ଭଟଲି: ବିଶିଷ୍ଟ ଗୀତିକାର କ୍ଷିତିପତି ସାହୁଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ପାର୍ଥିବ ଶରୀର ନିଜ ଗାଁ ଭଟଲି କେଶେଇପାଲିକୁ ଅଣାଯାଇ ଏକ ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା। ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁ ପରିଜନ, ଛାତ୍ର ଗାଁରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ଶ୍ରବଣ ସାହୁ ମୁଖାଗ୍ନି ଦେଇଥିଲେ। ସେ ତାଙ୍କ ପଛରେ ପତ୍ନୀ ଚନ୍ଦ୍ରକାନ୍ତି ସାହୁ, ତିନି ପୁଅ ଶ୍ରବଣ, ଉତ୍ପଳ ଓ ସୋମଦତ୍ତ ଏବଂ ଝିଅ ଲାବଣ୍ୟବତୀଙ୍କ ସହ ଜ୍ବାଇଁ, ପୁତ୍ରବଧୂ, ନାତି ନାତୁଣୀଙ୍କ ଛାଡ଼ି ଯାଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
ଅବସରପ୍ରାପ୍ତ ଶିକ୍ଷକ, ଆକାଶବାଶୀ ଗୀତିକାର, ନାଟ୍ୟକାର ତଥା ଚିତ୍ରଶିଳ୍ପୀ କ୍ଷତିପତି ସାହୁ ୧୯୩୯ ମସିହା ଜାନୁଆରି ୨୯ ତାରିଖ କେଶେଇପାଲିଠାରେ ପିତା କହ୍ନେଇ ସାହୁ ଓ ମାତା ଋକ୍ମଣୀ ସାହୁଙ୍କ ଓୗରସରୁ ଜନ୍ମ ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ପରିବାର ସହିତ ଭଟଲି ନିକଟ କୁଶନପୁରୀ ଠାରେ ରହୁଥିଲେ। ସ୍ବର୍ଗତ ସାହୁ ଭଟଲି ହାଇସ୍କୁଲ ସମେତ ହଣ୍ଡାସଂକ୍ରୀ, କଟାପାଲି, ସୁକୁଡ଼ା ସ୍କୁଲରେ ଶିକ୍ଷକତା କରିଥିଲେ। ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ବର୍ଗତ ସାହୁ ପିଲାଦିନରୁ କଳା-ସଂସ୍କୃତି ପ୍ରତି ଆକୃଷ୍ଟ ହୋଇଥିଲେ। ନାଟକ କଳାପାହାଡ଼, ମାଣିକ ଯୋଡ଼ି, ବୈରାଗୀର ସଂସାର ପ୍ରଭୃତିରେ ନିଖୁଣ ଅଭିନୟ କରି ଜଣେ ସଫଳ ମଂଚ କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ପ୍ରଥମ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ରେ ତାଙ୍କ ରଚିତ ଗୀତ ଖୁବ୍ ଆଦୃତି ଲାଭ କରିଛି। ତାଙ୍କ ଦ୍ବାରା ରଚିତ ଶତାଧିକ ସମ୍ବଲପୁରୀ ଗୀତକୁ ନେଇ ପୁସ୍ତକ ‘‘ଦହନାମାଲ’’ ପ୍ରକାଶ ପାଇଛି।
ତାଙ୍କ ରଚିତ ଅନ୍ୟ ସମସ୍ତ ଗୀତ, ଜଣାଣ, ଭଜନ, ନାଟକ ଓ ଗଳ୍ପ ଆଦିକୁ ସ୍ଥାନିତ କରି ପୁସ୍ତକ ପ୍ରକାଶ ଅପେକ୍ଷା ରହିଛି। ସ୍ବର୍ଗତ ସାହୁ ଆକାଶବାଣୀ ସମ୍ବଲପୁର ଓ ଜୟପୁରର ସ୍ବୀକୃତିପ୍ରାପ୍ତ ଗୀତିକାର ଥିଲେ।
ଆକାଶବାଣୀରେ ପ୍ରଚାରିତ ତାଙ୍କ ରଚିତ ଗଢନ୍ ଥିଲେ କାଁ କର୍ ବ ଚଲନ୍ ନାଇଁ ଥିଲେରେ, ଲୁକ୍ ଲୁକ୍ ଲୁକ୍ କୁମ୍ଭାଟି, ରୂପ ଥିଲେ କାଏଁ ପେଟ୍ ଭରସି ପ୍ରଭୃତି ଜନାଦୃତ ହୋଇଛି।
ଏହାଛଡ଼ା ସେ ଜଣେ ଜଣାଶୁଣା ଚିତ୍ରକର ହୋଇଥିବାବେଳେ ଫଟୋଗ୍ରାଫିରେ ମଧ୍ୟ ବିଶେଷ ରୁଚି ରଖିଥିଲେ। କାଠ ମୂର୍ତ୍ତି ଓ ମୋଡେଲ ପ୍ରଭୃତି ତିଆରି କରୁଥିଲେ।
ସମ୍ମାନ ଓ ସମ୍ବର୍ଦ୍ଧନା: ସ୍ବର୍ଗତ ସାହୁ ୨୦୧୩ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରଦତ୍ତ ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହା ବ୍ୟତୀତ, ବରଗଡ଼ ଜିଲ୍ଲା ଲୋକ ମହୋତ୍ସବ, ସମ୍ବଲପୁର ଲୋକ ମହୋତ୍ସବ, ବିଶିପାଲି ଶ୍ରୀଧର ସାହିତ୍ୟ ସଂସଦ, ଘେଁସର ଅନୁଷ୍ଠାନ, ବରଗଡ଼ ସୋସିଆଲ କ୍ଲବ ଓ ନବରତ୍ନ ଟେଲିଭିଜନ ସମେତ ବିଭିନ୍ନ ଅନଷ୍ଠାନ ପକ୍ଷରୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/15-12.jpg)