ଭୁବନେଶ୍ବର: ଶିଳ୍ପପତି ସ୍ବର୍ଗତ ଆର୍‌. ଏନ୍‌. ପଟ୍ଟନାୟକଙ୍କ ପତ୍ନୀ ସରୋଜିନୀ ପଟ୍ଟନାୟକଙ୍କ ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୮୫ବର୍ଷ ହୋଇଥିଲା। କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ଜଟିଳତାରେ ପୀଡ଼ିତା ସରୋଜିନୀ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ହେବାରୁ ପରିବାର ଲୋକ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠା‌ରେ ଚିକିତ୍ସାଧୀନ ଅବସ୍ଥା‌ରେ ଗତକାଲି ଦିନ ପ୍ରାୟ ୧୦ଟା ୫୦ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁଅ ସରୋଜ ପଟ୍ଟନାୟକଙ୍କ ସମେତ ଦୁଇ ଝିଅ ମାମୁନି ମହାନ୍ତି ଓ ମୁନିଆ ମହାନ୍ତି, ଦୁଇ ଜ୍ବାଇଁ କଲ୍ୟାଣ ମହାନ୍ତି ଓ ତପନ କୁମାର ଉପସ୍ଥିତ ଥିଲେ। ପରିବାର ସଦସ୍ୟ ନିରଞ୍ଜନ ପଟ୍ଟନାୟକ, ସୌମ୍ୟରଂଜନ ପଟ୍ଟନାୟକ, ଅଖିଳେନ୍ଦ୍ର ପଟ୍ଟନାୟକ, ସୁରେନ୍ଦ୍ର ପଟ୍ଟନାୟକ, ଦେବେନ୍ଦ୍ର ପଟ୍ଟନାୟକ, ପୂର୍ବତନ ବିଧାୟକ ଜିତେନ୍ଦ୍ର ପଟ୍ଟନାୟକ, ପ୍ରଦ୍ୟୋତ ମହାନ୍ତି, ବନ୍ଧୁ ଓ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବକ୍ତି ସେଠାରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୁଅ ସରୋଜ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।

Advertisment

ସ୍ବର୍ଗତ ପଟ୍ଟନାୟକ ଅତ୍ୟନ୍ତ ଶାନ୍ତ ସ୍ବଭାବର ମଣିଷ ଥିଲେ। ସାଧାରଣ ଲୋକଙ୍କୁ ଭଲ ପାଇବା ଓ ସାହାଯ୍ୟ ସହଯୋଗ କରିବାରେ ତାଙ୍କୁ ଆନନ୍ଦ ମିଳୁଥିଲା। ସେ ଦୀର୍ଘଦିନ ଧରି ରାଜ୍ୟ ସତ୍ୟସାଇ ମହିଳା ବିଭାଗର ଆଧ୍ୟାତ୍ମିକ ସଂଯୋଜିକା ଭାବେ କାର୍ଯ୍ୟ କରିଥିଲେ।