ଯାଜପୁର/ଦାନଗଦି : କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ବ୍ଲକ୍ରେ ଅପପୁଷ୍ଟି ଯୋଗୁ ପୁଣି ଜଣେ ଶିଶୁ ପ୍ରାଣ ହରାଇଛନ୍ତି। ସେ ହେଲେ, ବ୍ଲକ୍ ସଦର ମହକୁମା ତ୍ରିଜଙ୍ଗା ପଞ୍ଚାୟତର ସୋଲେଇ ଗାଁର ବାବୁଲି ତିରିଆଙ୍କ ଶିଶୁକନ୍ୟା ଶୁଭଲକ୍ଷ୍ମୀ। ଶୁଭଲକ୍ଷ୍ମୀ ୨ବର୍ଷ ଧରି ଅପପୁଷ୍ଟିର ଶିକାର ହୋଇଥିଲେ।
୨୦୨୧ ଡିସେମ୍ବର ୩ ତାରିଖ ‘ସମ୍ବାଦ’ରେ ଶୁଭଲକ୍ଷ୍ମୀଙ୍କ ଜୀବନସଂଘର୍ଷର କାହାଣୀ ପ୍ରକାଶ ପାଇଥିଲା। ସେତେବେଳେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହିତ ତାଙ୍କୁ କଟକ ଶିଶୁଭବନରେ ଭର୍ତ୍ତି କରିଥିଲେ। ଚିକିତ୍ସା ବାବଦକୁ ରେଡକ୍ରସ୍ରୁ ୨୦ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ତେବେ ଅପପୁଷ୍ଟି ଶିକାର ହୋଇଥିବା ଶୁଭଲକ୍ଷ୍ମୀର ମା’ ୬ମାସ ପୂର୍ବରୁ ମୃତ୍ୟୁବରଣ କରିଥିବାରୁ ଆଉ ତାଙ୍କର କେହି ଯତ୍ନ ନେଇନଥିଲେ। ଘରେ ଜଣେ ସାନଭାଇ ଏବଂ ଦିନମଜୁରିଆ ବାପା ବାବୁଲି। ଝିଅ ଓ ପୁଅଙ୍କ ଯତ୍ନନେବା ବାବୁଲିଙ୍କ ପାଇଁ ଅସମ୍ଭବ ହୋଇଥିବା ବେଳେ ସେ ଅନ୍ୟ ଏକ ବିବାହ କରିଥିଲେ ଏବଂ ତାଙ୍କର ୨ଜଣ ପିଲା ଅଛନ୍ତି। ସରକାରଙ୍କ ତରଫରୁ ପରିବାରକୁ କେବଳ ୫କେଜି ଚାଉଳ ମିଳୁଥିଲା, ଯେଉଁଥିରେ ପରିବାର ଚଳାଇବା ସହିତ ଶୁଭଲକ୍ଷ୍ମୀଙ୍କ ଚିକିତ୍ସା କରିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା। ଦୀର୍ଘ ଦୁଇବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ ଶୁଭଲକ୍ଷ୍ମୀ। ଏପରିକି ସେ ୨/୩ଦିନ ହେଲା ଅସୁସ୍ଥ ଥିବାବେଳେ ବାବୁଲି ଓ ତାଙ୍କ ପତ୍ନୀ ମଧ୍ୟ ଘର ନଥିଲେ।
ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ସ୍ଥାନୀୟ ପ୍ରଶାସନ ସେପରି ଗୁରୁତ୍ବର ସହ ଗ୍ରହଣ କରିନଥିବା ସାମାଜିକ କର୍ମୀ ମଣ୍ଟୁ ଦାସ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବରୁ ଦାନଗଦି ବ୍ଲକ୍ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହି ବାଙ୍କୁ ହେମ୍ବ୍ରମଙ୍କ ଜଣେ ସନ୍ତାନର ଅପପୁଷ୍ଟିରେ ମୃତ୍ୟୁ ହୋଇଥିଲା। ତାଙ୍କର ଅନ୍ୟ ୨ ପିଲା ଅପପୁଷ୍ଟିର ଶିକାର ହୋଇଥିଲେ। ଏହି ୨ ଜଣଙ୍କୁ ମିଶାଇ ମୋଟ୍ ୫ଜଣ ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁଙ୍କୁ ଉଦ୍ଧାର କରାଯିବା ସହିତ ସେମାନଙ୍କର ଚିକିତ୍ସା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Nutrition.jpg)