ରଙ୍ଗଶାଳା ଭଙ୍ଗକୁ ବିରୋଧ କଲେ ସରପଞ୍ଚ ଓ ସମର୍ଥକ
ପୁଲିସ- ରୂପେଶଙ୍କ ସମର୍ଥକ ମୁହାଁମୁହିଁ
ମାଜିଷ୍ଟ୍ରେଟ୍ଙ୍କ ସହ ୩ ପ୍ଲାଟୁନ୍ ଫୋର୍ସ ମୁତୟନ
ଯାଜପୁର/ଧର୍ମଶାଳା : ଧର୍ମଶାଳା ବ୍ଲକ୍ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପୂର୍ବରୁ ମାଟିରେ ମିଶିଛି ବହୁଚର୍ଚ୍ଚିତ ରଙ୍ଗଶାଳା। ଯେଉଁଠି ଦିନେ ନେତା, ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆସର ଜମୁଥିଲା ଆଜି ସେହି କୋଠାରେ ବୁଲ୍ଡୋଜର ବୁଲିଛି। ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୂପେଶ ଭଦ୍ର ଏବେ ଜେଲ୍ରେ। ତେବେ ରୂପେଶଙ୍କ ସରପଞ୍ଚ ପତ୍ନୀ ମଧୁସ୍ମିତା ଭଦ୍ର ଓ ସମର୍ଥକମାନେ ଆଜି ରଙ୍ଗଶାଳା ଭଙ୍ଗକୁ ବିରୋଧ କରିବାରୁ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ରଙ୍ଗଶାଳାର ଶୋଭାବର୍ଦ୍ଧନ କରୁଥିବା ମୂଲ୍ୟବାନ ଆସବାବପତ୍ରକୁ ପଦାକୁ ବାହାର କରାଯିବା ପରେ ପ୍ରଶାସନ ନିର୍ଦ୍ଦେଶରେ ବୁଲ୍ଡୋଜର ଚଳାଇ ଏହାକୁ ଭାଙ୍ଗି ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ବିବାଦୀୟ ରଙ୍ଗଶାଳା (ଗେଷ୍ଟ ହାଉସ୍)ରେ ପିଇଓ ସ୍ମିତାରାଣୀଙ୍କ ଗତ ଅକ୍ଟୋବର ୧୬ତାରିଖରେ ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାକୁ ଉଚ୍ଛେଦ କରିବା ପାଇଁ ଅକ୍ଟୋବର ୨୪ ତାରିଖରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଥିଲେ। ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଏହି ରଙ୍ଗଶାଳାର ଚାରିକାନ୍ଥ ଭିତରେ ଲୁଚି ରହିଥିବାରୁ ଏହାକୁ ଭାଙ୍ଗିଲେ ତଦନ୍ତରେ ବାଧା ଉପୁଜିବାର ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଲୋଡ଼ା ଯାଇଥିଲା। ସବୁଆଡୁ ସବୁଜ ସଂକେତ ମିଳିବା ଗତକାଲି ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କୁ ରଙ୍ଗଶାଳା ଭଙ୍ଗ ପାଇଁ ନୋଟିସ ଦିଆଯାଇଥିଲା। ପରେ ଆଜି ବୁଲ୍ଡୋଜର ବୁଲାଯାଇ ଏହାକୁ ଭାଙ୍ଗି ଦିଆଯାଇଛି।
ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଆଜି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ନେତୃତ୍ବରେ ରାଜସ୍ବ କର୍ମଚାରୀ ୩ପ୍ଲାଟୁନ୍ ଫୋର୍ସ ସହିତ ରଙ୍ଗଶାଳା ନିକଟରେ ପହଞ୍ଚିଥିଲେ। ତେବେ ରଙ୍ଗଶାଳା ଭଙ୍ଗକୁ ରୂପେଶଙ୍କ ପତ୍ନୀ ତଥା ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ଭଦ୍ର ଓ ତାଙ୍କ ଭାଇ ରାଜେଶ ଭଦ୍ରଙ୍କ ନେତୃତ୍ବରେ ଶତାଧିକ ସମର୍ଥକ, ଆଖପାଖର କେତେକ ଲୋକପ୍ରତିନିଧି ବିରୋଦ କରିଥିଲେ। ମାତ୍ର ପ୍ରଶାସନର ଦୃଢ଼ ନିଷ୍ପତ୍ତି ନିକଟରେ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ପ୍ରତିବାଦର ସ୍ବର ଅଧିକ ସମୟ ତିଷ୍ଠି ପାରିନଥିଲା। ରଙ୍ଗଶାଳାରୁ ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ଓ ସୌଖୀନ୍ ସାମଗ୍ରୀ ନନେଲେ ସବୁ ଭାଙ୍ଗି ଚୁରମାର୍ କରିଦିଆଯିବ ବୋଲି ପ୍ରଶାସନ ଘୋଷଣା କରିଥିଲା। ଶେଷରେ ସରପଞ୍ଚ ପରିବାର ଓ ସମର୍ଥକମାନେ ରଙ୍ଗଶାଳାରୁ ସମସ୍ତ ଆସବାବପତ୍ର ଖୋଲି ନେବା ପରେ ଏହାକୁ ଭାଙ୍ଗି ଦିଆଯାଇଛି। ଆଜିର ଏହି ଉଚ୍ଛେଦରେ ଧର୍ମଶାଳା ତହସିଲଦାରଙ୍କୁ ସହାୟତା ପାଇଁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାଣଚନ୍ଦ୍ର ଧଳ, ଧର୍ମଶାଳା ତହସିଲର ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଶୀତଲ ଅଗ୍ରୱାଲ, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତି, ଅତିରିକ୍ତ ତହସିଲଦାର ଅଭିଲିପ୍ସା ଦାସ ସାମିଲ ହୋଇଥିଲେ। ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ କଳିଙ୍ଗନଗର ଅତିରିକ୍ତ ଏସ୍ପି ରାଜକିଶୋର ଦୋରା ଓ ଭବାନୀ ଶଙ୍କର ପଟ୍ଟନାୟକ, ଯାଜପୁର ଏସଡିପିଓ ଚିନ୍ମୟ ନାୟକ, ନିକଟସ୍ଥ ଥାନାଗୁଡ଼ିକର ଅଧିକାରୀ ଓ ୩ପ୍ଲାଟୁନ୍ ଫୋର୍ସ ଭାଗ ନେଇଥିଲେ। ୨/୩ଘଣ୍ଟା ମଧ୍ୟରେ ୨ଟି ବୁଲଡୋଜର ଓ ଜେସିବି ମେସିନ ଦ୍ବାରା ଏହି ଦୁଇ ମହଲା ବିଶିଷ୍ଟ ରଙ୍ଗଶାଳାକୁ ମାଟିରେ ମିଶାଇ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/rangasal-bkm3.jpg)