ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ, ଲେଖକ ତଥା ସ୍ତମ୍ଭକାର ଡ. ଜୀମୂତ ବାହାନ ମଙ୍ଗରାଜ (୬୩) ଆଉ ନାହାନ୍ତି। ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ତା‌ଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କର ଏମିତି ଅଚାନକ ପରଲୋକ ଖବର ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ରାତି ପ୍ରାୟ ୮ଟା ବେଳେ ସେ ଏକ ସ୍କୁଟିରେ ଜାତୀୟ ରାଜପଥ ୧୬ରେ ଖୋର୍ଦ୍ଧାସ୍ଥିତ ନିଜ ଗାଁରୁ ଭୁବନେଶ୍ବର ବାସସ୍ଥାନକୁ ଫେରୁଥିବା ବେଳେ ଯାଁଳା ମେଡିକାଲ୍ ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେବା ସହ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର୍ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଶ୍ରୀ ମଙ୍ଗରାଜଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

୨୦୧୩ରେ ଡ. ମଙ୍ଗରାଜଙ୍କ ପତ୍ନୀ ସୁ‌ଲେଖିକା ଜ୍ୟୋତ୍ସ୍ନା ରାଉତରାୟଙ୍କର ମଧ୍ୟ ପର‌ଲୋକ ହୋଇଯାଇଥିଲା। ଏବେ ବାପାଙ୍କ ମୃତ୍ୟୁ ପରେ ପୁଅ ଅମୃତ ମଙ୍ଗରାଜ ଓ ଝିଅ ଋତୁପର୍ଣ୍ଣା ମଙ୍ଗରାଜ ଏକୁଟିଆ ହୋଇଯାଇଛନ୍ତି।

ଶ୍ରୀ ମଙ୍ଗରାଜ ତାଙ୍କ ମାଆଙ୍କୁ ଔଷଧ ଦେବା ଲାଗି ରବିବାର ଦିନ ନିଜ ଗାଁ ଜଙ୍କିଆ ନିକଟସ୍ଥ ସରପାରିକୁ ଯାଇଥିଲେ। ସେଠାରୁ ସେ ଅପରାହ୍ଣ ପ୍ରାୟ ସାଢେ ୫ଟା ବେଳେ ଭୁବନେଶ୍ବର ବାହାରିଥିଲେ l ତେବେ ବାଟରେ ଯେ ତାଙ୍କୁ ମୃତ୍ୟୁ ଛକି ବସିଥିଲା, ତାହା ସେ ଜାଣି ନଥିଲେ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଯାଁଳା ଫାଣ୍ଡିର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ି, ମୋବାଇଲ୍ ଓ ଆଇକାର୍ଡରୁ ତାଙ୍କୁ ଚିହ୍ନଟ କରିଥିଲା। ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସ ଜରିଆରେ ଶ୍ରୀ ମଙ୍ଗରାଜଙ୍କ ଶରୀରକୁ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଲକ୍‌ଡାଉନ୍ ଯୋଗୁଁ ସ୍ଥାନୀୟ ଦୋକାନ ବଜାର ବନ୍ଦ ଥିବା‌ବେଳେ ଦୁର୍ଘଟଣା ପରେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୁଲିସ୍ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜୁଛି।

୧୯୮୧ ମସିହାରୁ ପିଟିଆଇର ସମ୍ବାଦଦାତା ଭାବେ ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିବା ଶ୍ରୀ ମଙ୍ଗରାଜ ପ୍ର‌ାୟ ଚାରି ଦଶନ୍ଧି ଧରି ଓଡ଼ିଶାର ସାମ୍ବାଦିକତା ଜଗତରେ ସକ୍ରିୟ ଥିଲେ। ‘ସମ୍ବାଦ’, ‘ସମାଜ’, ‘ପ୍ରଜାତନ୍ତ୍ର’ ଭଳି ଓଡ଼ିଶାର ଅଗ୍ରଣୀ ଖବରକାଗଜରେ ସେ ବରିଷ୍ଠ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଭିତ୍ତିକ ସମ୍ବାଦପତ୍ର ‘ଲାଇଫଲାଇନ୍’ ଏବଂ ସାପ୍ତାହିକ ରାଜନୈତିକ ସମ୍ବାଦପତ୍ର ‘ନେତା’ ପ୍ରକାଶ କରି ଏହାର ସଂପାଦନା ଦାୟିତ୍ବ ତୁଲାଇଥିଲେ। ରାଜନୀତି ବିଜ୍ଞାନ, ଓଡ଼ିଆ ଭାଷା ସାହିତ୍ୟ, ସାମ୍ବାଦିକତା ଓ ଗଣଯୋ‌ଗାଯୋଗ ଏବଂ ଏମ୍‌ବିଏ ଆଦି ଡିଗ୍ରି ପ୍ରାପ୍ତ ଶ୍ରୀ ମଙ୍ଗରାଜ ‘ମୁହାଁମୁହିଁ’, ‘ଆସେମ୍ଲି ଜୋକ୍‌ସ’, ‘ଗୁମର କଥା’, ‘କ୍ୟାପିଟାଲ ଡାଏରୀ’, ‘ପଲିଟିକାଲ ଡାଏରୀ’ ଭଳି ବେଶ୍ କେତୋଟି ଚର୍ଚିତ ରାଜନୈତିକଧର୍ମୀ ପୁସ୍ତକ ରଚନା କରିଥିଲେ। ପରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିଅର ଉପରେ ଏକ ବିଶାଳ ପୁସ୍ତକ ‘ବିଜୁ ବିଜୁ ବିଜୁ’ର ସଂପାଦନା କରିଥିଲେ। ଏହି ପୁସ୍ତକରେ ବିଜୁ ବାବୁଙ୍କ ସଂପର୍କ‌ରେ ବହୁ ଅଜଣା ତଥ୍ୟ ଏବଂ ଅନେକ ବିରଳ ଫଟୋ ସ୍ଥାନିତ ହୋଇଥିଲା।

ଶ୍ରୀ ମଙ୍ଗରାଜଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ଲେଖକ ଗୌରହରି ଦାସ, ଅସିତ ମହାନ୍ତି, ରାଜ୍ୟ ଗଣମାଧ୍ୟମ ଉ‌ପଦେଷ୍ଟା ମାନସ ମଙ୍ଗରାଜ, ଓୟୁଜେର ସଭାପତି ପ୍ରସନ୍ନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଦିଲୀପ ହାଲି, ଡ. ବିଜୟାନନ୍ଦ ସିଂହ ପ୍ରମୁଖ ‌ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧିତ ଖବର