ବର୍ଷେ ପରେ ବି ରହସ୍ୟରେ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲା : ମନୀଷଙ୍କୁ ଏତେ ଅନୁକମ୍ପା କାହିଁକି?

ପୁଲିସ ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ ପତ୍ନୀ ବନଜା
ତଦନ୍ତ ଦିଗହରା, ଗଣମାଧ୍ୟମର ସହଯୋଗ ଲୋଡ଼ିଲେ

ମାଲକାନଗିରି/ଜୟପୁର: ଆଇଏଏସ୍‌ ଅଫିସର ମନୀଷ ଅଗ୍ରଵାଲ ମାଲକାନଗିରି ଜିଲ୍ଲାପାଳ ଥିବା ବେଳେ ତାଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ଇତି ମଧ୍ୟରେ ବର୍ଷେ ପୂରିଛି। ହେଲେ ଆଶ୍ଚର୍ଯ୍ୟଜନକ କଥା ହେଲା, ବର୍ଷେ ଭିତରେ ପୁଲିସ ଜାଣିପାରିଲାନି ଏହି ମୃତ୍ୟୁ ଆତ୍ମହତ୍ୟା ଜନିତ ନା ସୁପରିକଳ୍ପିତ ହତ୍ୟାକାଣ୍ଡ। ଅନ୍ୟପକ୍ଷରେ ପୁଲିସର ତଦନ୍ତ ପ୍ରକ୍ରିୟାରେ ମୃତ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଗଣମାଧ୍ୟମ ଜରିଆରେ ପୁଳା ପୁଳା ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ମୌଳିକ ପ୍ରଶ୍ନର ଉତ୍ତର ପୁଲିସ ଏଯାଏ ଦେବାରେ ସକ୍ଷମ ହୋଇନାହାନ୍ତି, ତାହା ହେଉଛି, ଦେବ ନାରାୟଣ ପଣ୍ଡା ଯଦି ଆତ୍ମହତ୍ୟା କରିଛନ୍ତି ତେବେ ଏହାର କାରଣ କଣ? ଯଦି ଏହା ହତ୍ୟାକାଣ୍ଡ ତେବେ ଏଥିରେ କେଉଁ ମାନେ ସଂପୃକ୍ତ? ଏମିତି ମାଳ ମାଳ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହେଲାଣି। କାହିଁକି ଓ କାହା ସ୍ବାର୍ଥରେ ରାଜ୍ୟ ସରକାର ଏହି ମାମଲାରେ ତନାଘନା କରୁନାହାନ୍ତି, ତାହା ମଧ୍ୟ ବୁଝାପଡୁନାହିଁ।

