ଯୋଗୁଁ ହିମାଂଶୁଙ୍କ ଜୀବନ ଚାଲିଗଲା ବୋଲି ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିବା ସହ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସେମାନେ ଦାବି କରିଛନ୍ତି।

 

 

ସମ୍ବନ୍ଧିତ ଖବର