ରାୟଗଡ଼ା: ଭାରତ ପରିଭ୍ରମଣରେ ଆସିଥିବା ଋଷର ପର୍ଯ୍ୟଟକ ତଥା ଭ୍ଲାଡିମିର୍ ସାଂସଦ ପାୱେଲ୍ ଆନ୍ଥେଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏଡିଜି ସୁନୀଲ୍ ବଂଶଲ ଏ ନେଇ ସୂଚନା ଦେଇଥିବା ବେଳେ ଆଜି ଘରୋଇ ହୋଟେଲରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ। ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କ ସହ ଶ୍ରୀ ପଣ୍ଡିତ ଆନ୍ଥେଭ ରହୁଥିବା ରୁମ୍ ସହ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି। ଗତକାଲି ଋଷ ଦୂତାବାସ ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ ଓ ଶେଷକୃତ୍ୟ ପାଇଁ ଅନୁମତି ଦେବା ପରେ ପୁଲିସ୍ ଏକ ଡାକ୍ତରୀ ଦଳ ସହାୟତାରେ ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ କରିଛି। ସଂଧ୍ୟାରେ ସିରିଗୁଡା ଶ୍ମଶାନରେ ଆନ୍ଥେଭଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।
ୟୁକ୍ରେନ୍ ଯୁଦ୍ଧକୁ ବିରୋଧ କରି ଚର୍ଚ୍ଚାରେ ଥିଲେ ପାୱେଲ୍ ଆନ୍ଥମ
ହୋଟେଲରେ ସ୍ଥିତି ପରଖିଲେ ଦକ୍ଷିଣା-ପଶ୍ଚିମାଞ୍ଚଳ ଡିଆଇଜି
ହୋଟେଲ୍ ଛାଡ଼ିଲେ ଅନ୍ୟ ଦୁଇ ଋଷୀୟ ପର୍ଯ୍ୟଟକ
ଋଷିଆର ଏକ ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ ଟାସ୍ ତଥ୍ୟ ଅନୁଯାୟୀ, ଆନ୍ଥେଭ ନିଜ ୬୬ ତମ ଜନ୍ମ ଦିନ ପାଳନ ପାଇଁ ଭାରତ ଆସିଥିଲେ। ଭାରତରେ ପହଞ୍ଚିବା ପରେ ୧୮ ତାରିଖରେ ଭୁବନେଶ୍ବର ଏବଂ ୨୧ ତାରିଖରେ ରାୟଗଡ଼ାରେ ପହଞ୍ଚିଥିଲେ। ଋଷର ଭ୍ଲାଦିମିର୍ ଅଞ୍ଚଳରୁ ସାଂସଦ ଭାବେ ଆନ୍ଥେଭ ପ୍ରତିନିଧିତ୍ବ କରୁଥିବା ବେଳେ ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ପୁଟିନଙ୍କ ଯୁଦ୍ଧ ନୀତିକୁ ବିରୋଧ କରି ନିଜ ବ୍ଲଗରେ ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ସମୟରେ ଚାପରେ ପଡି ଏଥି ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଆନ୍ଥେଭ। ଭାରତ ଭ୍ରମଣରେ ଆସିଥିବା ବେଳେ ହୋଟେଲ୍ ଛାତରୁ ପଡି ଆନ୍ଥେଭଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାକୁ ସନ୍ଦେହଜନକ ଭାବେ ଦେଖୁଛନ୍ତି ଆନ୍ଥେଭଙ୍କ ପରିବାର ଲୋକ। ଗତକାଲି ଋଷ ଚ୍ୟାନେଲର ଏ ସଂପର୍କରେ ଖବର ପ୍ରସାରଣ ପରେ ଭାରତ ସରକାରଙ୍କ ଉପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଚାପ ସୃଷ୍ଟି ହୋଇଛି। ଆନ୍ଥେଭ ଜଣେ ଆଇନଜୀବୀ ସହ ସାଂସଦ ଥିବାରୁ ଓଡ଼ିଶା ପୁଲିସ୍ ମୃତ୍ୟୁ ଘଟଣାକୁ ଗୁରୁତର ସହ କ୍ରାଇମ୍ରବାଞ୍ଚ ତଦନ୍ତ କରିବା ପାଇଁ ଆଜି ନିର୍ଦେଶ ଦେଇଛି।
ସୂଚନାଯୋଗ୍ୟ, ଓଡ଼ିଶା ଭ୍ରମଣରେ ଆସିଥିବା ଆନ୍ଥେଭ ଓ ତାଙ୍କ ବନ୍ଧୁ ବ୍ଲାଡିମିର୍ ବିଦାନୋଭା ରାୟଗଡ଼ାର ଏକ ହୋଟେଲରେ ଗୋଟିଏ ରୁମରେ ରହୁଥିଲେ। ୨୨ ତାରିଖ ପୂର୍ବାହଣରେ ବ୍ଲାଡିମିର୍ ବିଦାନୋଭା ହୃଦଘାତରେ ପ୍ରାଣ ହରାଇଥିଲେ। ୨୪ ତାରିଖ ସଂଧ୍ୟାରେ ପାୱେଲ୍ ଆନ୍ଥେଭ ହୋଟେଲରୁ ୩ ମହଲା ଛାତରୁ ପଡ଼ି ମୃତ୍ୟୁବରଣ କରିଥିବା ପୁଲିସ୍ ସୂଚନା ଦେଇଥିଲା।