ଦେବଗଡ଼: ଦେବଗଡ଼ ଜିଲ୍ଲା ପରିଷଦ ବିଜେଡି ଦଖଲ କରିବା ପରେ ଏବେ ପୌରାଧ୍ୟକ୍ଷା ଆସନ ବି ହାତେଇ ବାଜିମାତ କରିଛି। ଅନ୍ୟପଟେ ଦେଖିବାକୁ ଗଲେ ବିଜେପିର ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଏବଂ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଦଳୀୟ କର୍ମୀଙ୍କ ଦୁର୍ବଳ ଗୋଟି ଚାଳନା ପାଇଁ ବିଜେପି ପୌରାଧ୍ୟକ୍ଷ ଆସନ ହାତେଇବାରେ ସକ୍ଷମ ହୋଇପାରି ନଥିବା ସାଧାରାଣରେ ଚର୍ଚ୍ଚା ହେଉଛି। ଏହା ସହିତ ୬ଟି ୱାର୍ଡରେ ବିଜେପି ବିଜୟୀ ହୋଇଥିବା ବେଳେ ବିଜେଡି ୪ଟି ୱାର୍ଡ ହାତେଇବାରେ ସଫଳ ହୋଇଛି।
କେବଳ ଗୋଟିଏ ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଦେବଗଡ଼ ପୌରାଧ୍ୟକ୍ଷା ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଶାନ୍ତି ମଞ୍ଜରୀ ଦେଇ ୪୨୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିର ମାଧବୀ କୁମାରୀ ଦେବୀଙ୍କୁ ପରାସ୍ତ କରିଛନ୍ତି। ଶାନ୍ତି ମଞ୍ଜରୀ ୫,୨୪୭ ଖଣ୍ଡ ଭୋଟ ପାଇଥିବା ବେଳେ ମାଧବୀ ଦେବୀ ୪,୮୧୯ ଖଣ୍ଡ ଭୋଟ ଓ କଂଗ୍ରେସର ପବନୀ ସାହୁ ୨,୦୮୭ ଖଣ୍ଡ ଭୋଟ ପାଇଛନ୍ତି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀରୁ ବର୍ତ୍ତମାନ ପୌରାଧ୍ୟକ୍ଷା ଆସନରେ ବସିବେ ଶାନ୍ତି ମଞ୍ଜରୀ ଦେଇ। ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପରେ ଏବେ ସହରର ବିକାଶ କାର୍ଯ୍ୟ କରିବାକୁ ଭୋଟରମାନେ ତାଙ୍କୁ ନିର୍ବାଚିତ କରିଛନ୍ତି। ବିଜୟୀ ହେବା ପରେ ଶାନ୍ତି ମଞ୍ଜରୀ ଦେଇ ଦେବଗଡ ସହରର ବିକାଶ ଧାରା ଯେମିତି ଆଗକୁ ଯାଇପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/21-20.jpg)