ସ୍ବାଧୀନତା ସଂଗ୍ରାମୀ ଗଜେନ୍ଦ୍ର ଦାସଙ୍କ ବିୟୋଗ  

ପଦ୍ମପୁର: ବରଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ତଥା ଭୂଦାନ ଆନ୍ଦୋଳନର ପୁରୋଧା ବିନୋବା ଭାବେଙ୍କ ସହଯୋଗୀ ଗଜେନ୍ଦ୍ରପ୍ରସାଦ ଦାସ (୯୦ ବର୍ଷ)ଙ୍କ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରରେ ପରଲୋକ ଘଟିଛି। ସ୍ୱର୍ଗତ ଦାସ ସମ୍ବଲପୁରରେ ସ୍କୁଲ ପାଠପଢ଼ା ସମୟରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ମାତ୍ର ସେତେବେ‌େଳ ବୟସ କମ୍‌ ହୋଇଥିବାରୁ ତାଙ୍କୁ କାରାଦଣ୍ଡ ଦିଆଯାଇନଥିଲା।

ଗାନ୍ଧୀଙ୍କ ଦେହାନ୍ତ ପରେ ସେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଭୂଦାନ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଏଥିସହ ପଦଯାତ୍ରା କରି ୪୨ ଖଣ୍ଡ  ସଂପୂର୍ଣ୍ଣ ଗ୍ରାମଦାନ କରି ବିନୋବ ଭାବେଙ୍କୁ ଦାନପତ୍ର ପ୍ରଦାନ କରିଥିଲେ। ଏହା ସହିତ ସେ ଗାନ୍ଧୀ ଓ ଭୂଦାନ ସଂପର୍କରେ ଅନେକ ବହି ମଧ୍ୟ ରଚନା କରିଥିଲେ। ଗତ ୧୪ ତାରିଖରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆମନ୍ତ୍ରଣ ପାଇ ଭୁବନେଶ୍ୱର ଯାଇଥିଲେ। ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ସାମିଲ ହେବା ପରେ ସେଠାରେ ଅସୁସ୍ଥ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବୁଧବାର ମଧ୍ୟାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ଆଜି ତାଙ୍କର ପାର୍ଥିବ ଶରୀର ପଦ୍ମପୁର ପହଞ୍ଚିବା ପରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ବିୟୋଗ ଖବର ପାଇ ବିଜେଡିର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ଡ. ପ୍ରଭାସ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ତାଙ୍କ ବାସଭବନରେ ପହଂଚି ପହଞ୍ଚି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ମରଶରୀରରେ ତ୍ରିରଙ୍ଗା ପତାକା ଘୋଡ଼ାଇ ଦିଆଯାଇଥିଲା। ସେ ତାଙ୍କ ପଛରେ ପୁଅ ପ୍ରଦୀପ, ଡାକ୍ତର ସୁଦୀପ୍ତ ଓ ଉଦୀପ୍ତ, ବୋହୂ, ଝିଅ ଅଞ୍ଜଳି, ଅର୍ଚନା, ଅଞ୍ଜନା, ସସ୍ମିତା ସମେତ ଜ୍ୱାଇଁ, ନାତିନାତୁଣୀଙ୍କୁ ଛାଡି ଚାଲିଯାଇଛନ୍ତି। ଗତ ଏକ ମାସ ପୂର୍ବରୁ ତାଙ୍କର ପତ୍ନୀ ସରୋଜିନୀ ଦାସଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ବିମ୍ବାଧର କୁଅଁର, ପ୍ରଦୀପ ପୁରୋହିତ, ରାଷ୍ଟ୍ରୀୟ ସ୍ୱୟଂସେବକର ବିପିନ ବିହାରୀ ନନ୍ଦ ପ୍ରମୁଖ ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର