କବି ତପନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: କବି, ଔପନ୍ୟାସିକ ଓ ପ୍ରକାଶକ ତପନ ପଟ୍ଟନାୟକଙ୍କ ଆଜି ଭୁବ‌ନେଶ୍ବରସ୍ଥିତ କଳିଙ୍ଗ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ ୪ବର୍ଷ ହେଲା ସେ କିଡ୍‌ନିଜନିତ ରୋଗରେ ପୀଡ଼ିତ ଥିଲେ। କିଛି ଦିନ ତଳେ ଅଚାନକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ପରିବାରଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତାଙ୍କ ମୃତ୍ୟୁରେ ସାରସ୍ବତ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି। ୧୯୫୧ ଜୁନ୍‌ ୨୬ ତାରିଖରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଜନ୍ମିତ ତପନ ୫ ଦଶନ୍ଧି ଧରି ଓଡ଼ିଆ ସାରସ୍ବତ ଜଗତକୁ ନିଜ ସୃଷ୍ଟି ମାଧ୍ୟମରେ ଋଦ୍ଧିମନ୍ତ କରିଥିଲେ। ତାଙ୍କର ମୋଟ ୪୮ଟି ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ସେଥିମଧ୍ୟ‌ରେ ୩୦ଟି କବିତା ପୁସ୍ତକ, ୫ଟି ଗୀତିକବିତା, ୧୧ଟି ଉପନ୍ୟାସ ଓ ୨ଟି ନାଟକ ରହିଛି। ‘ସ୍ମୃତି ତୀର୍ଥ’, ‘ଢେଉ ଢେଉ ଅନ୍ଧକାର’, ‘ଝରା ଶିଶିର’, ‘ଋତୁର ବାସ୍ନାରେ’, ‘ଫେରିବାର ମୂର୍ଚ୍ଛନାରେ’ ଓ ‘କାବ୍ୟତାରା’ ଆଦି ତାଙ୍କର କିଛି ଉଲ୍ଲେଖନୀୟ ସାରସ୍ବତ ସୃଷ୍ଟି।

ଜଣେ ଉଚ୍ଚକୋଟୀର କବି ଭା‌ବେ ସେ ସୁଖ୍ୟାତି ଅର୍ଜନ କରିଥିଲେ। ପ୍ରେମ, ଜୀବନ, ପ୍ରକୃତି ଓ ଜୀବନଦର୍ଶନକୁ ନେଇ ଅବିରତ ଲେଖନୀ ଚାଳନା ପାଇଁ ତାଙ୍କୁ ‘ଝଙ୍କାର ପୁରସ୍କାର’, ‘ଆକାଶବାଣୀ ସ୍ୱର୍ଣ୍ଣପଦ’, ‘ଖୋର୍ଦ୍ଧା ଗୌରବ ସମ୍ମାନ’ ଓ ‘ଚିଲିକା ସମ୍ମାନ’ ଆଦି ଅନେକ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ଅନେକ କବିତା ଇଂରାଜୀରେ ଅନୁଦିତ ହୋଇଛି। ଏହାସହ ସେ ଅନେକ ଭଜନ, ଜଣାଣ, ଓ ଲୋକପ୍ରିୟ ସଙ୍ଗୀତ ରଚନା କରି ଓଡ଼ିଆ ସଙ୍ଗୀତ ଜଗତକୁ ବି ପ୍ରାଚୁର୍ଯ୍ୟମୟ କରି ଯାଇଛନ୍ତି।

ସେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡରେ କାର୍ଯ୍ୟ କରି ଅବସର ନେଇଥିଲେ। ପୁରୀଠାରେ ‘ସମନ୍ବୟ’ ପ୍ରକାଶନୀ ସଂସ୍ଥା ଆରମ୍ଭ କରି ଏହା ମାଧ୍ୟମରେ ସେ ନିଜର ଓ ଅନେକ ଲେଖକଙ୍କର ପୁସ୍ତକ ପ୍ରକାଶ କରିଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ବିୟୋଗରେ ସାରା ଆଜି ବହୁ ବିଶିଷ୍ଟ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଶୋକବ୍ୟକ୍ତ କରିଛନ୍ତି। ବହୁ ସାହିତ୍ୟିକ, କବି ଓ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କ ଶେଷ ଦର୍ଶନ କରିଥିଲେ। ଏଥିସହ ‘ପକ୍ଷୀଘର ସାହିତ୍ୟ ପତ୍ରିକା’ ଓ ‘ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ’ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର