ରାଉରକେଲା: ହକିପ୍ରେମୀ କୋଲକାତାର ଦେବନାରାୟଣ ବିଶ୍ବାସ। ପାଖରେ ଟିକେଟ୍ ନାହିଁ। ହେଲେ କ୍ବାର୍ଟର ଓ ସେମିଫାଇନାଲ ମ୍ୟାଚ୍କୁ ହାତ ଛଡା କରିନାହାନ୍ତି ସେ। ଯେନତେନ ପ୍ରକାରେ ଷ୍ଟାଡିୟମ ବାହାରେ ଚଢ଼ା ଦରରେ ଟିକଟେ୍ କିଣି ହେଉ ଅବା ଅନ୍ୟ କେଉଁ ଦର୍ଶକଠାରୁ ମାଗଣାରେ ଟିକେଟ୍ ପାଇ ପ୍ରତ୍ୟେକ ମ୍ୟାଚ୍କୁ ବେଶ୍ ଉପଭୋଗ କରିଛନ୍ତି। କେବଳ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ନୁହେଁ ରାଉରକେଲା ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୂର୍ବାହ୍ନ ସାଢ଼େ ୧୧ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଖେଳକୁ ଦେଖିଛନ୍ତି। ଗତ ୨୬ରେ କୋଲକାତାରୁ ବାହାରି ୨୭ରେ ଭୁବନେଶ୍ବରରେ ପହଞ୍ଚିଥିଲେ। ଭାବିଥିଲେ ଷ୍ଟାଡିୟମ କାଉଣ୍ଟରେ ଅପ୍ ଲାଇନ୍ରେ ଟିକେଟ୍ ମିଳିଯିବ। ଟିକେଟ୍ ନ ମିଳିବାରୁ ଖେଳ ଦେଖି ଯାଉଥିବା କିଛି ଦର୍ଶକଙ୍କୁ ଗୋଟିଏ ଟିକେଟ୍ ଯୋଗାଡ କରି ଦେବାକୁ ଅନୁରୋଧ କରିଥିଲେ।
ପ୍ରାୟ ୨ ଘଣ୍ଟା ଧରି କଳିଙ୍ଗ ଷ୍ଟାଡିୟମ ଆଗରେ ଟିକେଟ୍ ଖଣ୍ଡିଏ ପ୍ରବେଶ ପଥରେ ଛିଡା ହୋଇ ରହିଥିଲେ। ନ ମିଳିବାରୁ ଶେଷରେ ବ୍ଲାକ୍ରେ ଦାମଠାରୁ ୧୦ଗୁଣା ଅଧିକ ଦେଇ ଟିକେଟ୍ କିଣିଥିଲେ। ସେମିଫାଇନାଲ୍ ମ୍ୟାଚ୍ ଦେଖିବା ପରେ କୋଲକାତା ଯାଇନଥିଲେ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଭୁବନେଶ୍ବରରୁ ଟ୍ରେନ୍ଯୋଗେ ରାଉରକେଲା ବାହାରିଥିଲେ। ଷ୍ଟେସନରେ ଓହ୍ଲାଇବା ପରେ ସିଧାସଳଖ ବାହାରି ଆସିଥିଲେ ବିର୍ସା ମୁଣ୍ଡା ଷ୍ଟାଡିୟମକୁ। ମ୍ୟାଚ୍ ଦେଖିବାକୁ ଟିକେଟ୍ ନଥିବାରୁ କଳିଙ୍ଗ ଷ୍ଟାଡିୟମ ପରି ବ୍ଲାକ୍ରେ ଟିକେଟ୍ କିଣିବାକୁ କଳାବଜାରୀମାନଙ୍କୁ ଖୋଜିଥିଲେ। ଯେଉଁମାନଙ୍କୁ ପାଇଥିଲେ ସେମାନେ ୧୦୦ ଟଙ୍କିଆ ଟିକେଟ୍କୁ ୧୫୦୦ରୁ ୨୦୦୦ ଟଙ୍କା ଦାବି କରିଥିଲେ। ପାଖରେ ଏତେ ଟଙ୍କା ନଥିବାରୁ ଟିକେଟ୍ କିଣି ପାରି ନଥିଲେ। ଟିକେଟ୍ ନ ମିଳିବାରୁ ପ୍ରଥମ ଦୁଇଟି ମ୍ୟାଚ୍ ଦେଖି ପାରି ନଥିଲେ। ଶେଷରେ ନିରାଶ ହୋଇ ନିଜ ରାଜ୍ୟକୁ ଫେରିଯିବାକୁ ବାହାରିଥିଲେ। ଷ୍ଟାଡିୟମର ପ୍ରବେଶ ପଥରୁ ଚାଲି ଚାଲି ଯାଉଥିବାବେଳେ ଜଣେ ଦର୍ଶକଙ୍କ ହାତରେ ଏକକାଳୀନ ୩ଟି ଟିକେଟ୍ ଦେଖିବାକୁ ପାଇଥିଲେ। ଦର୍ଶକ ଜଣଙ୍କୁ ସେଥିରୁ ଗୋଟିଏ ଟିକେଟ୍ ଦେବାକୁ ଅନୁରୋଧ କରିଥିଲେ। ଦେବନାରାୟଣଙ୍କ ଅନୁରୋଧ ରଖିଥିଲେ ଦର୍ଶକ ଜଣକ। ତାଙ୍କ ପାଖରେ ଥିବା ୩ଟି ଟିକେଟ୍ରୁ ଗୋଟିଏ ଦେବନାରାୟଣକୁ ଦେଇଥିଲେ। ଶେଷରେ ଦେବନାରାୟଣ ଖେଳର ମଜା ଉଠାଇଥିଲେ।