ପୁରୀ ଜିଲ୍ଲାରେ ପ୍ରଥମ କରୋନାଜନିତ ମୃତ୍ୟୁ, ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୨କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଉକ୍ତ ବ୍ୟକ୍ତିଜଣକ ପୁରୀ ଜିଲ୍ଲାର ଜଣେ ପୁରୁଷ ଓ ତାଙ୍କ ବୟସ ୬୦ ବର୍ଷ ବୋଲି ଜଣାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ଅନ୍ୟ ରୋଗ ବି ଥିବାର ସୂଚନା ଦିଆଯାଇଛି।

ଏହାଫଳରେ ଏବେ ରାଜ୍ୟରେ ମୋଟ କରୋନାଜନିତ ମୃତକଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ପୁଣି ୧୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ୨୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୫ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିରେ ଅଗ୍ନିଶମ ଓ ଓଡ୍ରାଫ୍ଟ ବିଭାଗର ୧୮ଜଣ ଯବାନ  ଆକ୍ରାନ୍ତ ଥିବା ଜଣାଯାଇଛି। ଏମାନେ ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାମ ସାରି ଓଡ଼ିଶା ଫେରିଥିଲେ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୭ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୭, ଅନୁଗୁଳରୁ ୬, ନବରଙ୍ଗପୁରରୁ ୧, ଜଗତସିଂହପୁରରୁ ୪, କଟକରୁ ୧୫, ବରଗଡ଼ରୁ ୨, ଭଦ୍ରକରୁ ୫, ଯାଜପୁରରୁ ୩, ମାଲକାନଗିରିରୁ ୨, ରାୟଗଡ଼ାରୁ ୫, କେନ୍ଦୁଝରରୁ ୧୮, ଦେବଗଡ଼ରୁ ୧, କେନ୍ଦ୍ରାପଡ଼ାରୁ ୫ ଏବଂ  ମୟୂରଭଞ୍ଜ ଜିଲ୍ଲାରୁ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର