କଣ୍ଟାପଡ଼ା : ସାତଦିନ ପରେ ଆଜି ଦେବୀ ନଦୀରୁ ମିଳିଲା କଟକ ଜିଲ୍ଲା ନିଆଳି ଥାନା ଅଧୀନ କରଞ୍ଜ ଗ୍ରାମର ଜଗଦାନନ୍ଦ ପ୍ରଧାନଙ୍କ ପୁଅ ପ୍ରଧାନ ଦେବବ୍ରତ ମହାପାତ୍ର (୩୫)ଙ୍କ ମୃତଦେହ। ଗତ ବୁଧବାର ଦିନ ସ୍ତ୍ରୀ ଓ ପୁଅଙ୍କ ସମ୍ମୁଖରେ କାଠଯୋଡ଼ି ପୋଲ ଉପରୁ ଡେଇଁ ପଡ଼ିଥିଲେ। ୫ଦିନ ଧରି ଓଡ୍ରାଫ୍‌, ଅଗ୍ନିଶମବାହିନୀ ମିଳିତ ଭାବେ ଖୋଜାଖୋଜି ଜାରି ରଖିଥିଲେ ବି ଦେବବ୍ରତଙ୍କ କୌଣସି ପତ୍ତା ମିଳି ନଥିଲା। ଶେଷରେ ଆଜି ସକାଳେ ଦେବବ୍ରତଙ୍କ ମୃତଦେହ ପୋସ୍ତଳ ନିକଟ ଦେବୀ ନଦୀରୁ ଉଦ୍ଧାର କରାଯାଇଥିଲା। ଗୋବିନ୍ଦପୁର ପୁଲିସ ମୃତଦେହକୁ ଜବତ୍‌ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଆଜି ସକାଳେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନ ପୋସ୍ତଳ ନିକଟ ଦେବୀ ନଦୀର ଦକ୍ଷିଣପାର୍ଶ୍ବ ରହମ୍ବାରୁ ବାରେଡିଆକୁ ସଂଯୋଗ କରୁଥିବା ନୂତନ ପୋଲର ରଡ୍‌ରେ ଲାଗିଥିବା ଜଣେ ଯୁବକର ଶବ ଦେଖିବାକୁ ମିଳିଥିଲା। ରହମ୍ବା ଗ୍ରାମର ଜନୈକ ଧୀବର ଜାଲ ନେଇ ମାଛ ଧରିବାକୁ ନଦୀକୁ ଯାଇଥିବା ବେଳେ ଶବ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗୋବିନ୍ଦପୁର ଥାନାକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଗୋବିନ୍ଦପୁର ଥାନା ଏଏସଆଇ ନିର୍ମଳ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଯୁବକଙ୍କ ଗଳିତ ଶବକୁ ଉଦ୍ଧାର କରିଥିଲେ। ଶବ ପକେଟରୁ ମିଳିଥିବା ଗାଡ଼ି ରେ‌ଜି‌େଷ୍ଟ୍ରସନ୍‌ କାର୍ଡରୁ ଏହି ମୃତଦେହ ଦେବବ୍ରତଙ୍କର ବୋଲି ପୁଲିସ ଜାଣିବାକୁ ପାଇଥିଲା।

ସୂଚନାଯୋଗ୍ୟ ଯେ ଦେବବ୍ରତ ଦଶହରା ପରେ ଗତ ୯ ତାରିଖ ଦିନ ଦେବ୍ରବତ ସ୍ତ୍ରୀ ଓ ପୁଅଙ୍କୁ ବାଇକରେ ଧରି ଯାଜପୁରରୁ ନିଜ ଗାଁ ନିଆଳିକୁ ଆସୁଥିବାବେଳେ କାଠଯୋଡ଼ି ପୋଲ ଉପରେ ଅଟକି ହଠାତ୍‌ ନଦୀକୁ ଡେଇଁ ପଡ଼ିଥିଲେ। ଆଉ ନଦୀରେ ପ୍ରବଳ ସ୍ରୋତ ଥିବାରୁ ଆଖି ପିଛୁଳାକେ ସେ ଭାସି ଯାଇଥିଲେ। ସମ୍ଭବତଃ ପାରିବାରିକ ଅଶାନ୍ତି ଯୋଗୁଁ ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ। ଦେବବ୍ରତ ଯାଜପୁର କଳିଙ୍ଗନଗରର ଟାଟା ମାଇନିଂରେ ଚାକିରି କରିଥିବା ବେଳେ ସ୍ତ୍ରୀ ବାରିପଦାରେ ଏକ ହାଇସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ଆଜି ଶବ ମିଳିବା ପରେ ତାଙ୍କ ବାପା ଓ ଜ୍ବାଇଁ ଘଟଣାସ୍ଥଳକୁ ଦେଖିବାକୁ ଆସିଥିଲେ। ଗୋବିନ୍ଦପୁର ଥାନା ପୁଲିସ କେସ୍ ନମ୍ବର ୧/୨୦୧୯ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାଟି ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି।