୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ମାମଲା : ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ରାୟଗଡ଼ା ଜିଲା ଗୁଣୁପୁର ଅଞ୍ଚଳରେ ଗୁଣିଗାରେଡ଼ି ସନ୍ଦେହରେ ଏକ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ ମାମଲାର ଆଜି ହାଇକୋର୍ଟ‌େର ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଏସ୍‌.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ୍‌ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।

୨୦୧୬ ମସିହା ସେପ୍ଟେମ୍ବର ମାସରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ପଞ୍ଚାୟତରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିଲା। ଗୁଣିଗାରେଡ଼ି ସନ୍ଦେହରେ ଅସୀମ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଆଶାମଣି ଶବରଙ୍କୁ ପିଟି ପଟି କେତେକ ବ୍ୟକ୍ତି ଅଧମରା କରି ଦେଇଥିଲେ। ଝିଅ ପାଟିରେ କୀଟନାଶକ ଇଞ୍ଜେକସନ୍ ଭର୍ତ୍ତି କରି ମୃତପ୍ରାୟ କରି ଦେଇଥିଲେ। ଆସାମୀମାନେ ଜୀବନ ଥାଉ ଥାଉ ବାପା-ମା ଓ ଝିଅ ୩ଜଣଙ୍କୁ ଗାଁ ଶ୍ମଶାନରେ ଗାତ ଖୋଳି ମାଟି ତଳେ ପୋତି ଦେଇଥିଲେ। ଏହି ଘଟଣାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୃଶ୍ୟର ଜଣେ ମାତ୍ର ସାକ୍ଷୀ ରହିଥିଲେ ପୀଡିତ ପରିବାରର ସାନ ଝିଅ। ତାଙ୍କୁ ମଧ୍ୟ ଦୁଇ ଦିନ ଧରି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ନଜରବନ୍ଦୀ କରି ରଖାଯାଇଥିଲା। କୌଶଳକ୍ରମେ ସେ ଗାଁରୁ ଖସି ଆସିବାରୁ ଘଟଣା ଲୋକଲୋଚନକୁ ଆସିଥିଲା।

୨୦୧୬ ମସିହା ସେପ୍ଟେମ୍ବର ମାସ ୧୬ରେ ପୁଲିସ ତଦନ୍ତ ଆରମ୍ଭ କରି ଶ୍ମଶାନରୁ ହାଡ ଓ ପାଉଁଶ ଜବତ କରି ପରୀକ୍ଷା ପାଇଁ ପଠାଇଥିଲା। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲା। ପୁଲିସ ଏହି ମାମଲାରେ ୧୦ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିଲା। ଚାର୍ଜସିଟ ଦାଖଲ ପରେ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି ଗୁଣପୁର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଆରମ୍ଭ ହୋଇଥିଲା। ୨୦୧୮ ମସିହା ଏପ୍ରିଲ ମାସ ୧୩ତାରିଖରେ ଗୁଣପୁର ଅତିରିକ୍ତ ଦୌରାଜଜ୍ ଅଦାଲତ ୯ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ସାଇଣ୍ଟିଫିକ୍ ରିପୋର୍ଟ ସହ ପ୍ରତ୍ୟକ୍ଷଦର୍ଶୀଙ୍କ ଓ ୧୧ଜଣଙ୍କ ବୟାନକୁ ଆଧାର କରି ଅଦାଲତ ଏହି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ।

ମୃତ୍ୟୁଦଣ୍ଡାଦେଶ ରାୟ ଅନୁମୋଦନ ସଂପର୍କିତ ମାମଲା ହାଇକୋର୍ଟରେ ଦାୟର ହୋଇଥିବାବେଳେ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ଅଭିଯୁକ୍ତଙ୍କ ପକ୍ଷରୁ ଅପିଲ ରୁଜୁ କରାଯାଇଥିଲା। ଉଭୟ ମାମଲାର ଏକତ୍ର ଶୁଣାଣି ଚାଲିଥିଲ। ଆଜି ହାଇକୋର୍ଟରେ ମାମଲାର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରହିଛି।

ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ କ୍ୟୁରୀ ଆଇନଜୀବୀ ରତିକାନ୍ତ ମହାପାତ୍ର ଓ ଏଜିଏ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର