ପୂର୍ବତନ କଂଗ୍ରେସ ନେତା ସରୋଜ ଭଞ୍ଜଦେଓଙ୍କ ପରଲୋକ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ରାଜାସାହେବ ସରୋଜ କୁମାର ଭଞ୍ଜଦେଓ (୭୦)ଙ୍କ ଆଜି ଅପରାହ୍ନରେ ହୃଦ୍‌ଘାତରେ ପରଲୋକ ଘଟିଛି। ଏ ନେଇ ତାଙ୍କ ପୁଅ ଶିବେନ୍ଦ୍ର କୁମାର ଭଞ୍ଜଦେଓ ସୂଚନା ଦେଇଛନ୍ତି। କୁଶପଲ୍ଲୀସ୍ଥିତ ବାସଭବନରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପୁଅ ଶିବେନ୍ଦ୍ର ଓ ପତ୍ନୀ ପଦ୍ମାବତୀ ତାଙ୍କୁ କଟକ ‌ବଡ଼ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନମନ୍ତ୍ରୀ ଉଷାଦେବୀ ହେଉଛନ୍ତି ଦିବଂଗତ ସରୋଜଙ୍କ ଦେଡ଼ଶାଶୂ। ୧୯୮୦ ମସିହାରେ ସେ କଂଗ୍ରେସରେ ଯୋଗଦେଇ ରାଜନୈତିକ ଜୀବନ ଆରମ୍ଭ କରିଥି‌ଲେ। ଏହାସହ ଆସିକାର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ର ରଥଙ୍କ ପ୍ରତିନିଧି ଭାବେ ଦାୟିତ୍ବ ତୁଲାଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ସରୋଜ ଭଞ୍ଜଦେଓ ପରିଚିତ ଥିଲେ। ୧୯୮୪ ମସିହାରେ କଂଗ୍ରେସରୁ ନିର୍ବାଚନ ଲଢ଼ି ଜଗନ୍ନାଥପ୍ରସାଦ ବ୍ଲକ୍ ଅଧ୍ୟକ୍ଷ ପଦବିରେ ଅବସ୍ଥାପିତ ହୋଇଥିଲେ। ବହୁବର୍ଷ ପ୍ରଦେଶ କଂଗ୍ରେସ କମିଟିର ସଭ୍ୟ ଭାବେ ଦାୟିତ୍ବ ତୁଲାଉଥିଲେ। ୨୦୦୭ରେ ତାଙ୍କ ପତ୍ନୀ ରାଣୀ ପଦ୍ମାବତୀ ଦେବୀ କାଦୁଆ ପଞ୍ଚାୟତରୁ ସମିତିସଭ୍ୟା ଭ‌ାବେ ନିର୍ବାଚିତ ହୋଇ ବ୍ଲକ୍ ଅଧ୍ୟକ୍ଷା ହୋଇଥିଲେ।
ତାଙ୍କ ବିୟୋଗରେ ବ୍ଲକ୍ କଂଗ୍ରେସ ସଭାପତି ବିଦ୍ୟାଧର ପ୍ରଧାନ, ପୂର୍ବତନ ବିଧାୟକ ଡମ୍ବରୁଧର ସେଠୀ, ପୂର୍ବତନ ପିସିସି ସଭ୍ୟ ଚରଣ ବେହେରା, ପଞ୍ଚାନନ ରଥ, ରୁଷି ସାହୁ, ମନୋଜ କୁମାର ସାହୁ, ସୀମାଞ୍ଚଳ ବିଷୋୟୀ, ଦେବୀ ବିଷୋୟୀ, ଭଗବାନ ଦଳବେହେରା, ଧୋବା ପରିଚ୍ଛା, ବାବୁ ରାଓ, ମହେନ୍ଦ୍ର କୁମାର ପଣ୍ଡା ଓ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର