କଣ୍ତିଆହାଟ : ଆସାମରେ ପାଣିପାଇପ୍ କାମ କରୁଥିବା ରାଜକନିକା ବ୍ଲକ ଚରପଡ଼ା ଗ୍ରାମର ଶିଶିର କୁମାର ସାମଲ(୬୨)ଙ୍କ ସେଠାରେ କରୋନାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଗତ ୧୫ଦିନ ତଳେ ଶିଶିର ଅସୁସ୍ଥ ହୋଇପଡ଼ିଥିଲେ। ଜ୍ବର, ଥଣ୍ଡା, କାଶ ଲାଗି ରହିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୋରହାଟସ୍ଥିତ ସରକାରୀ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାବ୍ ରିପୋର୍ଟ ପରୀକ୍ଷା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହି ମେଡିକାଲ୍ରେ ଶଯ୍ୟା ଅଭାବ ଯୋଗୁଁ ଶିଶିରଙ୍କୁ ଏକ ଚୌକିରେ ବସାଇ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଚୌକିରେ ଅକ୍ସିଜେନ୍ ସିଲିଣ୍ଡର ଲାଗିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଶିଶିରଙ୍କ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗାଁରେ ରହୁଥିବା ତାଙ୍କ ସାନଭାଇ ଖୋକନ ସାମଲ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଶିଶିର ନିଜ ପତ୍ନୀ ଓ ଦୁଇପୁଅଙ୍କ ସହ ସେଠାରେ ରହୁଥିବାବେଳେ ଗ୍ରାମରେ ତାଙ୍କ ଭାଇ ଓ ବୃଦ୍ଧା ମା ରହୁଛନ୍ତି। ସେଠାରେ ଶିଶିରଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଶିଶିରଙ୍କ ମୃତ୍ୟୁକୁ ନେଇ ଚରପଡ଼ାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।