ଦେବଗଡ଼: ଦେବଗଡ଼ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ପ୍ରାର୍ଥୀ କରିବାପରେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି ନି‌ତେଶଙ୍କ ସମର୍ଥକ। ଏପର୍ଯ୍ୟନ୍ତ ନିତେଶ ନିରବତା ଅବଲମ୍ବନ କରିବା ଏବଂ ନିଜର ଆଭିମୁଖ୍ୟକୁ ନେଇ କୌଣସି ସ୍ପଷ୍ଟ ମତ ନରଖିବା ହିଁ ଏହିଭଳି ପରିସ୍ଥିତି ସୃଷ୍ଟିକରିଛି। ପାରିବାରିକ ସମସ୍ୟା ଯୋଗୁ ବେଶ୍ କିଛିଦିନ ହେଲା ନିତେଶଙ୍କୁ ଦେବଗଡ଼ ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳୁନଥିଲା। ଅରୁନ୍ଧତୀ ପ୍ରାର୍ଥୀ ହେବାପରେ ନିତେଶ ଦଳ ପାଇଁ ପ୍ରଚାର କରିବେ ନା ପତ୍ନୀଙ୍କ ପ୍ରଚାର ପାଇଁ ନିର୍ବାଚନ ମଇଦାନରେ ଓହ୍ଲାଇବେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ଦ୍ବନ୍ଦ୍ବ‌ରେ ପଡ଼ିଛନ୍ତି ନିତେଶଙ୍କ ସମର୍ଥକ।

Advertisment

ଅନ୍ୟପକ୍ଷରେ, ଅରୁନ୍ଧତୀ ପ୍ରାର୍ଥୀ ହେବାପରେ ବିଜେଡି ଶିବିରରେ ବିଶେଷ ଉତ୍ସାହ ମଧ୍ୟ ପରିଲକ୍ଷିତ ହୋଇନାହିଁ ଏବଂ ଆଶାୟୀମାନେ ମଧ୍ୟ ନିରାଶ ହୋଇଛନ୍ତି। ଗତକାଲି ରାତିରେ ରାଜବାଟୀରେ ଅରୁନ୍ଧତୀଙ୍କ ହାତଗଣତି ସମର୍ଥକ ଫଟକା ଫୁଟାଇ କେବଳ ଯାହା ଖୁସି ମନାଇଥିଲେ। କିନ୍ତୁ, ଆଗଧାଡ଼ିର କୌଣସି ସମର୍ଥକ ତଥା ବିଜେଡି କର୍ମୀ ସେଠାରେ ଉପସ୍ଥିତ ନଥିଲେ। ଫଳରେ, ବିଜେଡିର କର୍ମୀମାନେ ଅରୁନ୍ଧତୀଙ୍କୁ କେତେଦୂର ଗ୍ରହଣ କରିବେ ଏବଂ ନିର୍ବାଚନ ପ୍ରଚାରରେ ତାଙ୍କୁ କିପରି ସହଯୋଗ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।