କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ରେ ଏକାଧିକ ପଞ୍ଚାୟତରେ ଉଠୁଛି ମଲା ଲୋକଙ୍କ ନାମରେ ଚାଉଳ। ପ୍ରାୟ ୨୬୭ ଜଣ ମୃତକଙ୍କ ନାମରେ ମାସମାସ ଧରି ଚାଉଳ ଉଠିଛି। ‌ସୋସିଆଲ ଅଡିଟ୍‌ରୁ ଏହା ଜଣାପଡ଼ିବା ପରେ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଛି। ସୂଚନା ଅନୁସା‌ରେ, ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ କେନ୍ଦୁଝର ସଦର ବ୍ଲକ୍‌ରେ ମୋଟ ୨୬୭ ଜଣ ଭୂତ ହିତାଧିକାରୀ ଚାଉଳ ଉଠାଇଛନ୍ତି। ମଇଦାନକେଲ, ପର୍ଜନପୁର, କାଉଁରିକଳା, କଣ୍ଡରାପଶି, ରଘୁନାଥପୁର, ରାଇସୁଆଁ, ବରଦାପାଳ, ଜନାର୍ଦ୍ଦନପୁର, ମହାଦେଇଯୋଡ଼ା, ନୂଆଗାଁ, ବାଉରିପଦା, ପଳାଶପଙ୍ଗା ଭଳି ପଞ୍ଚାୟତରେ ଏହି ୨୬୭ ଜଣ ଭୂତ ହିତାଧିକାରୀ ବର୍ଷବର୍ଷ ଧରି ଚାଉଳ ନେଇଛନ୍ତି। ବାଉରିପଦା ପଞ୍ଚାୟତର ଦୁଇଟି ଉଦାହରଣ ନିଆଯାଉ। ଏହି ପଞ୍ଚାୟତ ଅନ୍ତର୍ଗତ କୁଶପଡ଼ା ଗାଁର ସୁନାଫୁଲ କାରୁଆଙ୍କ ନାମରେ ରାସନ କାର୍ଡ ରହିଛି। ଏହି କାର୍ଡରେ ୫ ଜଣଙ୍କ ନାମ ଥିବାବେଳେ ସୁନାଫୁଲଙ୍କର ୨୦୨୨ ମେ ୨୦ ତାରିଖରେ ମୃତ୍ୟୁ ହୋଇଛି। ଏହା ପରେ ୮ ମାସ ପର୍ଯ୍ୟନ୍ତ ସେ ରାସନ ଚାଉଳ ପାଉଥିଲେ। ତାଙ୍କ ନାମରେ ମୋଟ ୫୫ କିଲୋ ଚାଉଳ ଉଠାଯାଇଛି। 

Advertisment

ସେହିପରି ବାଉରିପଦା ପଞ୍ଚାୟତ ବନମାଳୀପୁର ଗ୍ରାମର ମଦନ ମହାନ୍ତଙ୍କ ରାସନ କାର୍ଡରେ ତାଙ୍କ ପରିବାରର ୪ଜଣ ସଦସ୍ୟଙ୍କ ନାମ ରହିଛି। ୨୦୨୨ ମେ ୮ ତାରିଖରେ ଏହି କାର୍ଡରେ ସାମିଲ ଥିବା କୌଶଲ୍ୟା ମହାନ୍ତଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ ଡିସେମ୍ବର ମାସ ପର୍ଯ୍ୟନ୍ତ ତାଙ୍କ ନାଁରେ ଚାଉଳ ଉଠୁଥିଲା। ରଘୁନାଥପୁର ପଞ୍ଚାୟତର ଧକୋଠା ଗ୍ରାମର ବାସିନ୍ଦା ହେଉଛନ୍ତି ମାଳତୀ ମହାନ୍ତ। ତାଙ୍କ ନାମରେ ରାସନ କାର୍ଡ ଥିବାବେଳେ ଏଥିରେ ତିନିଜଣ ସଦସ୍ୟ ସାମିଲ ଅଛନ୍ତି। ଏଥିମଧ୍ୟରୁ ମନୋହର ମହାନ୍ତଙ୍କର ୨୦୨୧ ମେ ମାସ ୧୮ ତାରିଖରେ ମୃତ୍ୟୁ ହୋଇଛି। ଏହାପରେ ମଧ୍ୟ ତାଙ୍କ ନାମରେ ୨୫୦ କେଜି ଚାଉଳ ପ୍ରଦାନ କରାଯାଇଛି। ସେହିପରି କାଠବାରି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର କାଞ୍ଚନ ମହାକୁଡ଼ଙ୍କ ରାସନ କାର୍ଡରେ ପରିବାରର ୨ ଜଣ ସଦସ୍ୟ ସାମିଲ ଅଛନ୍ତି। କାଞ୍ଚନଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ନାମରେ ୪୫୦ କିଲୋ ଚାଉଳ ଉଠିଛି। ଏହିଭଳି ଭାବେ ମୋଟ ୨୬୭ ଜଣ ଭୂତ ହିତାଧିକାରୀଙ୍କ ନାମରେ ଚାଉଳ ଉଠିଛି। 

ପୂର୍ବରୁ ରାଇକଳା, ଡିମ୍ବୋ ଓ ନରଣପୁର ପଞ୍ଚାୟତରେ ମୃତବ୍ୟକ୍ତିଙ୍କ ନାମରେ ଚାଉଳ ଉଠିବା ସଂପର୍କ‌ରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଯୋଗାଣ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ଏ ନେଇ ଗତ ମେ ୩୧ ତାରିଖରେ ଯୋଗାଣ ଅଧିକାରୀ ଅଜୟ ରଥ ଉଭୟ ନରଣପୁର ଓ ରାଇକଳା ପଞ୍ଚା‌ୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରିଥିଲେ। ତତ୍କାଳୀନ ବିଡିଓ ତିଳୋତ୍ତମା ପୃଷ୍ଟି ତିନିଜଣ ପିଇଓଙ୍କୁ ଦାୟୀ କରି ସେମାନଙ୍କଠାରୁ ଅର୍ଥ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ।