ଶ୍ବଶୁର ଘରକୁ ଆସୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥର ଦଳଦିଆପଦର ଓଭରବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଯୁବକଙ୍କ ନାମ ଏସ୍ ନିରଞ୍ଜନ ରେଡ୍ଡୀ। ସେ ଗତକାଲି ରାତିରେ ନିଜ ଗାଁ ଛତ୍ରପୁରର କାଳିପଲ୍ଲୀରୁ ସ୍କୁଟିରେ ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠାରସିଂହରେ ଥିବା ଶ୍ବଶୁର ଘରକୁ ଆସୁଥିବା ବେଳେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି।

୧୬ ନମ୍ବର ଜାତୀୟ ରାଜପଥର ଦଳଦିଆପଦର ଓଭରବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାୟ ବର୍ଷେ ତଳେ ନିରଞ୍ଜନଙ୍କର ବାହାଘର ହୋଇଥିଲା। ପୁଲିସ୍ ଖବର ପାଇ ଘଟଣାସ୍ଥଳରୁ ଏସ୍ ନିରଞ୍ଜନ ରେଡ୍ଡୀଙ୍କର ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ଗତ ମାସକ ଭିତରେ ଏଭଳି ୮ଜଣଙ୍କର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି। ଏହି କାରଣରୁ ଦଳଦିଆପଥର ଓଭରବ୍ରିଜ୍ ମରଣଯନ୍ତା ପାଲଟିଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର