ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ‌ରୋଗୀଙ୍କ ମୃତ୍ୟୁ, ରାଜଧାନୀରେ ଅସ୍ତ୍ରୋପଚାର ପୂର୍ବରୁ ଆଖି ବୁଜିଲେ

ଭୁବନେଶ୍ବର : ଚଳିତ ମାସ ୧୦ ତାରିଖରେ ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ବ୍ଲାକ୍ ଫଙ୍ଗସ୍‌ ରୋଗୀଙ୍କର ଶନିବାର ମୃତ୍ୟୁ ହୋଇଯାଇଛି। ଅପରାହ୍‌ଣରେ ତାଙ୍କର କାର୍ଡିଆକ୍ ଆରେଷ୍ଟ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଉଛି। ମାତ୍ର ଘରୋଇ ହସ୍ପିଟାଲ କର୍ତୃପକ୍ଷ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ସ୍ବାସ୍ଥ୍ୟ ବିଭାଗ ଏହି ଘଟଣା ଉପରେ ନଜର ରଖିଥିବା ଜଣାପଡ଼ିଛି।

ମୃତକଙ୍କ ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଅପରାହ୍‌ଣରେ ରୋଗୀଙ୍କ ମୃତ୍ୟୁ ସଂପର୍କରେ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ଗତ ସୋମବାରଠାରୁ ତାଙ୍କର ଚିକିତ୍ସା ଜାରି ରହିଥିଲା। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତକଙ୍କ ଶବକୁ ହସ୍ପିଟାଲ ପକ୍ଷରୁ ହସ୍ତାନ୍ତର କରାଯାଇ ନାହିଁ। ରୋଗୀ ଜଣକ କୋ-ମର୍ବିଡ ବା ଜଟିଳ ରୋଗରେ ଆକ୍ରାନ୍ତ ଥିଲେ। ଆଜି ତାଙ୍କର ଅସ୍ତ୍ରୋପଚାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ତାହା ପୂର୍ବରୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ହସ୍ପିଟାଲ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଏ ସଂପର୍କିତ ରିପୋର୍ଟ ପ୍ରଦାନ କରିବା ପରେ ହିଁ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ସ୍ପଷ୍ଟ ହେବ।

ପୂର୍ବରୁ ରାଜ୍ୟ ସରକାର ଏହି ଘଟଣାକୁ ରାଜ୍ୟର ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ବୋଲି ସ୍ପଷ୍ଟ କରିଥିଲେ। ମାତ୍ର କୋଭିଡ ହସ୍ପିଟାଲ ଆଇସିୟୁ ବଦଳରେ ସଂପୃକ୍ତ ରୋଗୀ ଜଣକ ଘରେ ଚିକିତ୍ସିତ ହେଉଥିବାରୁ ଏହାକୁ ହସ୍ପିଟାଲ ଜନିତ ବ୍ଲାକ୍ ଫଙ୍ଗସ୍ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ରୋଗୀ ଜଣକ ଘରେ କୁଲର ବ୍ୟବହାର କରୁଥିବାରୁ କୁଲରରେ ଥିବା ପୁରୁଣା ପାଣି ଓ ବେଣା ଚେରରୁ ହୁଏତ ଫଙ୍ଗସ୍ ତାଙ୍କ ଶରୀରକୁ ଆସିଥାଇପାରେ ବୋଲି କୁହାଯାଇଥିଲା। ଅପରକ୍ଷରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବ୍ଲାକ୍ ଫଙ୍ଗସ୍‌ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଉପରେ ନଜର ରଖିବା ଲାଗି ଏକ ୭ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ଇଏନ୍‌ଟି, ଭେଷଜ, ଛାତିରୋଗ, ସ୍ନାୟୁରୋଗ ଓ ଅନ୍ୟ ବିଭାଗର ଡାକ୍ତର ରହିଛନ୍ତି। ରାଜ୍ୟରେ ଏବେସୁଦ୍ଧା ୪ରୁ ଅଧିକ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ଥିବା ବ୍ୟକ୍ତି ରାଜଧାନୀର ଏକାଧିକ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ହେଁ, ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଯାଏ ଏସବୁ ରୋଗୀ ସଂପର୍କରେ ସ୍ପଷ୍ଟ କରାଯାଇନାହିଁ। ସେମାନଙ୍କ ଏକାଧିକ ପରୀକ୍ଷା ରିପୋର୍ଟ ଅପେକ୍ଷା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର