ପୁରୁଷୋତ୍ତମପୁର: ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କୁ ହତ୍ୟା ଧମକ ଦିଆଯିବା ନେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ତଦନ୍ତ କରି ତିନି ଅଭିଯୁକ୍ତ ଠିକାଦାରଙ୍କୁ ଗିରଫ କରିଛି। ଗିରଫ ଠିକାଦାରମାନେ ହେଲେ ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ କପିଳେଶ୍ୱରପୁର ଶାସନର ଆଶିଷ କୁମାର ମହାପାତ୍ର ଓ ତାଙ୍କ ବାପା ନାରାୟଣ ପ୍ରସାଦ ମହାପାତ୍ର ଏବଂ  ନନ୍ଦିକସାହିର ଦୀପକ କୁମାର ଗୌଡ଼।

Advertisment

ସେମାନଙ୍କ ଜାମିନ କୋର୍ଟରେ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ରାଜେଶ କୁମାର ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ମାସ ପ୍ରଥମ ସପ୍ତାହରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଧସେଇ ପଶି ବିଲ୍‌ ଅଟକାଇଲେ ପ୍ରାଣରେ ମାରିଦେବାକୁ ଏହି ତିନି ଠିକାଦାର ନିବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କୁ ଧମକ ଦେଇଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ଦଣ୍ଡସେନାଙ୍କୁ ହତ୍ୟା ଧମକ ଦେବା ସହ ଅଫିସରେ ଆତଙ୍କ ସୃଷ୍ଟି କରିଥିଲେ। ଏନେଇ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମପୁର ଥାନାରେ ତିନି ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣା ଦିନ ଅଫିସର ସିସିଟିଭି ଫୁଟେଜ୍‌ ଆଧାରରେ ତିନି ଅଭିଯୁକ୍ତ ଠିକାଦାରଙ୍କୁ ଗିରଫ କରିଥିଲା।