ଆଇଆଇସିଙ୍କ ମୃତ୍ୟୁ ଏବେ ବି ରହସ୍ୟରେ

ଦେବ୍‌ ଆଖି ବୁଜିଦେଲେ, କ୍ବାର୍ଟର୍ସରେ ଉଭେଇଗଲା ଅନେକ କାହାଣୀ

ବେଲଗୁଣ୍ଠା/ଆସିକା : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ ଦେବ୍ କୁମାର ଗମାଙ୍କଙ୍କ ମୃତ୍ୟୁ କେମିତି ଓ କିଭଳି ପରିସ୍ଥିତିରେ ଘଟିଲା ? ଘଟଣାର ୪୮ ଘଣ୍ଟା ପରେ ବି ଏହି ପଦାକୁ ଆସିପାରିନି। ମୃତ୍ୟୁ ସହ ତାଙ୍କ କ୍ବାର୍ଟରରେ ଘଟଣାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଯେମିତି ଉଭେଇଯାଇଥିବା ଭଳି ମନେ ହେଉଛି। ଆଉ ଘଟଣାକୁ ଚାପି ଦେବାକୁ କାଳେ ଉଦ୍ୟମ ହେଉନି ତ ? ବୋଲି ଚର୍ଚ୍ଚା ହେଉଛି।

ଗତକାଲି ବିଳମ୍ବିତ ରାତିରେ ମୃତ ଦେବ୍‌ଙ୍କ ପତ୍ନୀ ତଥା ଇନ୍ସପେକ୍ଟର୍ କିରଣ ମହାନ୍ତି ଆସିକା ଡାକ୍ତରଖାନାରେ ପହଞ୍ଚିଥିଲେ। ଏହାପରେ ତାଙ୍କ ମାଆ, ଭଉଣୀଙ୍କ ସମେତ ଗଞ୍ଜାମ ଏସ୍‌.ପି. ବ୍ରିଜେଶ୍ ରାୟ, ଆସିକା ଏସଡିପିଓ ଉମାଶାଙ୍କର ସିଂହ ଓ ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଉପସ୍ଥିତିରେ ଦେବ୍‌ଙ୍କ ଶରୀରରୁ ପୋଷାକ ସଂପୂର୍ଣ୍ଣ ଭାବେ ବାହାର କରାଯାଇଥିଲା। ଏହାସହ ଦାଗ ଓ ଗୁଳି ଲାଗିଥିବା କ୍ଷତ ଚିହ୍ନଟ କରାଯିବା ସହ ତାଙ୍କ ହାତକୁ ଧୁଆଯାଇ ନମୁନା ସଂଗ୍ରହ ହୋଇଥିଲା। ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଦେବ୍‌ଙ୍କ ଜଂଘର ଉପରିଭାଗରେ ଗୁଳିଟି ବାଜି ହାଡ଼ରେ ଲାଗି ଦିଗ ବଦଳାଇବା ପରେ ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଜଂଘ ଉପରି ଭାଗରେ ବାଜିଛି ଗୁଳି
ଛୁଟି ନମିଳିବାରୁ ମାନସିକ ଚାପରେ ଥି‌ଲେ
୧୦ ଦିନ ତଳେ ଏସ୍‌.ପି.ଙ୍କୁ ଭେଟିଥିଲେ ମାଆ

ଅନ୍ୟପକ୍ଷରେ ଘଟଣାର ଦୀର୍ଘ ୨୨ ଘଣ୍ଟା ପରେ ସାଇଣ୍ଟିଫିକ୍ ଟିମ୍ ଶନିବାର ସକାଳ୧୧ଟାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ସହ ନମୁନା କରିଥିଲେ। କିନ୍ତୁ ଗଣମାଧ୍ୟମକୁ କୌଣସି ସୂଚନା ନେଇ ଏସ୍‌.ପି.ଙ୍କୁ ଏହା ପ୍ରଦାନ କରାଯିବ ବୋଲି କହିଥିଲେ। ହେଲେ ଦୀର୍ଘ ସମୟ ବ୍ୟବଧାନ ପରେ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ସମସ୍ତଙ୍କୁ ଚକିତ କରିଛି। ଫଳରେ କୌଣସି ପ୍ରମାଣ ନଷ୍ଟ କରିବା ଲାଗି କାଳେ ଯୋଜନା ହୋଇଥିବା ଚର୍ଚ୍ଚା ହେଉଛି।

ତେବ‌େ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଦେବ୍ ଗଭୀର ମାନସିକ ଚାପରେ ରହିଥିଲେ। ଏହାମଧ୍ୟରେ ତାଙ୍କୁ ଛୁଟି ବି ମିଳୁ ନଥିଲା। ୧୦ ଦିନ ତଳେ ତାଙ୍କ ମାଆ ଛୁଟି ପାଇଁ ଗଞ୍ଜାମ ଏସ୍‌.ପି.ଙ୍କୁ ଫେରାଦ୍ ହୋଇଥିଲେ। କିନ୍ତୁ ତାଙ୍କର ଛୁଟିକୁ ମଞ୍ଜୁର କରାଯାଇ ନଥିଲା।

