ଲଇକେରା: ଝାରସୁଗୁଡା ଜିଲ୍ଲା ଲଇକେରା ବିଭିଓ ଡା. ଧିରେନ୍ଦ୍ର ବେହେରାଙ୍କ ଅବହେଳା ଯୋଗୁଁ ରେଙ୍ଗାଲବେଡ଼ାର ସଞ୍ଜୀବ ପୁରୋହିତଙ୍କ ଏକ ୪୦ ହଜାର ଟଙ୍କାର ଗର୍ଭଣୀ ଗାଈର ମୃତ୍ୟୁ ହୋଇଥିବା ନେଇ ଝାରସୁଗୁଡା ସିଡିଭିଓଙ୍କଠାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସଞ୍ଜୀବ ପ୍ରାୟ ୫ ବର୍ଷ ହେବ ଗୋ- ପାଳନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଗତ ୨୨ତାରିଖରେ ତାଙ୍କ ଜର୍ସି ଗର୍ଭିଣୀ ଗାଈର ଦେହ ଅସୁସ୍ଥ ହେବାରୁ ବିଭିଓଙ୍କୁ ଜଣାଇଥିଲେ। ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଜଣେ ଷ୍ଟାଫ ଟିକେଶ୍ବର ସାଙ୍କୁ ଡାକ୍ତର ପଠାଇ ଗାଈର ଚିକିତ୍ସା କରିଥିଲେ। ମଙ୍ଗଳବାର ରେଙ୍ଗାଲବେଡା ଗାଁରେ ଗାଈଗୋରୁଙ୍କୁ ଟିକା ଦେବା ବେଳେ ଗାଈକୁ ଦେଖି ଉନ୍ନତି ପରିଲକ୍ଷିତ ହେବାରୁ ଗାଈର ମାଳିକ ନିଜ ଦେହ ଦେଖାଇବା ପାଇଁ ବୁର୍ଲା ଡାକ୍ତରଖାନା ଯିବାକୁ ବାହାରି ବିଭିଓଙ୍କ ସହିତ କଥା ହୋଇ ଗାଈର ଚିକିତ୍ସା ପାଇଁ କହିଗଲେ। ହେଲେ ଚିକିତ୍ସା କରୁଥିବା ଶ୍ରୀ ସା ଆସି ନଥିବା ବେଳେ ବିଭିଓ ମଧ୍ୟ ତାଙ୍କୁ ପଚାରି ନଥିବା ଅଭିଯୋଗ କରିଛନ୍ତି।
୨୬ ତାରିଖରେ ସନ୍ଧ୍ୟା ବେଳେ ମାଳିକ ଆସି ଗାଈର ଅବସ୍ଥା ଗୁରୁତର ହେବାରୁ ବିଭିଓଙ୍କୁ ବାରମ୍ବାର ଯୋଗାଯୋଗ କରି ବିଫଳ ହେବାରୁ ଗାଈର ଭିଡିଓ ପଠାଇ କୌଣସି ଉତ୍ତର ନ ପାଇବାରୁ, ପ୍ରାଣୀ ଚିକିତ୍ସାଳୟ ଓ ପରେ ଭଡା ଘରେ ଖୋଜି ନ ପାଇବାରୁ ପୂର୍ବରୁ ଚିକିତ୍ସା କରୁଥିବା ଶ୍ରୀ ସାଙ୍କୁ କହିଥିଲେ। ପରେ ରାତିରେ ଔଷଧ ଆଣିବା ପାଇଁ କହି କିଛି ଇଞ୍ଜେକ୍ସନ ଦେଇ ରାତି ୧୦.୧୫ରେ ଯିବା ପରେ ରାତି ୧୦.୪୫ରେ ଗାଈର ମୃତ୍ୟୁ ହୋଇଥିବା ବେଳେ ବିଭିଓ ଶ୍ରୀ ବେହେରାଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଗାଈର ମୂଲ୍ୟ ସହିତ ଚିକିତ୍ସା ଖର୍ଚ୍ଚ ଭରଣା ପାଇଁ ଦାବି କରିଛନ୍ତି। ଅନ୍ୟ ପଟେ ଜିଲ୍ଲାପାଳ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଡାକ୍ତରଙ୍କୁ କହନ୍ତି ସବୁ ଚିକିତ୍ସା କ’ଣ ସଫଳ ହୋଇ ପାରିବ, ୫ ଦିନ ଧରି ଆମର କର୍ମଚାରୀ ଚିକିତ୍ସା କରିଛନ୍ତି। ଆମର ଚତୁର୍ଥ ଶ୍ରେଣୀ କର୍ମଚାରୀ ବି ଟ୍ରେଣ୍ଡ ଅଛନ୍ତି। କର୍ମଚାରୀ ଅଭାବ ତେଣୁ କରି ମୁଁ ଅଫିସ୍ରେ ରହୁଛି। ଆଜିକାଲି ଭିଡିଓ କଲିଂରେ ଚିକିତ୍ସା ହେଉଛି। ମୋର ପରାମର୍ଶ ନେଇ କର୍ମଚାରୀ ଚିକିତ୍ସା କରିଛନ୍ତି। ଆମର କୌଣସି ଅବହେଳା ହୋଇ ନାହିଁ।