ଖୋର୍ଧା-ବାଲୁଗାଁ ରାସ୍ତା ଡେଥ୍‌-ଜୋନ୍‌

ଟାଙ୍ଗୀ (ଖୋର୍ଧା) : ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଧାଠାରୁ ବାଲୁଗାଁ ୭୦ କିଲୋମିଟର ରାସ୍ତା ମରଣଯନ୍ତା ପାଲଟିଛି। ବିଶେଷକରି ଖୋର୍ଧା, ମଳିପଡ଼ା, ଗୋଡ଼ିପଡ଼ା ଛକ, ଚାନ୍ଦପୁର ବାଇପାସ୍‌, ଟାଙ୍ଗୀ ବାଇପାସ୍‌, ଚଣ୍ଡେଶ୍ୱର ଛକ, କୁହୁଡ଼ି ଛକ, କୟଥପଲ୍ଲା ଛକ, ନାଚୁଣୀ ବାଇପାସ୍‌ରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ଘଟୁଥିଲେ ହେଁ ଏଥିପ୍ରତି ଜାତୀୟ ରାଜପଥ କର୍ତୃପକ୍ଷ କିମ୍ବା ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ କୌଣସି ପ୍ରତିକାରମୂଳକ ପଦକ୍ଷେପ ନିଆଯାଉ ନଥିବା ବୁଦ୍ଧିଜୀବୀମହଲରେ ଅଭିଯୋଗ ହେଉଛି। ଏହି ୭୦ କିଲୋମିଟର ରାସ୍ତା ଖୋର୍ଧା, ଜଙ୍କିଆ, ନିରାକାରପୁର, ଟାଙ୍ଗୀ, ଚାନ୍ଦପୁର, ବାଲୁଗାଁ, ବାଣପୁର ଆଦି ୭ଟି ଥାନା ପରିସରଭୁକ୍ତ। କିନ୍ତୁ କୌଣସି ଥାନା ପକ୍ଷରୁ ପାଟ୍ରୋଲିଂ କିମ୍ବା ଟ୍ରାଫିକ୍‌ ବ୍ୟବସ୍ଥାର ତଦାରଖ ପାଇଁ ବିଶେଷ ଧ୍ୟାନ ଦିଆଯାଉନାହିଁ। ଫଳରେ ଏହି ରାଜପଥରେ ଯାଉଥିବା ଗାଡ଼ିମଟର ମନଇଚ୍ଛା ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟୁଛି। ସେହିପରି ରାତ୍ରିକାଳୀନ ପାଟ୍ରୋଲିଂ କରାଯାଉନଥିବାରୁ ଅନେକ ଟ୍ରକ୍‌ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଛନ୍ତି।

ଖୋର୍ଧାଠାରୁ ବାଲୁଗାଁ ମଧ୍ୟରେ ଜାତୀୟ ରାଜପଥରୁ ବିଭିନ୍ନ ଗ୍ରାମ ଓ ସହରକୁ ଯିବା ପାଇଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପକ୍ଷରୁ ରୋଡ୍‌କ୍ରସିଂ ରହିଛି। କିନ୍ତୁ ସେଠାରେ ଅତ୍ୟାବଶକୀୟ ଟ୍ରାଫିକ୍‌ ସିଗ୍‌ନାଲ୍‌ କିମ୍ବା ଟ୍ରାଫିକ୍‌ ପୁଲିସ ମୁତୟନ କରାଯାଇନାହିଁ। ଅପରପକ୍ଷେ ରାଜପଥର ଉଭୟପାର୍ଶ୍ୱରେ ଛତୁ ଫୁଟିଲା ଭଳି ଗଢ଼ି ଉଠିଥିବା ଢାବା, ପେଟ୍ରୋଲ୍‌ ପମ୍ପ୍‌, କ୍ରସର ୟୁନିଟ୍‌ଗୁଡ଼ିକୁ ଯିବା ପାଇଁ ଡିଭାଇଡର୍‌ ଭାଙ୍ଗି ବହୁ ବେଆଇନ ରୋଡ୍‌ କ୍ରସିଂ ତିଆରି କରାଯାଇଛି। ଦୁର୍ଘଟଣା ଘଟିବାର ଏହା ଅନ୍ୟ ଏକ କାରଣ।

