ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ହେଉଛି ଯୁଯୁମୁରା ବ୍ଲକ୍‌ କୟାକୁଦ ପଞ୍ଚାୟତ ଅନ୍ତର୍ଗତ ଦେବଝରଣ ଜଳପ୍ରପାତ। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇଛନ୍ତି। ବଣଭୋଜି ପାଇଁ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ତେବେ ଏହି ପ୍ରାକୃତିକ ଜଳପ୍ରପାତ ଏବେ ବିପଦରେ। ପାହାଡ଼ ଉପରୁ ଝରି ଆସୁଥିବା ସୁଶୀତଳ ଜଳ ଧାରା ହ୍ରାସ ପାଉଥିବା ଦେଖାଯାଇଛି। ଯାହା ପ୍ରକୃତିପ୍ରେମୀଙ୍କୁ ଚିନ୍ତାରେ ପକାଇଛି।  

Advertisment

୫୫ ନମ୍ବର ଜାତୀୟ ରାଜପଥରୁ ୫ କିଲୋମିଟର ଯିବା ପରେ ଏହି ମନୋରମ ଜଳପ୍ରପାତ ଦୃଶ୍ୟମାନ ହୁଏ। ସବୁଜ ବନାନୀଘେରା ପାହାଡ଼ କୋଳରେ କୁଳୁକୁଳୁ ନାଦ କରି ବହି ଯାଉଥିବା ଏହି ଝରଣା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ। ଶୀତ ଓ ବର୍ଷା ଦିନରେ ଏଠାକାର ସବୁଜ ପରିବେଶ ଲୋକମାନଙ୍କୁ ବାନ୍ଧି ରଖିଥାଏ। ହେଲେ ଖରା ସମୟରେ ଏହା ଶ୍ରୀହୀନ ହୋଇଯାଉଛି। ପାହାଡ଼ ଉପରୁ ଝରି ଆସୁଥିବା ଝରଣାର ସୁଶୀତଳ ଜଳକୁ ଅଟକାଇ ରଖି ତିଆରି କରାଯାଇଛି ଦେବଝରଣ ଜଳଭଣ୍ଡାର। ଏହି ଜଳକୁ ଆଖପାଖ ଅଞ୍ଚଳର ଚାଷଜମିକୁ ଯୋଗାଇ ଦିଆଯାଉଛି। ବିଶେଷକରି କୟାକୁଦ ପଞ୍ଚାୟତର ଲୋକମାନେ ଏହାର ଜଳକୁ ବ୍ୟବହାର କରି ଅନେକ ଖରାଟିଆ ଫସଲ କରିଥାନ୍ତି। ଜଳଭଣ୍ଡାରକୁ ଆକର୍ଷଣୀୟ କରାଯିବା ସହ ଏଠାରେ ପର୍ଯ୍ୟଟକଙ୍କ ଲାଗି ବୋଟିଂ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏପରିକି କଟକରୁ ବୋଟ୍‌ ମଧ୍ୟ ଆସିଥିଲା। କିଛିଦିନ ଭାସିବା ପରେ ବୋଟ୍‌ ଗାଏବ୍‌ ହୋଇଗଲା। ସୌନ୍ଦର୍ଯ୍ୟୀକରଣ ବ୍ୟବସ୍ଥା ବି ମାଟିରେ ମିଶିଗଲା। ତେବେ ଜଙ୍ଗଲ ହ୍ରାସ ପାଇବା, ଗଛ କାଟିବା ଦ୍ବାରା ଏହି ଝରଣାର ଜଳଧାରା ହ୍ରାସ ପାଉଥିବା କୁହାଯାଉଛି। ଏହି ପର୍ଯ୍ୟଟନସ୍ଥଳର ବିକାଶ ଲାଗି ପୂର୍ବ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ଆର୍ଥିକ ଅନୁଦାନ ବ୍ୟବସ୍ଥା କରିଥିଲେ। ଆଶା କରାଯାଉଛି ବର୍ତ୍ତମାନର ସରକାର ଏହାର ସୌନ୍ଦର୍ଯ୍ୟୀକରଣ କାମକୁ ତ୍ବରାନ୍ବିତ କରିବେ।