କାଶୀପୁରରେ କଲେରା: ଗଡ଼ିଲା ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

୯୬ ଆକ୍ରାନ୍ତ, ୬ ପଞ୍ଚାୟତକୁ ବ୍ୟାପିଲାଣି ସଂକ୍ରମଣ

ରାୟଗଡ଼ା: କାଶୀପୁରରେ ଘାତକ ହେବାରେ ଲାଗିଛି ଭିବ୍ରିଓ କଲେରା। ବ୍ଲକର ୨୮ ପଞ୍ଚାୟତରୁ ୬ ପଞ୍ଚାୟତକୁ ବ୍ୟାପିଲାଣି ଏହି ମାରାତ୍ମକ ଭୂତାଣୁ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବ୍ୟାପୁଥିବା ବେଳେ ଆଜି ଆଉ ଏକ ମୁଣ୍ଡ ନେଇଛି କ‌ଲେରା। ସୋମବାର ରାତିରେ ନକଟିଗୁଡ଼ା ପଞ୍ଚାୟତ ସାନମାଟିକଣା ଗ୍ରାମର ଡାଲମି ମାଝି (୬୦)ଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ସଂଖ୍ୟା ୯୬କୁ ଛୁଇଁଛି। ସେମାନଙ୍କ ମଧ୍ୟରୁ ‌୪୭ ମେଡ଼ିକାଲରେ, ୪୧ ଜଣଙ୍କ ଚିକିତ୍ସା ଘରେ ଗ୍ରାମାଞ୍ଚଳ ମେଡ଼ିକାଲ୍ ଟିମ୍ ଦ୍ବାରା ଚାଲିଛି। ଜଣେ ଆକ୍ରାନ୍ତଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଭିବ୍ରିଓ କଲେରା ଭୂତାଣୁ ଚିହ୍ନଟ ପରେ କାଶୀପୁର ବ୍ଲକର ଦୁଡୁକାବାହଲ ପଞ୍ଚାୟତ ସର୍ବାଧିକ ସଂକ୍ରମିତ ହୋଇଛି। ଏହି ପଞ୍ଚାୟତରୁ ୨ ଜଣଙ୍କ ମୃତ୍ୟୁ ସହ ୪୪ ଜଣ ଆକ୍ରାନ୍ତ ହେଲେଣି। ଗତକାଲି ରାତିରେ ଗ୍ରାମର ଡାଲମି ମାଝି ଏବଂ ଏହା ପୂର୍ବରୁ ସବିତା ନାଏକଙ୍କ ମୃତ୍ୟୁ ହୋଇଥିଲା। ଡାଲମି ସଂଧ୍ୟାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ୨/୩ ଥର ଝାଡ଼ା ହେବା ପରେ ପରିବାର ଲୋକ ମେଡ଼ିକାଲ୍ ଆଣୁଥିବା ସମୟରେ ଡାଲମିଙ୍କ ମୃତ୍ୟୁ ହୋଇଥିଲା। ଏଥି ସହିତ ଦୁଡୁକାବାହଲ ପଞ୍ଚାୟତ ତୋଟାଗୁଡା ଗ୍ରାମରେ ଗତକାଲି ରାତିରେ ବାମିନି ମାଝି (୫୨) ଙ୍କ ମୃତ୍ୟୁ ହୋଇଛି। ବାମିନି କଲେରା ନୁହଁ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପରିବାର ଲୋକ କହିଛନ୍ତି। ଦୁଡୁକାବାହଲ ପଞ୍ଚାୟତରୁ ଆରମ୍ଭ ହୋଇଥିବା କଲେରା ସଂକ୍ରମଣ ପରବର୍ତ୍ତୀ ସମୟରେ ଟିକିରି, ଶଙ୍କରଡ଼ା, ପଞ୍ଚାଳି, ମାଇକଞ୍ଚ ଓ ନକଟିଗୁଡ଼ାକୁ ବ୍ୟାପିଛି। ଭୂତାଣୁ ବ୍ୟାପିଥିବା ୬ଟି ପଞ୍ଚାୟତ ମଧ୍ୟରୁ ୫ଟିରେ ମେଡ଼ିକାଲ୍ ଟିମ୍ ପକ୍ଷରୁ ସବ୍ ସେଣ୍ଟର୍ ଖୋଲାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବିଶେଷଜ୍ଞ, ମେଡ଼ିକାଲ୍ ଟିମ୍, ଜଳ ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଆକ୍ସନ୍ ମୁଡ଼ରେ କାର୍ଯ୍ୟ ଜାରି ରଖିଛନ୍ତି। ୨/୩ ଦିନ ମଧ୍ୟରେ ମୋବାଇଲ୍ ହେଲଥ୍ ୟୁନିଟ୍, ସବ୍ ସେଣ୍ଟର ଓ ଡାକ୍ତରୀ ଦଳ ସଂଖ୍ୟା ବୃଦ୍ଧି କରିବା ନେଇ ପ୍ରଶାସନ ନକ୍ସା ପ୍ରସ୍ତୁତ କରିଛି।

ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଦୁଡୁକାବାହଲ ପଞ୍ଚାୟତରୁ ୪୪, ଟିକିରି ପଞ୍ଚାୟତରୁ ୩୪, ଶଙ୍କରଡ଼ା ପଞ୍ଚାୟତରୁ ୯, ପାଞ୍ଚାଳିରୁ ୪, ମାଇକଞ୍ଚ ପଞ୍ଚାୟତରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟିକିରି, କାଶୀପୁର, ଉତ୍କଳ ଆଲୁମିନା ଉଷାପଡ଼ା ମେଡ଼ିକାଲରେ  ୪୭ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ପ୍ରଭାବିତ ଗାଁରୁ ପରୀକ୍ଷଣ ପାଇଁ ସଂଗ୍ରହ ହୋଇଥିବା ଜଳ ଓ ମଳ ନମୁନା ରିପୋର୍ଟରେ କଲେରା ସ୍ପଷ୍ଟ ହେବା ପରେ ସ୍ଥିତି ନିୟନ୍ତ୍ରଣ ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର। ହେଲପ ଲାଇନ୍ ନଂ ଜାରି କରି ଗ୍ରାମ୍ୟସ୍ତରରେ ସଚେତନତା ସୃଷ୍ଟି ‌ସହ ଅଧିକ ଟେଷ୍ଟିଂକୁ ଗୁରୁତ୍ବ ଦେଇଛନ୍ତି।

 

ସମ୍ବନ୍ଧିତ ଖବର