କାଶୀପୁରରେ ମୁଣ୍ଡ ଗୋଟାଉଛି କଲେରା; ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୪୪ ଆକ୍ରାନ୍ତ ଚିକିତ୍ସାଧୀନ

କାଶୀପୁର,୩୦/୭(ଇମିସ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗୋଟାଇ ଚାଲିଛି ମାରାତ୍ମକ କଲେରା। ଆଜି ପୁଣି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହାଡ଼ିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଟିକିରାପଡ଼ା ଗାଁର ଗୁରୁବାରି‌ ଦୋରା ବୋଲି ସୂଚନା ମିଳିଛି। ଏହାପରେ କଲେରା ଜନିତ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।
କଲେରାରେ ଆକ୍ରାନ୍ତ ଗୁରୁବାରିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତ ୨୨ତାରିଖରେ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଚିକିତ୍ସା ସତ୍ତ୍ବେ ଅବସ୍ଥାରେ କୌଣସି ସୁଧାର ଆସି ନଥିଲା। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗତ ୨୭ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କେଉଁ କାରଣରୁ ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି ଜାଣିବା ପାଇଁ ଡାକ୍ତର ବିଭିନ୍ନ ପରୀକ୍ଷା କରିଥିଲେ। ଶେଷରେ କିଡ୍‌ନିରେ ସମସ୍ୟା ଥିବା ରିପୋର୍ଟ ମିଳିଥିଲା। ଏହାପରେ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର କହିଥିଲେ। କିନ୍ତୁ ପରିବାର ଲୋକ ଆକ୍ରାନ୍ତଙ୍କୁ କୋରାପୁଟ ନେବା ପରିବର୍ତ୍ତେ ନିଜ ଘରକୁ ନେଇ ଆସିଥିଲେ। ତେବେ ଆଜି ସକାଳେ ଗୁରୁବାରି ଦୋରାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି।

ସରକାରୀ ହିସାବରେ ଆଜି ସୁଦ୍ଧା‌ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୦ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩ଶହରୁ ଊର୍ଦ୍ଧ୍ବ ଜଣ ଆକ୍ରାନ୍ତ ହୋଇ ସାରିଲେଣି ଏବଂ ୩୭୫ ଗାଁକୁ ସର୍ଭେଲାନ୍ସରେ ରଖାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ ଜଣ, ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ ଜଣ, ଉତ୍କଳ ହସ୍‌ପିଟାଲରେ ୨୬ଜଣ ଏଭଳି ମୋଟ ୪୪ ଜଣ ଡାଇରିଆ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଉଛି। ସରକାରୀ ରିପୋର୍ଟ ଠାରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗର ସତର୍କତା ଏବଂ ବ୍ୟାପକ ସଚେତନତା ସତ୍ତ୍ୱେ କାଶୀପୁରରେ ଆକ୍ରାନ୍ତ ସଂଖ୍ୟା ବଢ଼ିବା ଉଦ୍‌ବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି। ଯଦି ଶୀଘ୍ର ପରିସ୍ଥିତିରେ ସୁଧାର ନ ଆସିବ ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଡାଇରିଆ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା କାଶୀପୁର ଗସ୍ତ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର