ବରଗଡ଼: ଜିଲ୍ଲା ପୁଲିସ୍ର ରେକର୍ଡରେ ହତ୍ୟା ପରିସଂଖ୍ୟାନ ବଢ଼ିଛି। ଗତ ତିନି ମାସ ଭିତରେ ୬ଜଣଙ୍କ ମୁଣ୍ଡ ଗଡ଼ିଛି। ସହର ହେଉକି ଗ୍ରାମାଞ୍ଚଳ, ହତ୍ୟା ଭଳି ସଂଗିନ ମାମଲା ବଢ଼ୁଥିବାରୁ ଲୋକଙ୍କ ମନରେ ଆତଙ୍କ ବଢ଼ିଛି। ବିଶେଷକରି ପାରିବାରିକ କହଳ ଏବଂ ନିଶା ପାଇଁ ହତ୍ୟାକାଣ୍ଡ ଘଟୁଛି। ଯାହାକି ଏକ ବଡ଼ ସାମାଜିକ ସମସ୍ୟା ଭାବେ ଉଭା ହୋଇଛି। ସବୁଠୁ ଅଧିକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା ଗତ ୨୧ ତାରିଖ। ଗାଁ ଦାଣ୍ଡରେ ପୁତୁରା କାକା ଏବଂ କାକା ପୁଅକୁ ଜଘନ୍ୟ ଭାବେ ହତ୍ୟା କରିଥିଲା। ବରଗଡ଼ ଟାଉନ ଥାନା ପରିସରରେ ଥିବା ରୁହଣିଆ ଗାଁରେ ଏହି ଡବଲ୍ ମର୍ଡର ସମସ୍ତଙ୍କୁ ଚମକାଇ ଦେଇଥିଲା। ବିବାହ ଉତ୍ସବରେ ଦୁଇ ଭାଇଙ୍କ ପାରିବାରିକ ବିବାଦ ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଛି। ଅଭିଯୁକ୍ତ ଗିରଫ ହୋଇଛି, ତଥାପି ଲୋକଙ୍କ ମନରୁ ଏହି ଲୋମ ଟାଂକୁରା ଘଟଣା ଲିଭି ନାହିଁ।
ଗତ ୩ ତାରିଖ ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ ଘଟିଥିଲା ଗୋଟିଏ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର ଶିକାର ହୋଇଥିଲେ ଗଜରାଜ ଭୁଏ। ପୁଲିସ୍ ଏହି ମାମଲାରେ ଅଭିଯୁକ୍ତ ସେହି ଗାଁର ସଦାମନ ବରିହାକୁ ଗିରଫ କରିଛି। ଉଭୟ ଗଜରାଜ ଏବଂ ସଦାମନ ଏକାସାଂଗରେ ମଦ ପିଇବା ପରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସଦାମନ ଘରୁ ଗୋଟିଏ ଠେଙ୍ଗା ଆଣି ଗଜରାଜଙ୍କୁ ପିଟି ଚାଲିଥିଲା। ପ୍ରଚୁର ରକ୍ତସ୍ରାବ ହେବାରୁ ସେ ସେଠାରେ ଟଳି ପଡ଼ିଥିଲେ। ନିଶାରେ ଚୂ ର୍ ଥିବା ଅଭିଯୁକ୍ତ ଏହି କାଣ୍ଡ ଭିଆଇଥିଲା। ମାର୍ଚ୍ଚ ୩୦ ତାରିଖ ସୋହେଲା ଥାନା ଅନ୍ତର୍ଗତ ଛତିଶଗଡ଼ ରାଜ୍ୟ ସୀମାନ୍ତକୁ ଲାଗି ରହିଥିବା ଗ୍ରିଂଜାଲ କଂସଟିକ୍ରାର ଯୁବକଙ୍କୁ ହତ୍ୟା କରାଯାଇଥିଲା। ଗ୍ରିଂଜାଲ କଂସଟିକ୍ରାର ଲଲିତ ସାହୁ (୩୫) ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା ଡୁଙ୍ଗରିପାଲି ଥାନା ପରଧିଆପାଲି ଗ୍ରାମର ୨ଜଣ ଯୁବକଙ୍କ ସହିତ ରାତ୍ରୀକାଳୀନ କ୍ରିକେଟ ମ୍ୟାଚ୍ ଦେଖିବାକୁ ଯାଇଥିଲେ। ମ୍ୟାଚ୍ ଦେଖିବା ପରେ ଲଲିତ ବାଇକରେ ପରଧିଆପାଲିର ଦୁଇ ଯୁବକଙ୍କୁ ଛାଡ଼ିବା ପାଇଁ ଯାଇଥିଲେ। କିନ୍ତୁ ସେ ଆଉ ଫେରିନଥିଲେ।
ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ଏଯାଏ ଏହି ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ଫେବ୍ରୁଆରି ୨୨ ତାରିଖ ଅତାବିରା ବ୍ଲକ୍ ଭୋଇପୁରା ଗାଁରେ ରାଜା ଓରଫ୍ ବିରେନ୍ଦ୍ର ବେହେରା (୧୭)ଙ୍କ ହତ୍ୟା ହୋଇଥିଲା। ଏହି ମାମଲାରେ ପୁଲିସ୍ ଅଭିଯୁକ୍ତ ଭୋଇପୁରା ଟାଂଗରପଡ଼ାର ତ୍ରିଦେବ ଧରୁଆକୁ ଗିରଫ କରିଥିଲା। ଘଟଣା ଦିନ ରାଜା ଏବଂ ତା’ର ବନ୍ଧୁ ଆଶୁତୋଷ ଆଚାର୍ଯ୍ୟ ଭୋଇପୁରା ଗାଁକୁ ଯାଇଥିଲେ। ଆଶୁତୋଷ ନିଜ ସଂପର୍କୀୟଙ୍କ ଘରକୁ ଯାଇଥିଲା। ରାଜା ଏକୁଟିଆ ଥିଲା। ସେ କୌଣସି କାରଣରୁ ପାଟିତୁଣ୍ଡ କରୁଥିଲା। ତାକୁ ଏଥିରୁ ବାରଣ କରିବାକୁ ସେଠାରେ ତ୍ରିଦେବ ପହଂଚିଥିଲା। ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ତ୍ରିଦେବ ଗୋଟିଏ ଲୁହା ରଡ୍ରେ ରାଜାକୁ ମାଡ଼ ମାରିଥିଲା। ଏଥିରେ ରାଜା ସେଠାରେ ଟଳି ପଡ଼ିଥିଲା। ସେହି ମାସ ୨୦ ତାରିଖ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଏକ ନମ୍ବର ୱାର୍ଡରେ ଦିନ ଦ୍ୱିପ୍ରହରରେ ହତ୍ୟାକାଣ୍ଡ ଘଟିଥିଲା। ଡାଲି ବ୍ୟବସାୟୀ କହ୍ନେଇ ସାହୁ(୫୦)ଙ୍କୁ ବରଗଡ଼ ପୁରୁଣା ବ୍ରିଜ ନିକଟରେ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିଲା। ପୁଲିସ୍ ଏହି ମାମଲାରେ ଅନୀଲ ଗଡ଼ତିଆକୁ ଗିରଫ କରିଥିଲା। ଅନୀଲ ଉକ୍ତ ଦିନ କହ୍ନେଇଙ୍କୁ ୫୦ ଟଙ୍କା ମାଗିଥିଲା। ହେଲେ କହ୍ନେଇ ଟଙ୍କା ଦେବାକୁ ମନା କରିବାରୁ ସେ ହତ୍ୟା କରିବାକୁ ପଛାଇନଥିଲା।