ବ୍ରହ୍ମପୁର : ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀ ଶେଷରେ ଆଖି ବୁଜିଛନ୍ତି। ମେଡିକାଲର ମେଡିସିନ୍ ବିଭାଗ ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ଗତରାତି ତାଙ୍କର ମୃତ୍ୟୁ ଘଟିଛି।
ବ୍ଲାକ୍ ଫଙ୍ଗସ୍ ପରୀକ୍ଷା ପାଇଁ ରୋଗୀଙ୍କ ନାକରୁ ସ୍ବାବ୍ ନମୁନା ସଂଗ୍ରହ କରି ମାଇକ୍ରୋବାୟୋଲୋଜି ବିଭାଗକୁ ପରୀକ୍ଷା ପାଇଁ ପଠାଯାଇଥିଲା। କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ ଘଟିଛି। ସଂଧ୍ୟାରେ ତାଙ୍କର ରିପୋର୍ଟ ଆସିଛି। ରିପୋର୍ଟରେ ବ୍ଲାକ୍ ଫଙ୍ଗସ୍ ନେଭେଟିଭ୍ ରହିଥିବା ଏମ୍କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର କହିଛନ୍ତି। ସେ ମଧୁମେହ ରୋଗରେ ପୀଡିତ ଥିବାବେଳେ ଉଚ୍ଚ ରକ୍ତଚାପ ଓ କିଡ୍ନି ସମସ୍ୟା ବି ଥିଲା ବୋଲି ଅଧୀକ୍ଷକ କହିଛନ୍ତି।
ଗତ ୩ ଦିନ ପୂର୍ବେ ମହିଳାଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ତାଙ୍କର ଅବସ୍ଥା ଗୁରୁତର ରହିଥିଲା। ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ପରିଲକ୍ଷିତ ହେବାରୁ ତାଙ୍କୁ ଶୁକ୍ରବାର ଦିନ ମେଡିସିନ୍ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରୋଗୀଙ୍କ ଲକ୍ଷଣକୁ ଅନୁଧ୍ୟାନ କରି ସେ ବ୍ଲାକ୍ ଫଙ୍ଗସ୍ରେ ପୀଡ଼ିତ ଥିବା ନେଇ ଡାକ୍ତର ଅନୁମାନ କରୁଥିଲେ। ତଥାପି ପରୀକ୍ଷା ପାଇଁ ନମୁନା ସଂଗ୍ରହ କରି ପଠାଯାଇଥିଲା। କିନ୍ତୁ ଗତରାତି ପ୍ରାୟ ୧୧ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।