ଏହି ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟାରେ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଆଦୌ ସନ୍ତୁଷ୍ଟ ନୁହଁନ୍ତି। ତାଙ୍କ ଅଭିଯୋଗ ହେଉଛି, କାଳେ ତାଙ୍କ ଦୁର୍ନୀତିର ସତ୍ୟାସତ୍ୟ ପ୍ରଘଟ ହୋଇଯିବ, ଏମିତି ଆଶଙ୍କା କରି ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଅଗ୍ରଵାଲ ଗତବର୍ଷ ଡିସେମ୍ବର ୨୭ ତାରିଖ ଦିନ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ତିନି ଜଣ ବିଶ୍ବସ୍ତ ସହଯୋଗୀଙ୍କ ସହଯୋଗରେ ହତ୍ୟା କରି ସତିଗୁଡ଼ା ଜଳଭଣ୍ଡାରରେ ଫେପାଡ଼ି ଦେଇଛନ୍ତି। ୨୮ ତାରିଖ ଦିନ ଝିଅ ନିବେଦିତା ଓ ଦେଢ଼ଶୁର ଦୁର୍ଗାମାଧବ ପଣ୍ଡା ଥାନାରେ ପହଞ୍ଚିବା ବେଳକୁ ଏହି ହତ୍ୟାକାଣ୍ଡରେ ଜଡ଼ିତ ଥିବା ଜିଲ୍ଲାପାଳଙ୍କ ଦୁଇ ସହଯୋଗୀ ଥାନାରେ ଥିବା ସହ ଦେଢ଼ଶୁରଙ୍କୁ ପଣ୍ଡା ବାବୁ ଏମିତିଆ ପଦକ୍ଷେପ କାହିଁକି ନେଲେ ବୋଲି ପ୍ରଶ୍ନ କରିଥିଲେ। ମୋ ସ୍ବାମୀ ମରିଛନ୍ତି କି ନାହିଁ ଜଣାପଡ଼ିନଥିବା ବେଳେ, ପୁଲିସ ନିକଟରେ ରି‌ପୋର୍ଟ ନଥିବା ବେଳେ ଷ୍ଟୋନୋ ସ୍ବାଇଁଙ୍କୁ କିଭଳି ଜଣାପଡ଼ିଲା ବନଜା ଏବେ ପ୍ରଶ୍ନ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଗ୍ନିଶମ ବିଭାଗକୁ ପୁଲିସ ପକ୍ଷରୁ କୌଣସି ଫୋନ୍ କରାଯାଇନଥିଲା। ରେକର୍ଡ ଅନୁଯାୟୀ ଷ୍ଟେନୋ ପ୍ରକାଶ ସ୍ବାଇଁଙ୍କ ଟେଲିଫୋନ୍‌ରୁ ହିଁ ସେମାନଙ୍କୁ ପ୍ରଥମ ଫୋନ୍ ଯାଇଥିଲା। ବିନା ପୁଲିସର ଚିଠି କିମ୍ବା ଫୋନ୍‌ରେ ଫାୟର ବ୍ରିଗେଡ୍ କଣ ବାହାରିପଡ଼ିଲା କି ବୋଲି ବନଜା ପ୍ରଶ୍ନ କରିବାରେ ସହକାରୀ ଅଗ୍ନିଶମ ଅଧିକାରୀ କିଛି ସମୟ ମାଗି ଏକ ଜାଲ ଚିଠି ଆଣି ଦେଇଥିବା ବନଜା ‘ସମ୍ବାଦ’କୁ ଦେଇଥିବା ଚିଠିରେ ଏଥିରେ ଉଲ୍ଲେଖ କରିଛନ୍ତି। ଅଗ୍ନିଶମ ଗାଡ଼ି ଡ୍ୟାମ୍ ସ୍ଥଳକୁ ଯିବା ସମୟରେ ଅଭିଯୁକ୍ତ ଭି. ବେଣୁ ଓ ପ୍ରକାଶ ସ୍ବାଇଁ ଏକ ମୋଟର ସାଇକେଲରେ ଆଗରେ ଯାଇ ଶବ ବୁଡ଼ି ରହିଥିବା ସ୍ଥାନରେ ପହଞ୍ଚାଇଥିଲେ। ପୁଲିସ ସବ୍ ଇନିସପେକ୍ଟର ରୁଦ୍ର ପ୍ରସାଦ ମୁଦୁଲି ସେମାନଙ୍କ ମୋଟର ସାଇକେଲରେ ଯାଇଥିଲେ। ଏହି ଅଧିକାରୀମାନେ ଦେବ ନାରାୟଣଙ୍କ ମୃତଦେହ ସେଠାରେ ପଡ଼ି ରହିଛି ବୋଲି କିପରି ଜାଣିଥିଲେ ବୋଲି ବନଜା ପ୍ରଶ୍ନ କରିଛନ୍ତି।

ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଏବଂ ରିପୋର୍ଟକୁ ନେଇ ବି ସନ୍ଦେହ ପ୍ରକାଶ କରିଛନ୍ତି। ଗତବର୍ଷ ଡିସେମ୍ବର ମାସ ୧୮ତାରିଖ ଦିନ ପୁଲିସ ଦ୍ବାରା ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହାର ପ୍ରାୟ ୪ମାସ ପରେ ଭୁବନେଶ୍ବର ସ୍ଥିତ ରାଜ୍ୟ ଫରେନସିକ୍ ଲାବ୍ରୋଟୋରିକୁ କାହିଁକି ଭିସେରା ପରୀକ୍ଷା ପାଇଁ ପଠାଗଲା ? ଏମିତି ବିଳମ୍ବ କରିବା ପଛର କଣ ହୋଇପାରେ? ସେହିପରି ଶବ ବ୍ୟବଚ୍ଛେଦ ସମୟରେ ତହସିଲଦାର ଗୁଣନିଧି ନାୟକଙ୍କୁ ମାଜିଷ୍ଟ୍ରେଟ୍ ଭାବେ ନିୟୋଜିତ କରାଯାଇଥିଲା। ଶବ ବ୍ୟବଚ୍ଛେଦ ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ସଂପର୍କିତ ନିର୍ଦ୍ଦେଶ ଉପଜିଲ୍ଲାପାଳଙ୍କ କ୍ଷମତାଭୁକ୍ତ। ତେବେ ମାଜିଷ୍ଟ୍ରେଟ ଉପସ୍ଥିତି ରଖିବା ନେଇ ଉପଜିଲ୍ଲାପାଳଙ୍କ ଠାରୁ କୌଣସି ନିର୍ଦ୍ଦେଶନାମା ନଥିବା ସେ କହିଛନ୍ତି। ଦେବ ନାରାୟଣ ବଡ଼ ନେତା କିମ୍ବା ନକ୍ସଲ ନଥିଲେ। ଶବ ବ୍ୟବଚ୍ଛେଦ ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଆବଶ୍ୟକତା କଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି।

ଶବ କ୍ବାର୍ଟର୍ସକୁ ଆସିବା ପରେ ତତ୍କାଳନୀ ଜିଲ୍ଲାପାଳ, ତହସିଲଦାର ଓ ଏପିଡି ମାତ୍ର ୨୦ମିନଟ ପାଇଁ ଆସି ତାଙ୍କ ପରିବାରକୁ ଭେଟି ନଥିଲେ କି ସାମାନ୍ୟତମ ଆଶ୍ବସନା ବି ଦେଇନଥିଲେ। ଏଠାରୁ ଫେରି ଜିଲ୍ଲାପାଳ ଅନ୍ୟ ଜଣେ ମହିଳା ସହକର୍ମୀଙ୍କ ଜରିଆରେ ସ୍ବାମୀଙ୍କ ଶବ ଶ୍ମଶାନକୁ ଗଲାଣି ନା ନାହିଁ ପଚାରି ବୁଝୁଥିଲେ। ଶ୍ମଶାନରେ ବି ଅଭିଯୁକ୍ତ ବେଣୁ ଓ ଷ୍ଟେନୋ ପ୍ରକାଶ ଉପସ୍ଥିତ ରହିଥିଲେ। ମାମଲାର ତଦନ୍ତ ନକରି ପୁଲିସ ଏହାକୁ ଆତ୍ମହତ୍ୟା ବୋଲି ଘୋଷଣା କରିଥିବା ବନଜା କହିଛନ୍ତି। ଏହି ମାମଲାକୁ ଚପାଇ ଦେବାକୁ ଏସ୍‌ପିଙ୍କ ଠାରୁ ଥାନା ଅଧିକାରୀ ସମସ୍ତେ ଲାଗି ପଡ଼ିଥିଲେ ବୋଲି ସେ ସାଂଘାତିକ ଅଭିଯୋଗ କରିଥିଲେ।

ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ହତ୍ୟା ମାମଲା ରୁଜୁ ହୋଇଥିଲେ ବି ପୁଲିସ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିନଥିବା କିମ୍ବା ବୟାନ ରେକର୍ଡ କରୁ ନଥିବା ନେଇ ଅଭିଯୋଗ କରିଛନ୍ତି। ମାମଲାର ଅଭିଯୁକ୍ତ ତଥା ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଭି. ବେଣୁ, ପ୍ରକାଶ ସ୍ବାଇଁ ଏବଂ ଅବସରପ୍ରାପ୍ତ କର୍ମଚାରୀ ଭଗବାନ ପାଣିଗ୍ରାହୀଙ୍କୁ ଜେରା କରାଯାଇଛି ନା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ମାମଲା ସଂପର୍କିତ ବିଭିନ୍ନ କାଗଜପତ୍ରକୁ ରାତାରାତି ତିଆରି କରି ତାଙ୍କୁ ଦିଆଯାଇଥିବା ବନଜା ଅଭିଯୋଗ କରିଛନ୍ତି। ପୁଲିସ, ଅଗ୍ନିଶମ ବିଭାଗ ମାମଲା ସହ ଜଡ଼ିତ ପ୍ରଶାସନିକ ଅଧିକାରୀଙ୍କ ଭୂମିକାକୁ ନେଇ ବି ସେ ସନ୍ଦେହ ପ୍ରକାଶ କରିଛନ୍ତି। ମୋ ସ୍ବାମୀ ଆତ୍ମହତ୍ୟା କରିବା ପାଇଁ ଯାଇଥିବା ବ‌େଳେ ଯେଉଁ ଲୋକଟି ଦେଖିଥିଲା ସେହି ଲୋକଟି କିଏ ଏବଂ ତାର ଠିକଣା କଣ? ବୋଲି ପ୍ରଶ୍ନ କରିଛନ୍ତି। ଯେଉଁ ପିଲାଙ୍କୁ ତାଙ୍କ ସ୍ବାମୀ ଡ୍ୟାମ୍ ସାଇଟ୍‌ରେ ବିଗିଡ଼ି ଥିଲେ ସେମାନେ କିଏ? ତାଙ୍କ ନାମ ଓ ଠିକଣା କଣ? ବୋଲି ପ୍ରଶ୍ନ କରିବା ସହ ପୁଲିସ ସେମାନଙ୍କ ଠାରୁ କେତେବେଳେ ବୟାନ ନେଇଥିଲା ବୋଲି ପ୍ରଶ୍ନ କରିଛନ୍ତି। ପୁଲିସ ମାମଲାର ସଠିକ୍ ତଦନ୍ତ କରିବା ପରିବର୍ତ୍ତେ ମୋତେ ଏବଂ ମୋ ପିଲାଙ୍କୁ ଧମକଚମକ ଦେଉଥିବା ବନଜା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର