ଦେବ ନାରାୟଣ ମୃତ୍ୟୁ ମାମଲା : ବେଣୁ, ପ୍ରକାଶ ଓ ଭଗବାନଙ୍କୁ ଏତେ ଅନୁକମ୍ପା କାହିଁକି?

ମାଲକାନଗିରି : ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ପରେ ଆରମ୍ଭ ହୋଇଥିବା ଚର୍ଚ୍ଚ ଥମୁନାହିଁ। ପରସ୍ତ ପରସ୍ତ ହୋଇ ନୂଆ ତଥ୍ୟ ସବୁ ପଦାକୁ ଆସିବାରେ ଲାଗିଛି। ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଅନ୍ୟ ୩ଜଣ ଅଭିଯୁକ୍ତଙ୍କ ସଂପର୍କରେ ବି ଅନେକ କଥା ଏବେ ଶୁଣିବାକୁ ମିଳୁଛି। ଇତିମଧ୍ୟରେ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରୁ ମନୀଷ ଅଗ୍ରୱାଲଙ୍କୁ ବଦଳି କରିଦେଇଛନ୍ତି। କିନ୍ତୁ ଅନ୍ୟ ୩ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଏବେ ବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଁ କାର୍ଯ୍ୟରତ ଅଛନ୍ତି। ଏହି ଦୁଇ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରା ନ ଗଲେ ତଦନ୍ତ ପ୍ରକ୍ରିୟା ବାଟବଣା ହେବାର ସମ୍ଭାବନା ରହିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।

ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡାଙ୍କ ଅଭିଯୋଗପତ୍ରରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମେତ ଭି. ବେଣୁ, ପ୍ରକାଶ ସ୍ବାଇଁ ଓ ଅବସରପ୍ରାପ୍ତ କର୍ମଚାରୀ ଭଗବାନ ପାଣିଗ୍ରାହୀଙ୍କ ନାମ ଉଲ୍ଲେଖ କରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପଛରେ ଏମାନଙ୍କୁ ଦାୟୀ କରିଛନ୍ତି ବନଜା। ତେବେ କାହଁକି ସେଏମାନଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଓ ବିତର୍କ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଭି. ବେଣୁ ହେଉଛନ୍ତି ମାଲକାନଗିରି ଡିପିଇପି କାର୍ଯ୍ୟାଳୟର ଜଣେ ଚୁକ୍ତିଭିତ୍ତିକ କନିଷ୍ଠ ଷ୍ଟେନୋ। ୨୦୦୮-୦୯ ମସିହାରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ମୁଦଗଲ ଡିପିଇପିରୁ ଡେପୁଟେସନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଆଣିଥିଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବେଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଁ କାର୍ଯ୍ୟ କରିଆସୁଛନ୍ତି। ବିଭିନ୍ନ ଜିଲ୍ଲାପାଳଙ୍କ ଅଧୀନରେ କାମ କରିଥିବା ବେଣୁ ଏତେମାତ୍ରାରେ ବିଶ୍ବାସଭାଜନ ହୋଇଗଲେ ଯେ, ଦୀର୍ଘ ବର୍ଷ ପରେ ବି ନିଜ ମୂଳ କାର୍ଯ୍ୟସ୍ଥଳକୁ ଫେରି ନାହାନ୍ତି। ଫଳରେ ଏହାର ପ୍ରଭାବ ଜିଲ୍ଲାର ଅନ୍ୟାନ୍ୟ ବିଭାଗ ଉପରେ ବି ପଡ଼ୁଛି। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାମ କରୁଥିବା ଯୋଗୁଁ ବିଭାଗୀୟ ଅଧିକାରୀ ବି ଡେପୁଟେସନ୍‌କୁ ବାତିଲ କରିବାକୁ ସାହସ କରିପାରୁନଥିଲେ। ଯାହାର ପରିମାଣ ସ୍ବରୂପ ବେଣୁଙ୍କ ଖାତିର ଅନ୍ୟ କାର୍ଯ୍ୟାଳୟରେ ବି ବଢ଼ିବାରେ ଲାଗିଥିଲା। ଏଭଳିକି ଜିଲ୍ଲାପାଳଙ୍କ ନିକଟରେ କୌଣସି କାମ ଥିଲେ ପାରଙ୍ଗମ ବେଣୁଙ୍କୁ କୁଆଡ଼େ ସମସ୍ତେ ଖୋଜିଥାନ୍ତି। ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଉପରେ ଜିଲ୍ଲାପାଳମାନେ କିଭଳି ଏତେ ଭରସା କରୁଥିଲେ। ତାଙ୍କୁ ଏତେମାତ୍ରାରେ ଅନକମ୍ପା ପଛର ରହସ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସେଭଳି ଅନ୍ୟତମ ଅଭିଯୁକ୍ତ ପ୍ରକାଶ ସ୍ବାଇଁ ବର୍ତ୍ତମାନ ଜିଲ୍ଲାପାଳଙ୍କ ଷ୍ଟେନୋ ଭାବେ ଜିଲ୍ଲାପାଳ କାର୍ଯ୍ୟାଳୟରେ କାମ କରୁଛନ୍ତି। ସେ ବି ଦୀର୍ଘ ଦିନ ହେଲା ଏଠାରେ ରହି ପତିଆରା ଜମାଇଛନ୍ତି। ଶେଷରେ ଅଭିଯୁକ୍ତ ତାଲିକାରେ ରହିଥିବା ଭଗବାନ ପାଣିଗ୍ରାହୀ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଅତିରିକ୍ତ ତହସିଲଦାର। ୨୦୧୮ ମସିହାରେ ସେ କାଲିମେଳା ତହସିଲ କାର୍ଯ୍ୟାଳୟରୁ ଅତିରିକ୍ତ ତହସିଲଦାର ଭାବେ ଅବସର ଗ୍ରହଣ କରିଛନ୍ତି। ପୂର୍ବରୁ ଭଗବାନ ପାଣିଗ୍ରାହୀ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିଲେ। ଓଆରଏସ୍‌ ପାଇବା ପରେ ମାଲକାନଗିରି ତହିସଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ଭାବେ ପଦୋନ୍ନତି ପାଇଥିଲେ। ଅବସର ପରେ ବି ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଯୋଗସୂତ୍ରରେ ରହୁଥିଲେ। ଏଭଳିକି ସେ ମୃତ ଦେବ ନାରାୟଣ ପଣ୍ଡାଙ୍କୁ ହଟାଇ ସେହି ସ୍ଥାନରେ ରହିବାକୁ କୁଆଡ଼େ ମନସ୍ଥ କରିଥିଲେ। ଡିସେମ୍ବର ୨୬ ତାରିଖ ଦିନ ଦେବ ନାରାୟଣ ପଣ୍ଡାଙ୍କ ଘରକୁ ଯାଇ ସେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ପଦବିରେ ରହିବେ ଏବଂ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କୁ ବଦଳାଇବାକୁ ଚାହୁଥିବା ନେଇ କହିଥିବା ବନଜା ପଣ୍ଡା ଅଭିଯୋଗରେ ଦର୍ଶାଇଛନ୍ତି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ କାହିଁକି ବ୍ୟକ୍ତିଗତ ସହାୟକ ପଦବିରେ ରଖିବାକୁ ଚାହୁଥିଲେ ଏବଂ ଏକଥା ଶ୍ରୀ ପାଣିଗ୍ରାହୀ କହି ବୁଲିବା ପଛରେ କଣ ରହସ୍ୟ ରହିଛି ତାହା ମଧ୍ୟ ତଦନ୍ତସାପେକ୍ଷ।

ଏହି କର୍ମଚାରୀମାନେ ହିଁ ଦେବ ନାରାୟଣଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ବନଜା ଅଭିଯୋଗ କରିଛନ୍ତି। ପ୍ରକୃତରେ ତତ୍କାଳୀନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିଛି ଦୁର୍ନୀତି ସଂପର୍କରେ ଦେବ ନାରାୟଣ ଅବଗତ ଥିଲେ କି? ତତ୍କାଳୀନ ଜିଲ୍ଲାପାଳ ପ୍ରକୃତରେ ଦେବ ନାରାୟଣଙ୍କୁ ହଟାଇଦେବାକୁ ଚାହୁଁଥିଲେ କି? ଏଭଳି ପୁଳାପୁଳା ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଯେହେତୁ ହତ୍ୟା ମାମଲାର ତଦନ୍ତ ଆରମ୍ଭ ହୋଇଛି ଏବଂ ଅଭିଯୁକ୍ତ ତାଲିକାରେ ରହିଥିବା ଦୁଇ କର୍ମଚାରୀ ଏବେ ବି ନିଜ ନିଜ ସ୍ଥାନରେ ରହିଛନ୍ତି ସେମାନଙ୍କୁ ତୁରନ୍ତ ବଦଳି କରାନଗଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ତୁରନ୍ତ ସେଠାରୁ ହଟାଇବାକୁ ଦାବି ଉଠିଛି।

ସମ୍ବନ୍ଧିତ ଖବର