କେନ୍ଦୁଝର: ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଆଉ ନାହାନ୍ତି। ଆଜି ୮୮ ବର୍ଷ ବୟସରେ କେନ୍ଦୁଝର ବୈଦ୍ୟରାଜସାହି ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏପ୍ରିଲ ୧ରେ ଶ୍ରୀ କୁଅଁର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ବୟସାଧିକ୍ୟ କାରଣରୁ ସେ ମଧୁମେହ, ରକ୍ତଚାପ ଓ ଶ୍ବାସଜନିତ ରୋଗରେ ପୀଡ଼ିତ ଥିଲେ। ୨ ତାରିଖ ସକାଳେ ସମାଜସେବୀ ଏଆର୍ ଖାନ୍ଙ୍କ ତତ୍ତ୍ବାବଧାନରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ଚିକିତ୍ସା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିଛିଦିନ ଧରି ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଥିଲେ। ଏପ୍ରିଲ ୩୦ରେ ପୁଣି ଅସୁସ୍ଥ ହୋଇପଡ଼ିବା ସହ ତଳେ ପଡ଼ିଯାଇଥିଲେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ୪.୪୫ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
କେନ୍ଦୁଝର ସହରର ବୈଦ୍ୟରାଜ ସାହିରେ ୧୯୩୬ ଫେବ୍ରୁଆରି ୧୨ରେ ମାଗୁଣି ଚରଣ କୁଅଁର ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୫ ବର୍ଷ ବୟସରୁ ସେ ଗୁରୁ ମକରଧ୍ୱଜ ବେହେରାଙ୍କଠାରୁ କଣ୍ଢେଇ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ। ଓଡ଼ିଶାର ପ୍ରସିଦ୍ଧ କଣ୍ଢେଇ ନାଚକୁ କେବଳ ଭାରତ ନୁହେଁ, ବିଶ୍ୱ ଦରବାରରେ ପହଞ୍ଚାଇ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ରାବଣବଦ୍ଧ, ତ୍ରିପୁରାସୁର ବଦ୍ଧ, ଚନ୍ଦ୍ରହାସ୍ୟ ଖଡ୍ଗ, ମନ୍ଦୋଦରୀ ବିବାହ, ଚାର୍ଲସ ଶୋଭରାଜ, ବୀର ସୁରେନ୍ଦ୍ର ସାଏ, ସହିଦ ଲକ୍ଷ୍ମଣ ନାୟକ, ଶ୍ରୀ ଗଣେଶ ଆଦି ୪୫ଟି ବିଷୟବସ୍ତୁକୁ ନେଇ ସେ କଣ୍ଢେଇ ନୃତ୍ୟ ପରିବେଷଣ କରିଛନ୍ତି। ଏଥିପାଇଁ ତାଙ୍କୁ ୨୦୦୪ରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। ୨୦୧୪ରେ ରାଜ୍ୟ ସଂଗୀତ ନାଟକ ଏକାଡେମି ସମ୍ମାନ ସମେତ ଦେଶର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଥିଲେ। କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଶ୍ରୀ କୁଅଁରୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ଆଜି ସକାଳେ ପରଲୋକ ଖବର ପାଇ ସହରର ବହୁ ବଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ନିଜ ଶୋକବାର୍ତ୍ତାରେ ଜଣାଇଛନ୍ତି, ଆଜି ଜଣେ ମହାନ ବ୍ୟକ୍ତିଙ୍କ ପରଲୋକ ହୋଇଛି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝର ଜିଲ୍ଲାର ଗୁରୁ ମାଗୁଣି କୁଅଁର ଓଡ଼ିଶାର ଲୁପ୍ତପ୍ରାୟ କଣ୍ଢେଇ ନାଚ ପରମ୍ପରାକୁ ଉଜ୍ଜୀବିତ କରି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ। ତାଙ୍କର ବିୟୋଗ ଓଡ଼ିଶାର ପାରମ୍ପରିକ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଏଥିସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ବୈଦ୍ୟରାଜସାହି ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶ୍ରୀ କୁଅଁରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନାତି ଅଂଶୁ କୁଅଁର ମୁଖାଗ୍ନି ଦେଇଥିଲେ। ଗାର୍ଡ ଅଫ୍ ଅନର ପ୍ରଦାନ ସମୟରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଲଲିତ ସରେଙ୍ଗ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ କୁଅଁରଙ୍କ ପରଲୋକରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଜିଲ୍ଲାପାଳ ବିଶାଲ ସିଂହ, ପୂର୍ବତନ ସାଂସଦ ଅନନ୍ତ ନାୟକ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା, ଜିଲ୍ଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/gjgddgjjggjg.jpg)