ରାତିରେ ବିପରୀତ ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକର ହେଡ୍‌ଲାଇଟ୍‌ ବିକିରଣକୁ ରୋକିବା ପାଇଁ ଡିଭାଇଡର୍‌ରେ କନିଅର ଗଛ ଲଗାଯାଇଛି। ଦୁର୍ଘଟଣା ରୋକିବା ପାଇଁ ଏହି ନିୟମ ବାଧ୍ୟତାମୂଳକ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ କନିଅର ଗଛ ଘଞ୍ଚ ଜଙ୍ଗଲ ଭଳି ଥିବାରୁ ଏଥିରେ ଗାଈଗୋରୁ ରହୁଛନ୍ତି। ସେମାନେ ହଠାତ୍‌ ରାସ୍ତା ଉପରକୁ ପଳାଇ ଆସୁଥିବାରୁ ବିଭିନ୍ନ ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି। ଅଧିକାଂଶ ସ୍ଥାନରେ ଆଦୌ କନିଅର ଗଛ ଲଗା ଯାଇନାହିଁ। କିନ୍ତୁ ଏଥିପ୍ରତି ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନାହିଁ।

ଗୋଟିଏ ପଟେ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଉଦାସୀନତା, ଦାୟିତ୍ୱହୀନତା ତଥା ଖାମଖିଆଲି ମନୋଭାବ ଓ ଅପରପକ୍ଷେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଅଭାବ ଯୋଗୁଁ ଏହି ରାସ୍ତାରେ ବହୁ ଜୀବନ ଅକଳାରେ ଝଡ଼ି ପଡ଼ୁଛି। ସେହିପରି ଅନେକ ସମୟରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାଜପଥକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିବାରୁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଉଚ୍ଚ କର୍ତୃପକ୍ଷ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଏହି ସମସ୍ୟାଗୁଡ଼ିକର ପ୍ରତିକାର ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ତଥା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ପୁଣି ମୁଣ୍ଡ ନେଲା ୧୬ ନମ୍ବର ଜାତୀୟ ରାଜପଥ

ଟାଙ୍ଗୀ (ଖୋର୍ଧା) : ୧୬ ନମ୍ବର ଜାତୀୟ ରାଜପଥର ଚାନ୍ଦପୁର ଥାନା ଅଧୀନ ଚମ୍ପାଗଡ଼ ରୟାଲ ଢାବା ନିକଟରେ ଆଜି ରାତି ପ୍ରାୟ ୮ଟାରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ପଛରେ ବସିଥିବା ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୃତକଜଣଙ୍କ ହେଲେ, ସରୋଜ ମହାନ୍ତି (୪୫)। ଘର ବ୍ରହ୍ମପୁର ଗେଟ୍‌ ବଜାର ଅଞ୍ଚଳରେ। ସେହିପରି ଗୁରୁତର ଆହତ ଯୁବକଜଣଙ୍କ ହେଲେ, ବ୍ରହ୍ମପୁର ତୁଳସୀ ନଗର ୭ ନମ୍ବର ଲେନ୍‌ର ରାଜେଶ ପଣ୍ଡା। ସେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ କାମ କରନ୍ତି। ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଚାନ୍ଦପୁର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାରୁ ପ୍ରକାଶ, ସରୋଜ ଓ ରାଜେଶ ଆଜି ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଚମ୍ପାଗଡ଼ ରୟାଲ ଢାବା ନିକଟରେ ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍‌ଟି କୌଣସି କାରଣରୁ ଡିଭାଇଡର୍‌ରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ସରୋଜଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ରାଜେଶଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ।

ସମ୍ବନ୍ଧିତ ଖବର