ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ଆଜି ୯୫ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭଣ୍ଡାରେଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଶ୍ରୀ ଦାସ ଅମର ଆତ୍ମାର ସଦ୍‌ଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଭଣ୍ଡାରେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Advertisment

ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ରାଜ୍ୟପାଳ ଭାବେ ପରିଚିତ ଶ୍ରୀ ଭଣ୍ଡାରେ ୨୧ ଅଗଷ୍ଟ ୨୦୦୭ରୁ ୯ ମାର୍ଚ୍ଚ ୨୦୧୩ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଥିଲେ। ସେ ପିଲାଙ୍କ ମଧ୍ୟରେ ବେଶ୍ ପରିଚିତ ଥିଲେ। ଯେକୌଣସି ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମକୁ ଗଲେ ସେ ଛୋଟ ପିଲାଙ୍କୁ ବହୁତ ସ୍ନେହ କରୁଥିଲେ। ଏପରିକି ଛୋଟ, ବଡ଼ ଅନୁଷ୍ଠାନ ଯିଏ ତାଙ୍କୁ ଅତିଥି ଭାବେ ଡାକୁଥିଲେ ‌ଶ୍ରୀ ଭଣ୍ଡାରେ ନିମନ୍ତ୍ରଣ ରକ୍ଷା କରି ସେଠାକୁ ଯାଉଥିଲେ।
୧୦ ଡିସେମ୍ବର ୧୯୨୮ରେ ଜନ୍ମିତ ଶ୍ରୀ ଭଣ୍ଡାରେ କଂଗ୍ରେସ ସମର୍ଥନରେ ମହାରାଷ୍ଟ୍ରରୁ ୧୯୮୦ରୁ ୧୯୯୪ ମଧ୍ୟରେ ତିନି ଥର ରାଜ୍ୟସଭାକୁ ଯାଇଥିଲେ। ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଭଣ୍ଡାରେ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ର ଦୁଇ ଥର ସଭାପତି ମଧ୍ୟ ହୋଇଥିଲେ।