ଭୁବନେଶ୍ୱର: ଚୀନରୁ ସୃଷ୍ଟି ହୋଇ କ୍ରମଶଃ ଅନ୍ୟ ଦେଶକୁ ବ୍ୟାପୁଥିବା ‘କରୋନା ଭାଇରସ’ ସଂକ୍ରମଣ ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ସହ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି। କରୋନାଭାଇରସ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି।

Advertisment

publive-image

ସେହିଭଳି ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। କଟକର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍, ବୁର୍ଲାସ୍ଥିତ ଭିଏସଏସ୍ ମେଡିକାଲ କଲେଜ ଓ ହସ୍ପିଟାଲ୍, ଝାରସୁଗୁଡ଼ା ହସ୍ପିଟାଲ୍ ଓ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ‘କରୋନା ଭାଇରସ’ ସଂଦିଗ୍ଧ ରୋଗୀଙ୍କ ଲାଗି  ସ୍ୱତନ୍ତ୍ର ଓ୍ଵାର୍ଡ ପ୍ରସ୍ତୁତି, ଜଣେ ନୋଡ଼ାଲ ଅଫିସର ନିଯୁକ୍ତି ଓ ଚିକିତ୍ସା କମିଟି ଗଠନ ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ପାରାଦୀପ ବନ୍ଦର ଓ ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ତାଗିଦ କରିଛି ସ୍ୱାସ୍ଥ୍ୟ ବିଭାଗ।

publive-image

ସୂଚନାଯୋଗ୍ୟ, କରୋନା ଭାଇରସ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁକ୍ରବାରଦିନ ଦେଶର ବିଭିନ୍ନ ବିମାନବନ୍ଦରରେ ପ୍ରାୟ ୪୦୮୨ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୯୬ଟି ବିମାନରେ ଆସିଥିବା ପ୍ରାୟ ୨୦,୮୪୪ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଗତକାଲି ୬୦ଟି ବିମାନରେ ଆସିଥିବା ପ୍ରାୟ ୧୨,୮୨୮ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଦେଶରେ କୌଣସି ଲୋକଙ୍କଠାରେ କରୋନାଭାଇରସ ଚିହ୍ନଟ କରାଯାଇନାହିଁ। କିନ୍ତୁ ୩ ଜଣ ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।