ଏହାମଧ୍ୟରେ କେନ୍ଦୁପଦରରେ ରାଜନୈତିକ ହିଂସା ଓ ହତ୍ୟା ଘଟଣା ତାଙ୍କର ମାନସିକ ଯନ୍ତ୍ରଣାକୁ ଆହୁରି ବଢ଼ାଇଦେଇଥିଲା। ଫଳରେ କିଛି ଅଘଟଣ ଆଶଙ୍କାରେ ତାଙ୍କ ପରିବାରବର୍ଗ ରହିଥିବା ସହ ଏସଂକ୍ରାନ୍ତରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଭଞ୍ଜନଗର ଥାନାଧିକାରୀ ଧୀରେଶ କୁମାର ଦାଶଙ୍କୁ ଅବଗତ କରାଇଥିଲେ। ଗତକାଲି ମଧ୍ୟାହ୍ନରେ ଭଞ୍ଜନଗର ଏସଡିପିଓ ଓ ଭଞ୍ଜନଗର ଥାନାଧିକାରୀ ତାଙ୍କର ଗାଙ୍ଗପୁର ଥାନା ନିକଟ କ୍ବାର୍ଟରକୁ ଯାଇଥିଲେ। କିଛି ସମୟ ପରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ହଠାତ୍ ରିଭଲଭର୍ ଫୁଟି ଦେବ୍‌ଙ୍କ ମୃତ୍ୟୁ ହେଲା। କିନ୍ତୁ ରିଭଲଭର୍ କେମିତି ଅନଲକ୍ ହେଲା ଓ ଫୁଟିଲା ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଥାନାରେ ଭିଡ଼ିଓ କନଫରେନ୍ସିଂ ପରେ ଭଞ୍ଜନଗର ଏସଡିପିଓ ଓ ଭଞ୍ଜନଗର ଥାନାଧିକାରୀ ତାଙ୍କ କ୍ବାର୍ଟରକୁ କାହିଁକି ଯାଇଥିଲେ। ମାନସିକ ଅବସାଦରେ ଥିବା ଦେବଙ୍କୁ ଯଦି ବୁଝାଇବାକୁ ଯାଇଥି‌ଲେ, ତାହେଲେ ତାଙ୍କ ମାଆ ଓ ରୋଷେୟାଙ୍କୁ କାହିଁକି ବାହାରକୁ ପଠାଇଦେଲେ। ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଉଙ୍କି ମାରିବାରେ ଲାଗିଛି। ସେହିପରି ଘଟଣା ଘଟିବା ପରେ ରିଭଲଭର୍ ଓ ଖୋକା ଜବତ ବିଷୟରେ କୌଣସି ସୂଚନା ମିଳିନି।

ଦେବ୍‌ଙ୍କ ମାଆ ଗଣମାଧ୍ୟମକୁ କହିଛନ୍ତି, ସେ କ୍ବାର୍ଟରରେ ଘଟଣା ବେଳେ ଉପସ୍ଥିତ ଥିଲେ। କିନ୍ତୁ ଦୁଇ ଅଧିକାରୀଙ୍କ (ତିନି ତାରକା ବିଶିଷ୍ଟ) କାର୍ଯ୍ୟକଳାପ ଉପରେ ତାଙ୍କର ସନ୍ଦେହ ସୃଷ୍ଟି ହୋଇଛି। ତେବେ ରୋଷେୟାଙ୍କ କହିବା ଅନୁସାରେ, ଦେବ୍ ମାନସିକ ଦୁଶ୍ଚିନ୍ତାରେ ରହୁ ନଥିଲେ। ନିୟମିତ ଖାଦ୍ୟ ଖାଇ କର୍ମସ୍ଥଳୀକୁ ଯାଉଥିଲେ। ସେହିପରି ରାୟଗଡ଼ା ଜିଲ୍ଲା ରାମନଗୁଡ଼ା ବ୍ଲକ୍ କୂଜେନ୍ଦ୍ରୀ ନିକଟ ଏଡୁରୁୱାଲସାରେ ‌ଶବ ବ୍ୟବଚ୍ଛେଦ ହୋଇଛି।

ସ୍ବର୍ଗତ ଦେବ୍‌ଙ୍କ ଦାଦା ଜୟସେନ୍ ଗମାଙ୍ଗ କହିଛନ୍ତି, ଦେବ୍ ଜଣେ ସାହସୀ ଯୁବକ ଥିଲେ। ଏହାର ବିଭାଗୀୟ ତଦନ୍ତ ହେବା ଦରକାର।

ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରି ଘଟଣା ଉପରୁ ରହସ୍ୟର ପରଦା ଉଠାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର