ଦଶମନ୍ତପୁରରେ ଝାଡ଼ାବାନ୍ତି; ପୁଣି ଜଣେ ମୃତ, ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ୨୨ ଜଣ ଆକ୍ରାନ୍ତ

କୋରାପୁଟ: ଦଶମନ୍ତପୁର ବ୍ଲକରେ ପୁଣି ଆଜି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏମାନେ ହେଲେ ଏହି ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା ପଞ୍ଚାୟତ ଅଧିନସ୍ଥ ଛତା ଆମ୍ବ ଗ୍ରାମର । ସୂଚନା ମୁତାବକ ଗତକାଲି ଅପରାହ୍ନରେ ଛେରୁ ଜାନୀଙ୍କ ସ୍ତ୍ରୀ ଡମୁଣି ଜାନୀ (୪୦)ଙ୍କୁ ହଠାତ୍ ଝାଡ଼ା ଓ ବାନ୍ତି ହୋଇଥିଲା। ସାଙ୍ଗେ ସାଙ୍ଗେ ତାଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ପ‌େରେ ତାଙ୍କୁ କୋରାପୁଟସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ଶ୍ରୀରାମ ପରିଡ଼ା ଏହି ସୂଚନା ଦେଇଛନ୍ତି।

ଏହି ଖବର ପରେ ଆଜି ପୂର୍ବାହ୍ନରେ ଡକ୍ଟର ପରିଡ଼ା ଛତାଆମ୍ବ ଗାଁ ରେ ଯାଇ ଗୁରୁତର ଥିବା ଜଣକୁ ଆମ୍ବୁଲାନ୍ସ ଗାଡ଼ିରେ ନିଜେ ଆଣି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ। ଏବଂ ଅନ୍ୟମାନଙ୍କୁ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଠାରେ ରଖି ସାଲାଇନ୍ ଦେବା ସହ ଔଷଧ ପତ୍ର ଦେଉଥିବା ଡକ୍ଟର କହିଛନ୍ତି। ସେହି ଗାଁର ଆକ୍ରାନ୍ତମାନଙ୍କ ମଧ୍ୟରୁ ତାରା ମୁଦୁଲି, ଫଗୁଣି ମୁଦୁଲି, ମଧୁ ମୁଦୁଲି, ଗୁଞ୍ଜ ଜାନୀ, ବାଳାଇ ଜାନୀ ପ୍ରମୁଖ ଆକ୍ରାନ୍ତ ଥିବା ବେଳେ ଲୁଲା ପଞ୍ଚାୟତ ଅଧିନସ୍ଥ ଗୁଲିମୂଷା ଗାଁର ଗୈାରା ନାୟକ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ଜଣାପଡିଛି। ବର୍ତ୍ତମାନ ଦଶମନ୍ତପୁର ବ୍ଲକରେ ଝାଡ଼ାବାନ୍ତିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବ୍ଲକରେ ଝାଡ଼ା-ବାନ୍ତି ଦ୍ବାରା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ସୂଚନାରୁ ଜଣାପଡିଛି।

ସେପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଝାଡ଼ାବାନ୍ତି ନିୟନ୍ତ୍ରଣ ପାଇଁ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଛି। ଛତାଆମ୍ବ ଗାଁରେ ଡ଼ାକ୍ତରୀ ଦଳ ପହଞ୍ଚି ଲୋକଙ୍କୁ ହାଲୋଜିନ୍ ବଟିକା, ଓଆର୍‌ଏସ୍ ଦେଇ ସଚେତନତା କରୁଛନ୍ତି। ଝାଡ଼ାବାନ୍ତିର ମୁଖ୍ୟ କାରଣ ହେଉଛି ପାନୀୟ ଜଳ ସମସ୍ୟା ଓ ଦୂଷିତ ପରିବେଶ । ଦୂଷିତ ପାଣି ବ୍ୟବହାର କରି ଏହି ଝାଡ଼ାବାନ୍ତିର ଶିକାର ହେଉଥିବା ଗ୍ରାମବାସୀ ଓ ସ୍କୁଲ ଶିକ୍ଷକ ପ୍ରକାଶ କରିଛନ୍ତି।

ସେପଟେ ଝାଡ଼ା ବାନ୍ତିରେ ଜଣଙ୍କ ମୃତ୍ୟୁ ଓ ଆକ୍ରାନ୍ତ ଖବର ପାଇ ଦଶମନ୍ତପୁର ବ୍ଲକରୁ କଂଗ୍ରେସ କର୍ମୀମାନେ ଛତାଆମ୍ବ ଗ୍ରାମରେ ଯାଇ ମୃତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଆସାୟୀ ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ପାନୀୟ ଜଳର ସମସ୍ୟା ଓ ବିପର୍ଯ୍ୟସ୍ତ ପରିବେଶ ଯୋଗୁଁ ଲୋକେ ଝାଡ଼ା ବାନ୍ତି ରୋଗରେ ପଡୁଛନ୍ତି। ଏଥିପାଇଁ ପ୍ରଶାସନିକ ଅଧିକାରୀ ଓ ଶାସକ ଦଳର ନେତା ମାନେ ଦାୟୀ ବୋଲି ଜିଲ୍ଲା ପରିଷଦ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରଶାସନର ଦେଖା ନ ଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର