ଅନାଥ ନାତି ନାତୁଣୀଙ୍କ ସାହାରା ସାଜିଥିବା ଅଜାଙ୍କ ମୃତ୍ୟୁ, ଚାନ୍ଦା ଆଦାୟ କରି ଶବଦାହ କଲେ ଗ୍ରାମବାସୀ

ପାତ୍ରପୁର : ପିଲା ବେଳେ ୨ ଶିଶୁଙ୍କୁ ଛାଡ଼ି ଅକାଳରେ ଆରପାରିକୁ ଚାଲିଯାଇଥିଲେ ବାପା ମା। ହେଲେ ୨ ଶିଶୁଙ୍କୁ ପାଳି ପୋଷି ବଡ଼ ମଣିଷ କରିବା ପାଇଁ କୋଳେଇ ନେଇଥିଲେ ଅଜା। କିନ୍ତୁ ଦଇବ ଦାଉ ସାଧିଲା ପରି ଆଜା ଗତ ୬ ମାସ ହେବ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ଫଳରେ ଶିଶୁ ୨ଟିଙ୍କୁ ବଡ଼ ମଣିଷ କରିବା ପାଇଁ ସେ ଦେଖିଥିବା ସ୍ବପ୍ନ ଯେମିତି ତାଙ୍କ ପକ୍ଷେ ଆଉ ସମ୍ଭବ ନଥିଲା। ନିଜେ ଔଷଧ ଖାଇବା ଓ ଛୁଆ ୨ଟିଙ୍କ ମୁହଁରେ ଆହାର ଦେବା ପାଇଁ ତାଙ୍କ ପାଖେ ସମ୍ବଳ ନଥିଲା। ଏନେଇ ସେ ବିଭିନ୍ନ ସରକାରୀ ବାବୁଙ୍କୁ ନେହୁରା ହୋଇଥିଲେ ହେଁ କୌଣସି ସୁଫଳ ମିଳିପାରି ନଥିଲା ଆଉ ଶେଷରେ ରୋଗ ଶଯ୍ୟାରେ ପଡ଼ି ପଡ଼ି ଅଜା ପ୍ରାଣ ହରାଇଛନ୍ତି। ଫଳରେ ଛୁଆ ୨ଟି ଆସହାୟ ପାଲଟି ଯାଇଛନ୍ତି। ଏପରିକି ଶବ ସଂସ୍କାର ପାଇଁ ଅର୍ଥ ନଥିବାରୁ ଗ୍ରାମବାସୀ ଚାନ୍ଦା ଆଦାୟ କରି ଶବ ସଂସ୍କାର କରିଛନ୍ତି।
ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତରାପୁର ପଞ୍ଚାୟତ ଅଧୀନ ଆଦିବାସୀଅଧ୍ୟୁଷିତ ତାଳପଦର ଗ୍ରାମରେ। ଶିବରାମ ଓ ସୁମିତ୍ରା ଛୋଟ ଥିଲା ବେଳେ ବାପା ଡମ୍ବରୁ ଶବର ଓ ମା କୁରୀ ଦେବୀ ଆରପାରିକୁ ଚାଲିଯାଇଥିଲେ। ଏଭଳି ସମୟରେ ବଡ଼ୁ ଶବର ୨ ନାତି ନାତୁଣୀଙ୍କ ପ୍ରତିପୋଷଣ ଭାର ମୁଣ୍ଡାଇଥିଲେ। ପର ଦୂଆରେ ମୂଲ ଲାଗି ଯାହା ରୋଜଗାର କରୁଥିଲେ ସେଥିରେ କଷ୍ଟମଷ୍ଟେ ଚଳି ଯାଉଥିଲେ। ସରକାରୀ ସହାୟତା ଭାବେ ୧୦ କିଲୋ ଚାଉଳ ଓ ୫୦୦ ଟଙ୍କା ଭତ୍ତା ମିଳୁଥିଲା। ତେବେ ଗତ ୬ ମାସ ହେବ ବଡ଼ୁ ରୋଗଗ୍ରସ୍ତ ହେବା ପରେ ଆଉ କାମଦାମ କରି ପାରୁ ନଥିଲେ। ଚିକିତ୍ସା ପାଇଁ ସରକାରୀ ସହାୟତା ଲୋଡ଼ିଥିଲେ। କେଲେ କୌଣସି ସୁଫଳ ମିଳିପାରି ନଥିଲା। ଶେଷରେ ରୋଗଶଯ୍ୟାରେ ପଡ଼ି ପଡ଼ି ବଡ଼ୁ ଆଜି ଆଖି ବୁଜିଛନ୍ତି।
ଫଳରେ ୧୨ ବର୍ଷର ନାତି ଓ ୮ ବର୍ଷର ନାତୁଣୀ ଏବେ ସଂପୂର୍ଣ୍ଣ ବେସାହାରା ପାଲଟି ଯାଇଛନ୍ତି। ଏପରିକି ତାଙ୍କ ପାଖରେ ଶବ ସଂସ୍କାର ପାଇଁ ଟଙ୍କା ନଥିବାରୁ ଗ୍ରାମବାସୀ ଚାନ୍ଦା ଆଦାୟ କରି ଶବ ସଂସ୍କାର କରିଛନ୍ତି। ନାତି ଶିବରାମ ମୁଖାଗ୍ନି ଦେଇଛନ୍ତି। ପିଲା ୨ଟିଙ୍କ ଲାଳନପାଳନ କଥା ପ୍ରଶାସନ ବୁଝୁ ବୋଲି ଦାବି ହୋଇଛି।
ସମ୍ବନ୍ଧିତ ଖବର