ମାଲକାନଗିରି: ନକ୍ସଲ ସଂଗଠନରେ ନେତୃତ୍ବ ପରିବର୍ତ୍ତନ। ଛତିଶଗଡ଼ ମୁଖ୍ୟ ହେଲେ ଦେବଜୀ ଓରଫ ତିରୁପତି। ସେହିପରି ଦୁର୍ଦ୍ଦାନ୍ତ ହିଡ଼ମାକୁ ବସ୍ତର ସହ ବିଶେଷ ଆଞ୍ଚଳିକ ସମିତି ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସୁରକ୍ଷା ବାହିନୀର ଘନ ଘନ ଚଢ଼ଉ ଯୋଗୁଁ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଛି ଲାଲ୍ ବାହିନୀ। କାରଣ ଛତିଶଗଡ଼ରେ ଡଜନେ ବରିଷ୍ଠ ନକ୍ସଲ ନିହତ ହୋଇଛନ୍ତି କିମ୍ବା ଆତ୍ମସମର୍ପଣ କରି ସାରିଛନ୍ତି। ତେଣୁ ଅସ୍ତିତ୍ବ ସଂକଟ ସୃଷ୍ଟି ହେବାରୁ ସଂଗଠନକୁ ନୂଆ ନେତା ଦେବା ସହ ବସ୍ତରରେ ସଂଗଠନକୁ ପୁନର୍ଗଠନ କରି ମଜଭୁତ ଉଦ୍ଦେଶ୍ୟରେ ପ୍ରୟାସ ଆରମ୍ଭ ହୋଇଛି। ଏହିକ୍ରମରେ ବସ୍ତର ଅଞ୍ଚଳରେ ସଂଗଠନରେ ବଡ଼ ପରିବର୍ତ୍ତନ ହୋଇଛି। ତେଲେଙ୍ଗାନା କରିମନଗର ଜିଲ୍ଲାର ଦଳିତ ନେତା ତିରୁପତି ଓରଫ ଦେବଜୀଙ୍କୁ ସଂଗଠନର ନୂତନ ମୁଖ୍ୟ ସଚିବ କରାଯାଇଛି ବୋଲି ସୂଚନା ମିଳିଛି। ଅନୁରୂପ ଭାବେ ପିଏଲ୍ଜିଏର ପ୍ରଥମ ବାଟାଲିୟନ କମାଣ୍ଡର ହିଡ଼ମା ଓରଫ ସନ୍ତୋଷଙ୍କୁ ସ୍ୱତନ୍ତ୍ର ଆଞ୍ଚଳିକ କମିଟି ସଚିବ ଦାୟିତ୍ୱ ଦିଆଯାଇଛି।
ମେ ୨୧ରେ ନାରାୟଣପୁର ଜଙ୍ଗଲରେ ହୋଇଥିବା ଏନ୍କାଉଣ୍ଟରରେ ସାଧାରଣ ସମ୍ପାଦକ ନାମବାଲା କେଶବ ରାଓ ଓରଫ ବାସବରାଜୁଙ୍କ ସମେତ ୨୮ଜଣ ନକ୍ସଲ ନିହତ ହୋଇଥିଲେ। ଏହାପରେ ନେତୃତ୍ବ ପରିବର୍ତ୍ତନ ପାଇଁ ସଂଗଠନରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୧୮ ମସିହାରେ ବାସବରାଜୁ ମହାସଚିବ ହୋଇଥିଲେ। କିନ୍ତୁ ଆବୁଝମାଡ଼ର ଗୁଣ୍ଡେକୋଟ ଅଞ୍ଚଳରେ ନିହତ ହେବାପରେ ନେତା ବିହୀନ ସଂଗଠନ ବିକଳ୍ପ ଖୋଜୁଥିଲା। ସଂଗଠନର ସାମରିକ ଗୁଇନ୍ଦା ବିଭାଗ ମୁଖ୍ୟ ଦେବଜୀଙ୍କୁ ପରବର୍ତ୍ତୀ ସଚିବ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ କାର୍ଯ୍ୟକାରୀ କରାଯାଇଛି।
ଦେବଜୀ ପଲିଟ୍ ବ୍ୟୁରୋ ସଦସ୍ୟ ସହ ଶୀଘ୍ର ନିଷ୍ପତ୍ତି ନେବାରେ ପାରଙ୍ଗମ। ଏଥିପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ବସ୍ତର ଅଞ୍ଚଳ ସଂଗଠନର ଗଡ଼ ହୋଇଥିବାରୁ ୧କୋଟି ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ମାଡ଼ବୀ ହିଡ଼ମାଙ୍କୁ ବସ୍ତର ଡିଭିଜନ ମୁଖ୍ୟ କରାଯାଇଛି। ପୂର୍ବରୁ ବାଟାଲିୟନ କମାଣ୍ଡର ସହିତ କେନ୍ଦ୍ରୀୟ କମିଟିର ସଦସ୍ୟ ଥିବା ହିଡ଼ମାଙ୍କୁ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି ପ୍ରଭାରୀ ଭଳି ଅତିରିକ୍ତ ଦାୟିତ୍ବ ଦିଆଯାଇଛି।