ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ତଥା ବରିଷ୍ଠ ଆଇଏଏସ୍‌ ମନୀଷ ଅଗ୍ରୱାଲଙ୍କୁ ଶକ୍ତ ଝଟ୍‌କା ଲାଗିଛି।  ତାଙ୍କ ବି‌ରୋଧରେ ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି କରିଛନ୍ତି ମାଲକାନଗିରି ଏସ୍‌ଡିଜେଏମ୍‌। ସେହିପରି ମାମଲାରେ ସଂପୃକ୍ତ ଭଗବାନ ପାଣିଗ୍ରାହୀ, ଭି. ବେଣୁ ଓ ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ ମଧ୍ୟ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି। ମାମଲାର ଶୁଣାଣି କରି ଏସ୍‌ଡିଜେଏମ୍‌ କଡ଼ା ଟିପ୍ପଣୀ ଦେଇଛନ୍ତି।

Advertisment

ପୁଲିସ ଉପରୁ ଆସ୍ଥା ହରାଇ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ‌ ଆବେଦନକୁ ଗ୍ରହଣ କରି ମାମଲାର ଶୁଣାଣି କରୁଛନ୍ତି। ତେବେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ମନୀଷ ଅଗ୍ରୱାଲ, ଭଗବାନ ପାଣିଗ୍ରାହୀ, ଭି. ବେଣୁ ଓ ପ୍ରକାଶ ଚନ୍ଦ୍ର ସ୍ବାଇଁ କୋର୍ଟରେ ହାଜର ହେଉନଥିଲେ। ବିଭିନ୍ନ କାରଣ ଦର୍ଶାଇ ବାରମ୍ବାର ତାରିଖ ଗଡ଼ାଇ ଚାଲିଥିଲେ।  ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖୁଥିଲେ। ଶେଷରେ କୋର୍ଟ ଅଭିଯୁକ୍ତଙ୍କ ପକ୍ଷର ସମସ୍ତ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ପକ୍ଷ ରଖିବାକୁ ସମସ୍ତଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି। ଆଉ ସମୟ ଦିଆଯିବ ନାହିଁ, ଆଗକୁ କୋର୍ଟରେ ହାଜର ହୋଇ ପକ୍ଷ ରଖିବେ। ନଚେତ୍‌ ଗିରଫ କରି ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମନୀଷ ଅଗ୍ରୱାଲ ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିବାକୁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିନାହାନ୍ତି।

ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ୨୭ ତାରିଖରେ ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ। ତାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଡିସେମ୍ବର ୨୮ରେ ଦେବ ନାରାୟଣଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର ହୋଇଥିଲା। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ପୁଲିସ କହିଥିଲା। ଯାହାକୁ ଗ୍ରହଣ ନ କରି ବନଜା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୬ବର୍ଷ ହେଲା ବନଜା ଜିଲ୍ଲା କୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଛନ୍ତି। ଏନ୍‌ବିଡବ୍ଲ୍ୟୁ ଜାରି ହେବାପରେ ବନଜା କହିଛନ୍ତି ଯେ ଏମାନଙ୍କ ଯଦି ଦୋଷ ନାହିଁ ତା’ହେଲେ କାହିଁକି କୋର୍ଟରେ ହାଜର ହେଉନାହାନ୍ତି। କୋର୍ଟରୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି।