କାଶୀପୁରରେ ଥମୁନି ଝାଡ଼ାବାନ୍ତି: ଗଡ଼ିଲା ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

୪୦ରୁ ଊର୍ଦ୍ଧ୍ବ  ଆକ୍ରାନ୍ତ, ଥୁଟିବର ସେବାଶ୍ରମର ୧୧ ଛାତ୍ରୀଙ୍କୁ ଝାଡ଼ାବାନ୍ତି

ରାୟଗଡ଼ା/କାଶୀପୁର: କାଶୀପୁରରେ ଆଜି ଆଉ ଏକ ମୁଣ୍ଡ ନେଇଛି ଝାଡ଼ାବାନ୍ତି। ଅପରାହଣରେ ବ୍ଲକର ଶଙ୍କରଡ଼ା ପଞ୍ଚାୟତ ପାଞ୍ଚାଳୀ ଗାଁର ଅଗ‌ାଧୁ ଗରଡ଼ାଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ୪୦ରୁ ଉର୍ଧ୍ବ ଆକ୍ରାନ୍ତ ଟିକିରି, ରାୟଗଡ଼ା ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଧୀରେ ଧୀରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବା ବେଳେ ଟିକିରି ଥୁଟିବର ସେବାଶ୍ରମର ୧୧ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ଝାଡ଼ାବାନ୍ତି ଗୋଟିଏ ପରେ ଗୋଟିଏ ଗାଁକୁ ମାଡ଼ି ଚାଲିଥିବାରୁ ଏହାର କାରଣ ଖୋଜିବାକୁ ଟିକିରିରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍। ଯୁଗ୍ମ ନିର୍ଦେଶକ ବସନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ଆସିଥିବା ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଦୂଷିତ ପାଣି, ଅଖାଦ୍ୟ ସେବନ ନା ଅନ୍ୟ ‌କେଉଁ କାରଣ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ତାକୁ ନେଇ ଯାଞ୍ଚ କରୁଛି ଟିମ୍।

ସେହିପରି ଜିଲ୍ଲାପାଳ ସ୍ବଧା ଦେବ ସିଂ ଆକ୍ରାନ୍ତ ଗାଁ, ମେଡ଼ିକାଲ୍ ପରିଦର୍ଶନ କରି ମୃତକ ଓ ଆକ୍ରାନ୍ତଙ୍କ ସଂପର୍କୀୟ ସହ ଆଲୋଚନା କରିଛନ୍ତି। ଟିକିରି ଝୋଡ଼ିଆ ସାହି, ଦୁଡୁକାବାହଲ, ଶଙ୍କରଡ଼ା ଗସ୍ତ କରି ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଧିକାଂଶ ଗାଁରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦେଖି ବିଗିଡ଼ିଥିଲେ ଜିଲ୍ଲାପାଳ। ଟିକିରି ଝୋଡ଼ିଆ ସାହି ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ।  ଦୁଡୁକାବାହଲବାସୀ ପାନୀୟ ଜଳ ପାଇଁ ବ୍ୟବହାର କରୁଥିବା କୂଅକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ଜିଲ୍ଲାପାଳ। ସୌରଚାଳିତ ଡୁଆଲ ପମ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଦିନ ଭିତରେ  କାର୍ଯ୍ୟକାରୀ ନହେଲେ ଏ ସଂପର୍କରେ ଅବଗତ କରିବାକୁ ନାଏବ ସରପଞ୍ଚଙ୍କୁ କହିଛନ୍ତି ଜିଲ୍ଲାପାଳ। ଆକ୍ରାନ୍ତ ସଂଖ୍ୟା ବଢ଼ିବା ପରେ ଦୁଡୁକାବାହଲ ସମେତ ଅନ୍ୟ ଗାଁରେ ଥିବା ଜଳ ଉତ୍ସ ଓ ନଳକୂପ ଗୁଡ଼ିକୁ ବିଶୋଧନ କରାଯାଇଛି। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦେବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

 

ସମ୍ବନ୍ଧିତ ଖବର