ଭଞ୍ଜନଗର/ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାରରେ ଶନିବାର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଜଣକ ହେ‌ଲେ, ବେଲଗୁଣ୍ଠା ବ୍ଲକ୍ ନୂଆତନରଡ଼ା ଗ୍ରାମର ଗଙ୍ଗା ବେହେରାଙ୍କ ପୁଅ ଚରଣ ବେହେରା (୪୦)। ଆଜି ସକାଳେ ଚରଣଙ୍କୁ ସେଲ୍ ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ। ହୃଦ୍‌ଘାତ କାରଣରୁ ଚରଣଙ୍କ ମୃତ୍ୟୁ ହୋଇଥିବା ନେଇ ଜେଲ୍ ଅଧୀକ୍ଷକ ଦଣ୍ଡପାଣି ପାତ୍ର ସୂଚନା ଦେଇଥିଲେ। କିନ୍ତୁ ଜେଲ୍ ଭିତରେ ଚରଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ପରିବାରବର୍ଗ ଅଭିଯୋଗ ଆଣି ହୋହଲ୍ଲା କରିବାରୁ ଡାକ୍ତରଖାନା ପରିସର‌ରେ ବହୁ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର୍,ଏସ୍‌ଆଇ କେଶବ ଷଡ଼ଙ୍ଗୀ ଓ ମନସ୍ବିନୀ ମହାନ୍ତି ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଥିଲେ। ଭଞ୍ଜନଗର ପୁଲିସ କେସ୍ ନମ୍ବର ୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରିଥିଲା। ତେବ‌େ ପୁଣି ସନ୍ଧ୍ୟା ୫ଟାରୁ ପରିବାରବର୍ଗ ଏବଂ ଗ୍ରାମବାସୀ ନ୍ୟାୟ ଏବଂ କ୍ଷତିପୂରଣ ପ୍ରଦାନ ଦାବିରେ ତନରଡ଼ା ଗ୍ରାମରରେ ଭଞ୍ଜନଗର-ଭୁବନେଶ୍ବର ମୁଖ୍ୟରାସ୍ତା ଉପରେ ଚରଣଙ୍କ ଶବକୁ ରଖି ଅବରୋଧ କରି ରଖିଛନ୍ତି। ରାତି ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନବାହନ ଅଟକି ରହିଛି। ବେଲଗୁଣ୍ଠା ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର, ବେଲଗୁଣ୍ଠା ଥାନା ଏସ୍‌ଆଇ ଅଭୟ ପ୍ରଧାନ, ନାରାୟଣ ସ୍ବାଇଁ, ମହେଶ୍ବର ବେହେରା, ସରପଞ୍ଚ ଅନୀଲ ପାଠୀ ଓ ସମିତିସଭ୍ୟ ପ୍ରତିନିଧି ଅଯୋଧ୍ୟାନାଥ ବେହେରା ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ, ସମାଧାନର ବାଟ ବାହାରିନି।

Advertisment

ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଚରଣଙ୍କ ୩ ସନ୍ତାନ ଥିବା ବେଳ‌େ ସେ ଗ୍ରାମ ଛକ ନିକଟରେ ଚିକେନ୍ ଦୋକାନ କରିଥିଲେ। ବେଲଗୁଣ୍ଠା ଥାନା ଭଗବତପାଟଣାରେ ଏକ ଦୋକାନରୁ ଚୋରି ମାମଲା (କେସ୍ ନମ୍ବର ୩୦୧)ରେ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ ତାଙ୍କୁ ଚଳିତମାସ ୧୨ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଭଞ୍ଜନଗର ସ୍ବତନ୍ତ୍ର ସବ୍‌ଜେଲ୍‌କୁ ପଠାଯାଇଥିଲା। ସେଠାରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ପରିବାରବର୍ଗଙ୍କ ଅଭି‌ଯୋଗକୁ ଜେଲ୍ ଅଧୀକ୍ଷକ ଶ୍ରୀ ପାତ୍ର ଖଣ୍ଡନ କରିଛନ୍ତି। ଗତକାଲି ଚରଣ ହଠାତ୍ ଅସୁସ୍ଥ ‌ହୋଇ ପଡ଼ିବାରୁ ଜେଲ୍ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ। କିନ୍ତୁ ଆଜି ସକା‌ଳେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ହୃଦ୍‌ଘାତରୁ ଚରଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଥିବା ପୁଲିସ ମଧ୍ୟ ସମାନ କଥା ଦୋହରାଇଛି।