ଗୋଲକ ନାଏକଙ୍କ ପରଲୋକ: ସ୍ବାସ୍ଥ୍ୟ କର୍ମଚାରୀରୁ କ୍ୟାବିନେଟ୍ ମନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଜଣାଶୁଣା ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ତାଙ୍କୁ ବାରିପଦାର ଏକ ଘରୋଇ ନର୍ସିଂହୋମକୁ ଡାଏଲେସିସ୍ ପାଇଁ ଅଣାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକପ୍ରକାଶ କରିଛନ୍ତି।

ବଡ଼ସାହି ବ୍ଲକ୍‌ର ବୁଢ଼େଇରଣା ଗାଁରେ ସ୍ବର୍ଗତ ନାଏକ ୧୯୫୭ରେ ଜନ୍ମ ଗ୍ରହଣ କରିଥିଲେ। ଉଚ୍ଚଶିକ୍ଷା ଲାଭକରି ସେ ପ୍ରଥମେ ସ୍ବାସ୍ଥ୍ୟ ବିଭାଗରେ ଚାକିରି କରିଥିଲେ। ପରେ ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟରୁ ତାଙ୍କ ରାଜନୀତି ଜୀବନର ଆରମ୍ଭ ହୋଇଥିଲା। ୨୦୦୦-୨୦୦୪ ଓ ୨୦୦୪-୨୦୦୯ ମସିହାରେ ସେ ବିଜେପିରୁ ଦୁଇଥର ଖୁଣ୍ଟା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ମେଣ୍ଟ ସରକାରରେ ପ୍ରଥମ ପାଳିରେ ରାଷ୍ଟ୍ରମନ୍ତ୍ରୀ ଓ ଦ୍ବିତୀୟ ପାଳିରେ କ୍ୟାବିନେଟ୍ ମନ୍ତ୍ରୀ ହୋଇ ବୟନ ଶିଳ୍ପ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ୨୦୦୯ରେ ସେ ବାରିପଦା ନିର୍ବାଚନମଣ୍ଡଳୀରୁ ବିଜେପିରୁ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥି‌ଲେ। ପରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗଦେବା ସହ ଉଦଳା ନିର୍ବାଚନମଣ୍ଡଳୀରୁ ୨୦୦୧୪-୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ପ୍ରତିନିଧିତ୍ବ କରିଥିଲେ। ଅସୁସ୍ଥତା କାରଣରୁ ୨୦୧୯ରେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର