କଟକ : ଡ୍ରେନ୍ରେ ବୁଡ଼ି ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପରିବାରକୁ କ୍ଷତିପୂରଣ ଦାବିରେ କଟକ ପୌର ନିଗମ ମୁଖ୍ୟାଳୟ ବିଜୁ ଭବନ ସାମନାରେ ଶ୍ରମିକଙ୍କ ମୃତଦେହକୁ ୬ ଘଣ୍ଟା କାଳ ରଖି ଧାରଣା ଦିଆଯାଇଛି। ଏଭଳି ସ୍ଥିତିରେ ମୃତଦେହ ୧୮ ଘଣ୍ଟାରୁ ଅଧିକ ସମୟ ସତ୍କାର ହୋଇ ନ ପାରି ପଡ଼ି ରହିଥିଲା। ଶେଷରେ ଦାବି ଅନୁଯାୟୀ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ୱାଟ୍କୋ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର ହୋଇଛି। କିନ୍ତୁ ଏହି ଘଟଣାକୁ ନେଇ ବିଜୁ ଭବନ ସାମନାରେ ରାତି ୯ଟା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା।
ସୂଚନାଯୋଗ୍ୟ ଯେ ପୌର ନିଗମ ୨୨ ନମ୍ବର ୱାର୍ଡ ଅନ୍ତର୍ଗତ ବକ୍ସିବଜାର ବାରପଥରସ୍ଥିତ ବକ୍ସ ଡ୍ରେନରେ ବୁଡି ଗତକାଲି ଅପରାହ୍ନ ୩ଟାରେ ଶ୍ରମିକ ପି. ନର୍ସିଂହାଙ୍କ ମୃତ୍ୟୁ ହୋଇଥିଲା। ବକ୍ସ ଡ୍ରେନ କାମ ନେଇଥିବା ବିହାରର ନାଳନ୍ଦା କନଷ୍ଟ୍ରକସନ୍ କମ୍ପାନିର ସୁପରଭାଇଜର ନର୍ସିଂହା ଓ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ଏହି କାମରେ ନିୟୋଜନ କରିଥିଲା। ନର୍ସିଂହାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗତକାଲି ସ୍ଥାନୀୟ ବାସିନ୍ଦା ବକ୍ସ ଡ୍ରେନ କାମ କରୁଥିବା ନାଳନ୍ଦା କମ୍ପାନି କାର୍ଯ୍ୟାଳୟ ଘେରିବା ସହ ବାରପଥରର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏପରି ସ୍ଥିତିରେ କମ୍ପାନି ପକ୍ଷରୁ ଗୁରୁବାର ଦିନ ଦିନ ୧୧ଟାରେ ପରିବାରକୁ ୧୦ ଲକ୍ଷ ଟଙ୍କାର ଚେକ୍ ଦିଆଯିବ ବୋଲି ଘୋଷଣା କରିଥିଲା। ମାତ୍ର ଗୁରୁବାର ଅପରାହ୍ନ ୨ଟା ସୁଦ୍ଧା ମୃତକଙ୍କ ପରିବାରକୁ କୌଣସି ଚେକ୍ ପ୍ରଦାନ କରାଯାଇ ନଥିଲା।
ଚେକ୍ ମଳି ନଥିବାରୁ ଏସ୍ସିବିରେ ଶବ ବ୍ୟବଚ୍ଛେଦ ପରେ ଅପରାହ୍ନ ୩ଟାରେ ନିଗମ କାର୍ଯ୍ୟାଳୟ ଆଗରେ ଶବ ରଖି ଧାରଣା ଦିଆଯାଇଥିଲା। ପୌର ନିଗମ ୩୫ ନମ୍ବର ୱାର୍ଡ କର୍ପୋରେଟର କେ. କାମେଶ୍ବର ରାଓ, ୨୨ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟର ଅନିତା ନାୟକ, ସମାଜସେବୀ ଜିତେନ୍ଦ୍ର ସାହୁଙ୍କ ନେତୃତ୍ବରେ ବାରପଥର ବାସିନ୍ଦା ଓ ନର୍ସିଂହାଙ୍କ ପରିବାର ସଦସ୍ୟ ମୃତଦେହକୁ ନିଗମ କାର୍ଯ୍ୟାଳୟ ଅାଗରେ ରଖି ଧାରଣା ଦେଇଥିଲେ। ପୂର୍ବତନ କର୍ପୋରେଟର ତଥା କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ବରେ ଅନେକ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିଲେ। ଏଭଳି ସ୍ଥିତିରେ ୱାଟ୍କୋ ଅଧିକାରୀ ବିଜୟ ପଣ୍ଡା ରାତି ୯ଟାରେ ଧାରଣାସ୍ଥଳରେ ପହଞ୍ଚି ଆସନ୍ତା ଶନିବାର ସୁଦ୍ଧା କ୍ଷତିପୂରଣ ଚେକ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହାର କରାଯିବା ସହ ନର୍ସିଂହାଙ୍କ ମୃତଦେହକୁ ସତୀଚୌରା ଶ୍ମଶାନକୁ ନେଇ ସତ୍କାର କରାଯାଇଥିଲା। ନର୍ସିଂହାଙ୍କ ପରିବାରେ ତାଙ୍କ ସ୍ତ୍ରୀ, ୬ ବର୍ଷର ଝିଅ ଓ ବୃଦ୍ଧା ମା ଅଛନ୍ତି।
ମୃତ ନର୍ସିଂହାଙ୍କ ପରିବାରକୁ ଭେଟିବା ପାଇଁ ମେୟର, ସିଏମସିର କୌଣସି ଅଧିକାରୀ ଅଥବା ସ୍ଥାନୀୟ କର୍ପୋରେଟର ତାଙ୍କ ଘରକୁ ନ ଯିବା ଘଟଣାକୁ ନେଇ ବି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଅନ୍ୟପଟେ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଆଜି ସକାଳେ ମୃତକଙ୍କ ପରିବାରକୁ ଭେଟି ଆଶ୍ବାସନା ଦେବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଧାରଣାସ୍ଥଳକୁ କିନ୍ତୁ ମେୟର, କମିସନର ଆସି ସରକାରଙ୍କୁ କ୍ଷତିପୂରଣ ଟଙ୍କା ପ୍ରଦାନ ପାଇଁ ଚିଠି ଲେଖାଯାଇଛି ବୋଲି କହିଥିଲେ।