ଦେବ ନାରାୟଣ ପଣ୍ଡା ମୃତ୍ୟୁ ପ୍ରସଙ୍ଗ : ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା

ଅନ୍ୟ ୩ ଜଣ କର୍ମଚାରୀ ମଧ୍ୟ ଅଭିଯୁକ୍ତ, ଡିଏସ୍‌ପି କରୁଛନ୍ତି ଘଟଣାର ତଦନ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ଆଜି ନୂଆ ମୋଡ଼ ନେଇଛି।

ପୂର୍ବରୁ ପୁଲିସ ଏହି ଘଟଣାକୁ ଆତ୍ମହତ୍ୟା ମାମଲା ଭାବେ ତଦନ୍ତ କରୁଥିଲା। ହେଲେ ମାଲକାନଗିରି ଏସ୍‌ଡିଜେଏମଙ୍କ ନିର୍ଦ୍ଦେଶ କ୍ରମେ ଶେଷରେ ହତ୍ୟା ମାମଲା ରୁଜୁ ହୋଇଛି। ଏବେ ଘଟଣାର ସାନି ତଦନ୍ତ ଆରମ୍ଭ ହେବ। ସବୁଠାରୁ ବଡ଼କଥା ହେଲା ସଦ୍ୟ ରୁଜୁ ହୋଇଥିବା ହତ୍ୟା ମାମଲାରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମ ମଧ୍ୟ ଅଭିଯୁକ୍ତ ତାଲିକାରେ ସ୍ଥାନ ପାଇଛି। ତାଙ୍କ ବ୍ୟତୀତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ ୩ଜଣ କର୍ମଚାରୀଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ପୁଲିସ ଦର୍ଶାଇଛି। ଦେବ ନାରାୟଣଙ୍କ ମୃତ୍ୟୁର ପ୍ରାୟ ୧୧ମାସ ପରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଡିଏସ୍‌ପି ବଳଭଦ୍ର ଦୀପଙ୍କୁ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ଏଥିସହିତ ଉଭୟ ଜିଲ୍ଲାପାଳ ଏବଂ ରାଜ୍ୟ ସରକାର ଅଡୁଆରେ ପଡ଼ିଛନ୍ତି। ଯେ କୌଣସି ମୁହୂର୍ତରେ ଜିଲ୍ଲାପାଳଙ୍କୁ ସରକାର ଜିଲ୍ଲାରୁ ହଟାଇ ପାରନ୍ତି।

ଗତବର୍ଷ ଡିସେମ୍ବର ମାସ ୨୮ତାରିଖ ଦିନ ଦେବ ନାରାୟଣଙ୍କ ଶବ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର କରାଯାଇଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଦେବ ନାରାୟଣ ଆତ୍ମହତ୍ୟା କରିଥିବା ପ୍ରକାଶ କରିଥିଲେ। ହେଲେ ପୁଲିସ ଉପରେ ଆଦୌ ଭରସା କରି ନଥିଲେ ପରିବାର ଲୋକେ। ଦେବ ନାରାୟଣଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ପତ୍ନୀ ବନଜା ପଣ୍ଡା ଅଭିଯୋଗ କରିଥିଲେ। ଏପରିକି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ତାଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ହତ୍ୟାକାରୀ ବୋଲି ସଂଗିନ ଅଭିଯୋଗ ଆଣିଥିଲେ। ଥାନାରେ ଏତଲା ଦେବା ସହ ପୁଲିସ ନିକଟରେ ଥିବା ଦେବ ନାରାୟଣଙ୍କ କିଛି ଜିନିଷ ଏବଂ ଭିସେରା ରିପୋର୍ଟ ମାଗିଥିଲେ। କିନ୍ତୁ ପୁଲିସ ଏବଂ ପ୍ରଶାସନ ଏହି ଘଟଣାରେ ତାଙ୍କୁ ଆଦୌ ସହଯୋଗ କରୁ ନଥିବା ବନଜା ଅଭିଯୋଗ କରିଥିଲେ। ତେଣୁ ମାଲକାନଗିରି ଏସ୍‌ଡିଜେଏମଙ୍କ କୋର୍ଟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଡିଇଓ ଭି. ବେଣୁ, ଷ୍ଟେନୋ ପ୍ରକାଶ ସ୍ବାଇଁ ଏବଂ ଅବସରପ୍ରାପ୍ତ ଓଆରଏସ୍ ଭଗବାନ ପାଣିଗ୍ରାହୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଆବେଦନ କରିଥିଲେ। ଘଟଣା ସଂପର୍କିତ ଶହେ ପୁଷ୍ଠାର ବିବରଣୀ ମଧ୍ୟ କୋର୍ଟରେ ଦାଖଲ କରିଥିଲେ।

କୋର୍ଟ ଏହି ମାମଲାକୁ ଗ୍ରହଣ କରି ମାଲକାନଗିରି ପୁଲିସକୁ ଘଟଣାର ପୁନଃତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ହତ୍ୟା ଏବଂ ପ୍ରମାଣ ନଷ୍ଟ ନେଇ ମାମଲା ରୁଜୁ କରିଛି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ୩ଜଣଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଏବଂ ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି। ଡିଏସପି ବଳଭଦ୍ର ଦୀପ ଘଟଣାର ତଦନ୍ତ କରୁଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୪ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦାଖଲ କରିବେ ବୋଲି ସୂଚନା ମିଳିଛି। ଆରମ୍ଭରୁ ଆତ୍ମହତ୍ୟା ବୋଲି ପୁଲିସ କହି ଆସୁଥିବା ବେଳେ ଏବେ ହତ୍ୟା ମାମଲା ରୁଜୁ କରିଛି। ତେଣୁ ଏଥର କେଉଁ ଦିଗରେ ପୁଲିସର ତଦନ୍ତ ଯିବ ଏବଂ କୋର୍ଟରେ କଣ ରିପୋର୍ଟ ଦାଖଲ କରିବ, ତାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ସେହିପରି ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶକ୍ରମେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ମଧ୍ୟ ଏହି ଘଟଣାର ତଦନ୍ତ କରୁଛନ୍ତି। ଏନେଇ ମାଲକାନଗିରି ପୁଲିସକୁ ଯୋଗାଯୋଗ ସତ୍ତ୍ବେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି।

ସମ୍ବନ୍ଧିତ ଖବର