ଶ୍ରମିକ ନେତା ରାଜୁ ସିଂହଙ୍କ ପରଲୋକ

କଟକ: ବିଶିଷ୍ଟ ଶ୍ରମିକ ନେତା, ସମାଜବାଦୀ ଆନ୍ଦୋଳନର ପ୍ରବକ୍ତା, ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହ (ରାଜୁ ସିଂହ)ଙ୍କର ଆଜି ସଂଧ୍ୟାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି। ତାଙ୍କୁ ୭୬ ବ‌ର୍ଷ ହୋଇଥିଲା। ଶ୍ରୀ ସିଂହ ଆଜି ଅପରାହ୍ନରେ ସିଏମ୍‌ସି କାର୍ଯ୍ୟାଳୟକୁ ଆସି ମେୟର ସୁବାସ ସିଂହଙ୍କ ସହିତ ଶ୍ରମିକଙ୍କ ସମସ୍ୟା ସଂପର୍କରେ ଦୀର୍ଘସମୟ ଧରି ଆଲୋଚନା କରିଥିଲେ। ସେଠାରୁ ଫେରି ଘରେ ଚା ପିଇଥିଲେ। ପରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ନଳିନୀପ୍ରଭା ସିଂହ, ପୁଅ ରବିସରଣ ସିଂହଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ୧୯୯୦ରୁ ୧୯୯୫ପର୍ଯ୍ୟନ୍ତ ସେ ଜନତା ଦଳର ପ୍ରାର୍ଥୀ ଭାବେ ପୂର୍ବର କଟକ ସଦର ନିର୍ବାଚନମଣ୍ଡଳୀର ବିଧାୟକ ନିର୍ବାଚିତ ଥିଲେ।

ସ୍ବର୍ଗତ ସିଂହ ବିଜୁ ଜନତା ଦଳ ରାଜ୍ୟ ଶ୍ରମିକ ସାମ୍ମୁଖ୍ୟର ସଭାପତି ତଥା ଅଖିଳ ଭାରତୀୟ ହିନ୍ଦ୍‌ ମଜଦୁର ସଭାର ଉପସଭାପତି ଭ‌ାବେ କାର୍ଯ୍ୟ କରୁଥିଲେ। ସେ କଟକ ମେହେନ୍ତର ସଂଘର ଆଜୀବନ ସଭାପତି, ପୂର୍ବରୁ ଅଲ୍ ଓଡ଼ିଶା ମ୍ୟୁନିସପାଲ କର୍ମଚାରୀ ସଂଘର ସଭାପତି ମଧ୍ୟ ଥିଲେ। କଟକ ମାରୱାଡି ସ୍କୁଲରେ ହାଇସ୍କୁଲ, ଖ୍ରୀଷ୍ଟ କଲେଜରେ ଶ୍ରମିକ କଲ୍ୟାଣରେ ସ୍ନାତକ ପାସ୍ କରିଥିଲେ। ପରେ ଏମ୍‌ଏସ୍ ଲରେ ଆଇନରେ ସ୍ନାତକ ପାସ୍ କରିଥିଲେ। ସ୍ବର୍ଗତ ସିଂହ ହେଉଛନ୍ତି ନୂଆ ରାଉସାପାଟଣା ଅଞ୍ଚଳର ମୂଳ ବାସିନ୍ଦା। ସେ କିଛିବର୍ଷ ହେଲା ସିଡିଏ ସେକ୍ଟର-୧୦ ରେ ରହି ଆସୁଥିଲେ। ତାଙ୍କର ଦୁଇ ପୁ୍ଅ ଓ ଗୋଟିଏ ଝିଅ ଅଛନ୍ତି। ଆସନ୍ତାକାଲି ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ରାଉସାପାଟଣା ଘର, ସିଏମସି ଅଫିସ ଓ ଭୁବନେଶ୍ବର ନିଆଯିବା ପରେ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ କରାଯିବ।

ସ୍ବର୍ଗତ ସିଂହଙ୍କର ସମାଜବାଦୀ ନେତା ମଧୁଦଣ୍ଡବତେ, ଜର୍ଜ ଫର୍ଣ୍ଣାଣ୍ଡିସ୍, ନୀତିଶ କୁମାର, ଶରତ ଯାଦବଙ୍କ ଭଳି ନେତୃବୃନ୍ଦଙ୍କ ସହିତ ବ୍ୟକ୍ତିଗତ ସଂପର୍କ ଥିଲା। ରାମମନୋହର ଲୋହିଆ ଓ ଜୟପ୍ରକାଶ ନାରାୟଣ ପ୍ରମୁଖଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ରାଜନୀତିରେ ଯୋଗ ଦେଇଥଇଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଗିରଫ ହୋଇ କାରାବରଣ କରିଥିଲେ।‌ ସେ ରାଜ୍ୟ ତଥା ଦେଶର ୫୦ରୁ ଅଧିକ ଶ୍ରମିକ ସଂଗଠନ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ। ପାରାଦୀପ ପୋର୍ଟ, ପିପିଏଲ୍, ଆରଏସପି, କୋଇଲା ଶ୍ରମିକ ସଂଗଠନ ଭଳି ବିଭିନ୍ନ ଶ୍ରମିକ ସଂଗଠନକୁ ମଜଭୁତ୍ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ପରଲୋକ ଖବର ପାଇ ମେୟର ସୁବାସ ସିଂହ, ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ‌ ମୋକିମ୍, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଚନ୍ଦ୍ରସାରଥୀ ବେହେରା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ପାତ୍ର, ଚିତ୍ତରଂଜନ ମହାନ୍ତି, ସଂଯୁକ୍ତା ମହଲ, ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜେଡି ନେତା ପ୍ରଫୁଲ୍ଲ ସିଂହ, ଧର୍ମେଶ ନାୟକ, ଜୀବନ ବିନ୍ଦୁ ମୋ ପରିବାର ସଂଯୋଜକ ଡକ୍ଟର ରଂଜନ କୁମାର ବିଶ୍ବାଳ ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ସିଂହଙ୍କ ବିୟୋଗରେ ଏସ୍‌ୟୁସିଆଇ(ସି) ପକ୍ଷରୁ ରାଜ୍ୟ ସମ୍ପାଦକ ଶଙ୍କର ଦାସଗୁପ୍ତା ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର