ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଅଭିଯୁକ୍ତକୁ ଫାଶୀ ଦଣ୍ଡ

କଟକ : ବହୁଚର୍ଚ୍ଚିତ ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ମହମ୍ମଦ ମୁସ୍ତାକକୁ ଅଦାଲତ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। କଟକ ତୃତୀୟ ଅତିରିକ୍ତ ଦୌରାଜଜ୍ ତଥା ଚିଲ୍‌ଡ୍ରେନ୍‌ସ୍ କୋର୍ଟ ବିଚାରପତି ବନ୍ଦନା କର ମାମଲାର ଶୁଣାଣି କରି ଆଇପିସିର ଦଫା ୩୦୨, ୩୭୬ଏବି, ୩୬୩ ଓ ପୋକ୍‌ସୋ ଆଇନର ଧାରା ୬ରେ ମୁସ୍ତାକକୁ ଗତକାଲି ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆଜି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଆଇପିସିର ଦଫା ୩୦୨ରେ ଫାଶୀ ଦଣ୍ଡ, ୩୭୬ଏବି’ରେ ଫାଶୀଦଣ୍ଡ ଓ ଦଫା ୩୬୩ରେ ୭ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ଘଟଣା ଘଟିବା ଦିନ କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବାବେଳେ ଲାଷ୍ଟ ସିନ୍ ଥିଓରି (ଶେଷଥର ପାଇଁ ଦେଖାଦେଇଥିବା)ର ଏହି ମାମଲାରେ ଗୁରୁତ୍ବ ରହିଛି। ଘଟଣା ପୂର୍ବରୁ ଆସାମୀକୁ ପୀଡ଼ିତାଙ୍କ ସହିତ ଦେଖିବାକୁ ମିଳିଥିବା ନେଇ ତଦନ୍ତରୁ ଓ ଅଦାଲତରେ ସାକ୍ଷ୍ୟ ଗ୍ରହଣରୁ ପ୍ରମାଣ ମିଳିଥିଲା। ଘଟଣା ଦିନ ଆ‌ସାମୀକୁ ପୀଡ଼ିତା ସହିତ ଶେଷଥର ଦେଖିଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ଆସାମୀକୁ ଏକୁଟିଆ ଫେରୁଥିବା ଦେଖିଥିଲେ। ଏଥିସହିତ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣର ମଧ୍ୟ ଏହି ମାମଲାରେ ଗୁରୁତ୍ବ ରହିଛି। ପୀଡ଼ିତାଙ୍କ ରକ୍ତଦାଗ ଆସାମୀର ପିନ୍ଧା ବସ୍ତ୍ରରୁ ମିଳିଥିଲା ଓ ଡିଏନ୍‌ଏ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଥିଲା। ଆଇପିସିର ଧାରା ୩୭୬ରେ ସଂଶୋଧନ ଓ ନୂତନ ଅଧ୍ୟାଦେଶକୁ ଭିତ୍ତି କରି ଏହି ଘଟଣାଟି ଓଡ଼ିଶାର ପ୍ରଥମ ଦୁଷ୍କର୍ମ ମାମଲା ଭାବେ କ୍ରାଇମ୍‌ବ୍ରାଞ୍ଚ ସେତେବେଳେ ଗ୍ରହଣ କରିଥିଲା। ମାମଲାକୁ ରେଡ୍‌ ଫ୍ଲାଗ୍‌ ମାନ୍ୟତା ଦିଆଯାଇଥିଲା। ମାମଲା ପରିଚାଳନା ପାଇଁ କଟକର ଅଭିଜ୍ଞ ଆଇନଜୀବୀ ଅକ୍ଷୟ କୁମାର ନାୟକଙ୍କୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଭାବେ ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା। ନୂତନ ସଂଶୋଧିତ ଆଇନ ଆସିବା ପରେ ଏପରି ମାମଲାରେ ଫାଶୀ ଦଣ୍ଡ ଘଟଣା କଟକରେ ପ୍ରଥମ ବୋଲି ସୂଚନା ମିଳିଛି।

ଘଟଣାର ୧୭ ମାସ ମଧ୍ୟରେ ପ୍ରକା‌ଶିତ ଏହି ରାୟକୁ ନେଇ ପୀଡ଼ିତାଙ୍କ ପରିବାର, ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଓ ବିଭିନ୍ନ ସଂଗଠନ ସନ୍ତୋଷବ୍ୟକ୍ତ କରିଛନ୍ତି। ମାମଲାର ରାୟ ପ୍ରକାଶ ପାଇବା ପରେ ପୀଡ଼ିତାଙ୍କ ବାପା ଇଫତେଖାନ୍ ଅହମ୍ମଦ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାତି ଦିନ ସେ ଶୋଇ ପାରୁ ନଥିଲେ। ଆଜି ଦୋଷୀକୁ ଫାଶୀ ଦଣ୍ଡାଦେଶ ପ୍ରଦାନ ପରେ ଖୁସି ଲାଗୁଛି। ଏଭଳି ଘଟଣା ଆଉ କାହା ସହିତ ନ ଘଟୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ମୁସ୍ତାକର ମା’ ସୟଦା ବିବି କହିଛନ୍ତି ଯେ ନ୍ୟାୟ ପାଇବା ପାଇଁ ଉପର କୋର୍ଟରେ ଆବେଦନ କରାଯିବ।

ସେଦିନର ଘଟଣା:
୨୦୧୮, ଏପ୍ରିଲ ୨୧ ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଫୋଗଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁ କନ୍ୟା ରାବେୟା ବସିର ସହିତ ଦୁଷ୍କର୍ମ ହୋଇଥିଲା। ସେହି ରାତି ପ୍ରାୟ ସାଢେ ସାତଟା ବେଳେ ଘରୁ ଚକୋଲେଟ୍‌ କିଣିବାକୁ ପୀଡ଼ିତା ବାହାରକୁ ବାହାରିଥିଲା। ହେଲେ, ସେ ସମୟରେ ପାଵାରକଟ୍‌ ହୋଇଥିବାରୁ ଏହାର ସୁଯୋଗ ନେଇ ପଡ଼ିଶା ଘରର ମହମ୍ମଦ ମୁସ୍ତାକ୍‌ ଚକୋଲେଟ୍‌ ପ୍ରଲୋଭନ ଦେଖାଇ ନିକଟସ୍ଥ ସ୍କୁଲ୍‌ ଘରକୁ ପୀଡ଼ିତାକୁ ଟେକି ନେଇଥିଲା। ସେଠାରେ ପୀଡ଼ିତା ସହିତ ଦୁଷ୍କର୍ମ କରିବା ପରେ ସେ ମାରିଦେବାକୁ ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯିବା ସହ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପୁଲିସ୍‌ ଅଭିଯୁକ୍ତ ମୁସ୍ତାକ୍‌କୁ ଗିରଫ କରିଥିଲା। ପ୍ରଥମେ ଆଇପିସିର ଦଫା ୩୦୭, ୩୭୬ ସହ ପୋକ୍‌ସୋ ଆଇନ୍‌ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ୨୦୧୮, ଏପ୍ରିଲ ୨୯ରେ ଚିକିତ୍ସିତ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ପୁରୁଣା ମାମଲାରେ ହତ୍ୟା ଅଭିଯୋଗ (ଦଫା ୩୦୨) ଯୋଡ଼ା ଯାଇଥିଲା। ମାମଲା ରୁଜୁ ହେବାର ମାତ୍ର ୨୧ ଦିନ ମଧ୍ୟରେ ୨୦୧୮, ମେ’ ୧୦ରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ୫୦୦ ପୃଷ୍ଠାର ଚାର୍ଜସିଟରେ ପୀଡ଼ିତା ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ରାଜ୍ୟ ଫରେନ୍‌ସିକ ସାଇନ୍ସ ଲାବେ୍ରାଟାରିରୁ ଆସିଥିବା ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡିଏନ୍‌ଏ ଟେଷ୍ଟ ରିପୋର୍ଟ, ପୀଡିତାଙ୍କ ଚିକିତ୍ସା ସଂପର୍କିତ ରିପୋର୍ଟ ରହିଥିଲା। କୋର୍ଟରେ ଏହି ମାମଲାର ବିଚାର ସମୟରେ ଅନୁଧ୍ୟାନ କରିବାକୁ ସାଲେପୁର ଥାନା ଇନ୍ସପେକ୍ଟର ତଥା ମାମଲାର ତଦନ୍ତକାରୀ ଅଧିକାରୀ(ଆଇଓ)ଦେବେନ୍ଦ୍ର କୁମାର ମଲ୍ଲିକଙ୍କୁ ହୋଲ୍‌ଡିଂ ଆଇଇଓ ଭାବେ ନିଯୁକ୍ତ କରାଯାଇଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ପୀଡ଼ିତାଙ୍କ ପରିବାର ସଦସ୍ୟ, ଗ୍ରାମବାସୀ ଚିକିତ୍ସା କରିଥିବା ଡାକ୍ତର, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର, ସାଇଣ୍ଟିଫିକ୍ ଅଫିସର, ତଦନ୍ତକାରୀ ଅଧିକାରୀଙ୍କ ସମେତ ୨୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ ‌ହୋଇଥିଲା।

ସମ୍ବନ୍ଧିତ ଖବର